ଶେଷରେ ରମଣଙ୍କୁ ନିନ୍ଦା କଲେ ଧର୍ମେନ୍ଦ୍ର

ମହାନଦୀ ପ୍ରସଙ୍ଗରେ ଆତ୍ମରକ୍ଷା ଯୋଜନା

ଭୁବନେଶ୍ୱର: ମହାନଦୀ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହଙ୍କ ବକ୍ତବ୍ୟ ନିନ୍ଦନୀୟ। ମହାନଦୀ ନେଇ ବିଜେପିର ମତ ସ୍ପଷ୍ଟ। ଓଡିଶାର ସ୍ୱାର୍ଥ ସହ ବୁଝାମଣା ହେବାକୁ ଦିଆଯିବ ନାହିଁ। ମହାନଦୀ ପ୍ରସଙ୍ଗରେ ବିଜେଡି ଉଭୟ ଛତିଶଗଡ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟ ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଆଜି ଏମିତି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ମୋଦି ସରକାରଙ୍କର ୪୮ ମାସରେ ଓଡିଶା ପାଇଥିବା ଲାଭକୁ ନେଇ ଏକ ତଥ୍ୟ ସମ୍ବଳିତ ସଚିତ୍ର ପୁସ୍ତକକୁ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକାର୍ପଣ କରିବା ସହିତ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ମହାନଦୀ ପ୍ରସଙ୍ଗରେ ବିଜେପି ଅକଳରେ ପଡିଯାଇଛି। ଦଳ ମୁଣ୍ଡରେ ରାଜ୍ୟ ସ୍ୱାର୍ଥ ବିରୋଧୀ ଛାପ ଲଗାଇ ଉଭୟ କଂଗ୍ରେସ ଓ ବିଜେଡି ପ୍ରଚାର ଚଳାଇଛନ୍ତି। ବିଶେଷକରି ବିଜେଡି ରାଜ୍ୟବ୍ୟାପୀ ଚଳାଇଥିବା ମହାନଦୀ ଆନ୍ଦୋଳନ ବିଜେପିକୁ ଦୋହଲାଇ ଦେଇଛି। ଏଭଳି ପରିପ୍ରେକ୍ଷୀରେ ଆତ୍ମରକ୍ଷା ଲାଗି ମନ୍ତ୍ରୀ ଆଜି ନିଜ ଦଳର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣଙ୍କୁ ନିନ୍ଦା କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ସାମ୍ବାଦିକମାନେ ମହାନଦୀ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶ୍ରୀ ପ୍ରଧାନ କହିଥିଲେ, ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ଡ. ସଂଜୀବ ବାଲିୟାନ ସଂସଦରେ ମଧ୍ୟ ଛତିଶଗଡ ଭୁଲ କରିଛି ବୋଲି କହିଥିଲେ। ତାଙ୍କର ବକ୍ତବ୍ୟକୁ ବିଜେଡି ବିଭିନ୍ନ ସମୟରେ ଦୋହରାଇଥିଲା ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ବିଜେପି ମୂଳରୁ ମତ ଦେଇ ଆସିଛି। ପ୍ରଚଳିତ ନିୟମରେ ଟ୍ରିବ୍ୟୁନାଲ ଗଠନ ହେଲେ ସମାଧାନ ପାଇଁ ଦୀର୍ଘ ସମୟ ନେଉଥିବାରୁ ଏକକ ଟ୍ରିବ୍ୟୁନାଲକୁ ମହାନଦୀ ମାମଲାକୁ ପଠାଇବା ପାଇଁ କେନ୍ଦ୍ର ସରକାର ଆଗ୍ରହୀ ଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଆଗ୍ରହ କାରଣରୁ ମାନ୍ୟବର କୋର୍ଟଙ୍କ ମତ ପରେ ଏବେ ଟ୍ରିବ୍ୟୁନାଲ ଗଠନ ହୋଇ ସାରିଛି। ମନ୍ତ୍ରୀ କହିଥିଲେ, ଶାସକ ବିଜେଡି ଅଧା କଥା କହି ଅଧା କଥା ଲୁଚାଇବାକୁ ଚେଷ୍ଟା କରୁଛି। ୧୮ ବର୍ଷର ରାଜ୍ୟ ସରକାର ହୀରାକୁଦର ତଳ ମୁଣ୍ଡରେ ବାଲଟିଏ ପାଣି ସଂରକ୍ଷଣ କରିବାର ବ୍ୟବସ୍ଥା କାହିଁକି କରିପାରିନାହିଁ ଏହି ଉତ୍ତର ଦେବାରୁ ବଞ୍ଚିବା ପାଇଁ ନିଜର ଅପାରଗତାକୁ ଲୁଚାଇବା ପାଇଁ ଭେଳିକି ରଚନା କରୁଛନ୍ତି । ବିଧାନସଭାରେ ରାଜ୍ୟ ସରକାର ମହାନଦୀର ଅଧେ ପାଣି ସମୁଦ୍ରକୁ ବହି ଯିବା ସମ୍ପର୍କରେ ଦେଇଥିବା ତଥ୍ୟର ସ୍ପଷ୍ଟୀକରଣ କାହିଁକି ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ବିଜେଡିର ଅର୍ଜୁନ ସେଠୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ କଣ ବକ୍ତବ୍ୟ ରଖିଥିଲେ ସେ ସମ୍ବନ୍ଧରେ ବିଜେଡି ମତ ସ୍ପଷ୍ଟ କରୁ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଛତିଶଗଡ ସମ୍ପର୍କରେ ଟ୍ରିବ୍ୟୁନାଲରେ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ମାନିଲେ ଏକକ ଟ୍ରିବ୍ୟୁନାଲ ସପକ୍ଷରେ ଥିଲା କେନ୍ଦ୍ର
ଓଡ଼ିଶାର ଆଗ୍ରହ, କୋର୍ଟଙ୍କ ଆଦେଶ ବଦଳାଇଲା ନିଷ୍ପତ୍ତି
ମୋଦି ସରକାରଙ୍କ ୪ ବର୍ଷର ହିସାବ ରଖିଲେ

ସେହିପରି ମୋଦି ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ଘରେ ଘରେ ପହଞ୍ଚିଥିବା ବେଳେ ନୀତି ସଂସ୍କାର ଯୋଗୁ ଓଡିଶା ଭଳି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଦେଶର ସବୁଠୁ ଅଧିକ ଲାଭବାନ ହୋଇଥିବା ଦର୍ଶାଇ ମନ୍ତ୍ରୀ କେନ୍ଦ୍ରୀୟ ଅନୁଦାନର ପରିସଂଖ୍ୟାନ ରଖିଥିଲେ। କେବଳ ସେତିକି ନୁହେଁ, ଆସନ୍ତା ୫ ତାରିଖରୁ ରାଜ୍ୟ ତମାମ ମୋଦି ସରକାରଙ୍କ ସଫଳତାର ବର୍ତା ପ୍ରଚାର କରା ଯାଇ ଘରେ ଘରେ ପହଞ୍ଚାଯିବ ବୋଲି କହିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଚତୁର୍ଦଶ ଅର୍ଥ କମିସନର ସୁପାରିସ ଆଧାରରେ ୟୁପିଏର ଶେଷ ଚାରି ବର୍ଷରେ ଓଡିଶାକୁ ୮୨ ହଜାର ୧୮୫ କୋଟି ଟଙ୍କାର ସମ୍ବଳ ହସ୍ତାନ୍ତର ହୋଇଛି। ମୋଦିଙ୍କ ପ୍ରଥମ ଚାରି ବର୍ଷରେ ଏହାର ପରିମାଣ ୧ ଲକ୍ଷ ୯୬ ହଜାର ୬୩୨ କୋଟି। ଇ-ନିଲାମୀ ଲାଗୁ କରିବା କାରଣରୁ ଓଡିଶାକୁ କୋଇଲା ବ୍ଲକ ଆବଂଟନରୁ ଲିଜ ଅବଧି ମଧ୍ୟରେ ୪୦ ହଜାର ୫୭ କୋଟି ଓ ଲୁହାପଥର ତଥା ଅନ୍ୟାନ୍ୟ ଖଣିଜ ଦ୍ରବ୍ୟରୁ ୩୧ହଜାର ୭୨୬ କୋଟି ଟଙ୍କା ମିଳିବ। ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ପରିମାଣ ଓଡିଶାର ଖଣିଜ ସମ୍ପଦ ସମ୍ପନ୍ନ ଜିଲ୍ଲାରେ ୪ ହଜାର ୩ ଶହ କୋଟିରେ ପହଞ୍ଚିଲାଣି।

ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ଦଶଟି ଜିଲ୍ଲା ସାମିଲ କରାଯାଇଛି ବୋଲି ସୂଚନା ଦେଇ ମନ୍ତ୍ରୀ କହିଥିଲେ, ଏହି ଜିଲ୍ଲା ଗୁଡିକର ବିକାଶ କାମ ଖୋଦ ପ୍ରଧାନମନ୍ତ୍ରୀଙ୍କ ତତ୍ୱାବଧାନରେ କରାଯାଉଛି। ସେହିପରି ରେଳ ବିକାଶରେ ୟୁପିଏର ଶେଷ ଚାରି ବର୍ଷରେ ୪ ହଜାର ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୋଦିଙ୍କ ଚାରି ବର୍ଷରେ ଏହା ୨୦ ହଜାର ୨୧୩ କୋଟି ଟଙ୍କାକୁ ଛୁଇଁଛି। ୟୁପିଏ ସରକାରଙ୍କ ଦଶ ବର୍ଷରେ ଜାତୀୟ ରାଜମାର୍ଗରେ ୧୩୫୮କିମି ରାସ୍ତା ଯୋଜନା କରାଯାଇଥିଲା। ଏବେ ଚାରି ବର୍ଷରେ ୫୪୪୯ କିମି ରାସ୍ତା ତିଆରି ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀ ପ୍ରଧାନ ଏହି ଅବସରରେ ସ୍ମାର୍ଟ ସିଟି, ପାରାଦୀପ ବନ୍ଦରର ବିକାଶ, ପାରାଦୀପ ବିଶୋଧନାଗାର, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ୧୩ଟି ଜିଲ୍ଲାରେ ୭୭୯ କିମି ବ୍ୟାପି ପାଇପଲାଇନ ସଂପର୍କରେ ସୂଚନା ଦେଇଥିଲେ। ସେହିଭଳି ବରଗଡ ଜିଲ୍ଲାରେ କୃଷି ବର୍ଜ୍ୟରୁ ୨ଜି ଇଥାନୋଲ ଜୈବ ଇନ୍ଧନ କାରଖାନା, ସହରାଂଚଳରେ ଘରେ ଘରେ ରୋଷେଇ ଗ୍ୟାସ ଆଦି ସଂପର୍କରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର