ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର : ପାରଦୀପରେ ବିମାନବନ୍ଦର ନିର୍ମାଣ ହେଉ

ଭୁବନେଶ୍ୱର : ପାରାଦୀପରେ ବିମାନବନ୍ଦର ସ୍ଥାପନା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ବୈଷୟିକ ଓ ଆର୍ଥିକ ଫିଜିବିଲିଟି ସମ୍ପର୍କରେ ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ପାରାଦୀପ ହେଉଛି ପୂର୍ବ ଭାରତର ପ୍ରମୁଖ ବନ୍ଦର। ଗତ ବର୍ଷ ୧୦୦ ମିଲିୟନ୍‌ ଟନ୍‌ରୁ ଅଧିକ ମାଲ୍‌ ପରିବହନ କରିଥିବା ଦେଶର ତିନିଟି ବନ୍ଦର ମଧ୍ୟରେ ପାରାଦୀପ ଅନ୍ୟତମ ଥିଲା। ଏହି ବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଚାଲିଛି ଓ ୨୦୨୦ ସୁଦ୍ଧା ପାରାଦୀପ ବନ୍ଦରରୁ ୩୨୩ ମିଲିୟନ୍‌ ଟନ୍‌ ମାଲ୍‌ ପରିବହନ କରାଯାଇପାରିବା ସହ ଏହା ଦେଶର ସବୁଠାରୁ ବଡ଼ ମାଲ୍‌ ପରିବହନ କରିପାରୁଥିବା ବନ୍ଦରରେ ପରିଗଣିତ ହେବ। ଭାରତ ସରକାର ପାରାଦୀପ ବନ୍ଦରକୁ ସ୍ମାର୍ଟ ପୋର୍ଟ ଇଣ୍ଡଷ୍ଟ୍ରିଆଲ୍‌ ସିଟି ଭାବେ ଘୋଷଣା କରିସାରିଛନ୍ତି। ପାରାଦୀପ ଧୀରେ ଧୀରେ ଓଡ଼ିଶା ଓ ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ ହେବାରେ ଲାଗିଛି। ପାରାଦୀପରେ ବନ୍ଦର ବାଦ୍‌ ୧୫ ଏମ୍‌ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ତୈଳ ବିଶୋଧନାଗାର, ୧୨ ଏମ୍‌ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ପେଲେଟ୍‌ ପ୍ଲାଣ୍ଟ୍‌, ମୋଟ୍‌ ୪ ଏମ୍‌ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଦୁଇଟି ସାର କାରଖାନା ଓ ଗୋଟିଏ ଖାଇବା ତେଲ ବିଶୋଧନାଗାର ରହିଛି। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଅନେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ସେହିପରି ମନ୍ତ୍ରଣାଳୟ ୨୦୨୩-୨୪ ସୁଦ୍ଧା ୩୫୫ଟି ଟିଏମ୍‌ଟି କ୍ଷମତା ବିଶିଷ୍ଟ ମନୋ ଇଥାଇଲ୍‌ ଗ୍ଲାଇକଲ୍‌ ୟୁନିଟ୍‌ ସ୍ଥାପନ କରିବାକୁ ଯାଉଛି। ଏଗୁଡ଼ିକ ଦ୍ୱାରା ଆଗାମୀ ଦିନରେ ପ୍ଲାଷ୍ଟିକ୍‌, ଫେଟ୍‌, ରବର, ସିନ୍ଥେଟିକ୍‌ ୟାର୍ନ ଶିଳ୍ପ ପରି ଅନେକ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ପ୍ରତିଷ୍ଠା ହେବ। ପାରାଦୀପରେ ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାରାଦୀପ ଯାଏଁ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଯାଉଛି।

କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ପାରାଦୀପରେ ଏକ ବିମାନବନ୍ଦର ସ୍ଥାପନ କରା ନ ଗଲେ ଏହି ଭିଜନ୍‌ ପୂରା ହୋଇପାରିବ ନାହିଁ। ପାରାଦୀପରୁ ନିକଟତମ ବିମାନବନ୍ଦର ଭୁବନେଶ୍ୱରରେ ରହିଛି, ଯାହାର ଦୂରତା ପାରାଦୀପ ଠାରୁ ୧୩୫ କିଲୋମିଟର୍‌। ସଡ଼କ ମାର୍ଗରେ ଏଥି ପାଇଁ ତିନି ଘଣ୍ଟା ଲାଗୁଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବିମାନ ବନ୍ଦର ସ୍ଥାପନା ନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ନିଜେ ଏ ନେଇ ଆବଶ୍ୟକ ତଦାରଖ କରିବାକୁ ଶ୍ରୀ ପ୍ରଭୁଙ୍କୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର