କୋଣାର୍କରେ ସ୍ଥାପତ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଆନ୍ତର୍ଜାତିକ ମାନର କରାଯାଉ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, କେନ୍ଦ୍ରୀୟ ସହଯୋଗ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: କୋଣାର୍କରେ ଥିବା ରାଜ୍ୟ ସରକାରଙ୍କ ସ୍ଥାପତ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଆନ୍ତର୍ଜାତିକ ମାନର ଦକ୍ଷତା ବିକାଶ କେନ୍ଦ୍ରରେ ପରିଣତ କରାଇବାକୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥି ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଆଜି ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଏହି ପ୍ରକଳ୍ପ ସଫଳ ହେଲେ ପଥର କାରିଗରଙ୍କ କେବଳ ଦକ୍ଷତା ବୃଦ୍ଧି ଘଟିବ ନାହିଁ, ବରଂ ଓଡ଼ିଶାର ପୁରାତନ ଐତିହ୍ୟ, ପଥରକଳା କ୍ଷେତ୍ରରେ ନୂଆ ପିଢ଼ିକୁ ଏହି ବୃତ୍ତି ପ୍ରତି ଆକର୍ଷିତ କରିବ। ଓଡ଼ିଶାର ପଥରରେ କଥା କହିବା ପରି ସୂକ୍ଷ୍ମ କାରୁକାର୍ଯ୍ୟର ନୈପୁଣ୍ୟତାକୁ ଏହି ଆନ୍ତର୍ଜାତିକ ମାନର ଅନୁଷ୍ଠାନ ବିଲୁପ୍ତ ହେବାକୁ ନ ଦେଇ ଆଗକୁ ବଢ଼ାଇବାରେ ସଫଳ ହେବ। ସେ ଆହୁରି କହିଛନ୍ତି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଓସିଏଲ୍‌ କୋଣାର୍କରେ ଯାତ୍ରୀ ସୁବିଧା ପାଇଁ ଅର୍ଥ ବିନିଯୋଗ କରିଛନ୍ତି। ୟୁନେସ୍କୋ ମାନ୍ୟତାପ୍ରାପ୍ତ ଏହି ପର୍ଯ୍ୟଟନସ୍ଥଳୀ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଜୀବନ ଜୀବିକା ଓ ରୋଜଗାରର ପନ୍ଥା ଯୋଗାଇ ଆସୁଛି। ଆନ୍ତର୍ଜାତିକ ମାନର ପର୍ଯ୍ୟଟନ ସୁବିଧା ଯୋଗାଇ ଦିଆଯିବା ଦ୍ୱାରା ଏହି ପର୍ଯ୍ୟଟନସ୍ଥଳୀ ପ୍ରତି ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ। ଓଡ଼ିଶାର ମନ୍ଦିର ସମୂହ ରାଜ୍ୟର ପୁରାତନ ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତିନିଧି ଓ ଓଡ଼ିଆ ସ୍ଥପତିଙ୍କ ପ୍ରତିଭାର ପରିଚୟ। ସେହି ପରମ୍ପରାକୁ ଓଡ଼ିଶାର ଶିଳ୍ପୀକୂଳ ଏବେ ବି ବଞ୍ଚାଇ ରଖିଥିଲା ବେଳେ ଆଧୁନିକ ଓ ସମୟୋପଯୋଗୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ସ୍ଥାପତ୍ୟ ଅନୁଷ୍ଠାନ ସଫଳ ହେଲେ ସ୍ଥାନୀୟ ଅଞ୍ଚଳ ଓ ଓଡ଼ିଶା ଲାଭବାନ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର