ଧଳସାମନ୍ତଙ୍କୁ ଟିଟୋ ଚେକ୍‌

କାଲା ବାବୁ, ସୟଦ, ସିଂ, ଆଲୋକ ଓ ପରିଜା କାର୍ପଟଦାର

କଟକ : ଧଳସାମନ୍ତ ଭାଇଙ୍କୁ ଚେକ୍‌ ଦେବାକୁ ଟିଟୋକୁ ଅସ୍ତ୍ର କରିଛି ପୁଲିସ୍‌। ଗୋଟିଏ ଗ୍ୟାଙ୍ଗ୍‌କୁ ସଂପୂର୍ଣ୍ଣ ମୂଳପୋଛ କରିବାକୁ ଯାଇ ଅନ୍ୟ ଗ୍ୟାଙ୍ଗକୁ ପ୍ରଶ୍ରୟ ଦେଇ ପୁଲିସ ବିପଜ୍ଜନକ ଖେଳ ଖେଳୁଛି। ମାର୍ଚ୍ଚ ୨୮ ତାରିଖରେ ଟେଣ୍ଡର ଫିକ୍ସିଂ ପାଇଁ ଜଗତପୁରରେ ମହମ୍ମଦ ତାହିର ଅଲ୍ଲୀ ଖାଁଙ୍କୁ ଗୁଳି ମାଡ଼ ପରେ ଏଭଳି ଧାରଣା ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି। କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର୍‌ ଟିଟୋର ସହଯୋଗୀମାନେ ଏଭଳି ଗୁଳିମାଡ଼ କରିଥିବା କୁହାଯାଉଥିଲେ ବି ପୁଲିସ୍‌ ଘଟଣାର ୭ ଦିନ ପରେ ବି କାହାକୁ ଧରିବାରେ ସଫଳ ହୋଇନାହିଁ। ଅନ୍ୟପଟେ ୨୦୧୬ ଜାନୁଆରିରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଏବଂ ସେମାନଙ୍କର ସହଯୋଗୀମାନଙ୍କୁ ଗିରଫ କରିବା ପରେ ଟେଣ୍ଡର ଫିକ୍ସିଂ ହେଉ ନାହିଁ ବୋଲି ପୁଲିସ କରି ଆସୁଥିବା ଦାବି ଏହି ଘଟଣା ପରେ ମିଛ ସାବ୍ୟସ୍ତ ହୋଇଛି।

ସୂଚନାଯୋଗ୍ୟ ଯେ ଧଳସାମନ୍ତ ଭାଇ ନିଜର ଗ୍ୟାଙ୍ଗ ବିସ୍ତାର କରିବା ସହ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ପତିଆରା ବଢାଇବା ପରେ କଟକରୁ ଟିଟୋ ଗ୍ୟାଙ୍ଗ ଏକପ୍ରକାର ଅପସରି ଯାଇଥିଲା। ଟିଟୋର ସହଯୋଗୀମାନଙ୍କ ମଧ୍ୟରୁ ଅନେକ ଧଳସାମନ୍ତଙ୍କ ସହ ହାତ ମିଳାଇଥିବା ବେଳେ ଆଉ କିଛି ନିଜର ସ୍ୱତନ୍ତ୍ର ଗ୍ୟାଙ୍ଗ ଗଢି ଆଗକୁ ବଢିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ଟିଟୋ କିନ୍ତୁ ସିଧାସଳଖ ଭାବେ କୌଣସି ଘଟଣାରେ ମୁଣ୍ଡ ପୂରାଉ ନଥିଲା। କିନ୍ତୁ ଧଳସାମନ୍ତ ଭାଇ କଟକ ଅପରାଧ ସାମ୍ରାଜ୍ୟକୁ ସଂପୂର୍ଣ୍ଣ କବଜା କରିବା ଘଟଣା ବି ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି କଲା।

ଏଭଳି ସ୍ଥିତିରେ ଧଳସାମନ୍ତ ଗ୍ୟାଙ୍ଗକୁ ମୂଳପୋଛ କରିବା ପାଇଁ ପୁଲିସ୍‌ ଏକପ୍ରକାର ମିସନ୍‌ ଆରମ୍ଭ କରିଥିବା ବେଳେ ଏବେ ପୁଣି ଥରେ ଟିଟୋ କଟକ ସହରରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ସେମିନାରି ଛକ ଅଞ୍ଚଳରେ ସୟେଦ ନାମକ ଜଣେ ବ୍ୟକ୍ତି ଟିଟୋର ମୁଖ୍ୟ କାର୍ପଟଦାର ସାଜିଥିବା ବେଳେ ସେଠାକୁ ଟିଟୋର ଭାଇ ରୀତିମତ ଆସିବା ଖବର ରହିଥିଲେ ବି ପୁଲିସ୍‌ କିନ୍ତୁ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟପଟେ ମଙ୍ଗଳାବାଗର ସିଂ, କଲ୍ୟାଣନଗର ଅଞ୍ଚଳର ପରିଜା, ଆଲୋକ ଭଳି କେତେଜଣ ଏବେ ଟିଟୋ ଗ୍ୟାଙ୍ଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ କାଲା ବାବୁ ଆଗରେ ରହି ଗ୍ୟାଙ୍ଗର ନେତୃତ୍ୱ ନେଉଛି। ପୁଲିସର ପରୋକ୍ଷ ସମର୍ଥନ ରହୁଥିବାରୁ ଧଳସାମନ୍ତ ଗ୍ୟାଙ୍ଗକୁ ପଳାଇଥିବା କେତେଜଣ ଏବେ ପୁଣି ଟିଟୋର ଭରସା ଜିତିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଜଗତପୁର ଗୁଳିକାଣ୍ଡ ପଛରେ କାଲା ବାବୁର ପ୍ରମୁଖ ଭୂମିକା ରହିଥିବା ପୁଲିସ ସନ୍ଦେହ କରୁଛି। ପରିବର୍ତ୍ତିତ ସ୍ଥିତିରେ କେବଳ କଟକ ନୁହେଁ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାକୁ ବି କବଜା କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଟିଟୋ। ଏହି ରଣନୀତି ସଫଳ ହେଲେ ଟିଟୋ ହୁଏତ ଅବିଭକ୍ତ କଟକ ଜିଲ୍ଲା ଅପରାଧ ସାମ୍ରାଜ୍ୟର ବାଦଶାହା ସାଜିବ।

ସମ୍ବନ୍ଧିତ ଖବର