ଧାମରାରେ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଧୂଆଁବାଣ!

ଏମ୍‌ଓୟୁରେ ଅଟକିଛି ଏକାଧିକ ପ୍ରକଳ୍ପ -୯ ବର୍ଷ ପରେ ବି ପ୍ରତିଷ୍ଠା ହେଲାନି ଗୋଟିଏ ଶିଳ୍ପ

ଭଦ୍ରକ : ବିଶ୍ବସ୍ତରୀୟ ବନ୍ଦରର ମାନ୍ୟତା ପାଇବାକୁ ଯାଉଛି ଓଡ଼ିଶାର ଧାମରା ବନ୍ଦର। ୩୫ଟି ବର୍ଥ ନିର୍ମାଣର ଲକ୍ଷ୍ୟ ରଖିଥିବା ଏହି ସୁଦୀର୍ଘ ବନ୍ଦରର କଳେବର ଦିନକୁ ଦିନ ସଂପ୍ରସାରିତ ହୋଇଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବର୍ଥ ନିର୍ମାଣ କରାଯାଇ ବନ୍ଦରକୁ ଜାହାଜ ଚଳାଚଳ କରାଯିବାପରେ ଏବେ ୪ଟି ବର୍ଥ କାର୍ଯ୍ୟକ୍ଷମ ହୋଇଛି। ତେବେ, ବନ୍ଦର ବିକାଶକୁ ନେଇ ଏଠାରେ ୪୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ, ବନ୍ଦର କାର୍ଯ୍ୟକ୍ଷମ ହେବାର ୯ ବର୍ଷ ପରେ ବି ଇଞ୍ଚେ ଆଗେଇ ନାହିଁ।

୨୦୦୭ରେ ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଚାନ୍ଦବାଲି ବ୍ଲକର ଧାମରାଠାରେ ଆରମ୍ଭ ହୋଇଥିଲା ଓଡ଼ିଶାର ତୃତୀୟ ବନ୍ଦରର ନିର୍ମାଣ କାମ। ୨୦୧୧ରେ ଏହାକୁ ଲୋକର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ କଂପାନି ଆଗ୍ରହ ପ୍ରକାଶ କରି ଜମି ମଧ୍ୟ କିଣିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୦ରେ ୨୦ରୁ ଅଧିକ ଦେଶୀ ଓ ବିଦେଶୀ କଂପାନି ସହ ୪୦ ହଜାର କୋଟି ଟଙ୍କାର ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ମାତ୍ର ବନ୍ଦର କାର୍ଯ୍ୟକ୍ଷମ ହେବାର ୯ ବର୍ଷ ପରେ ବି ଗୋଟିଏ କଂପାନି ଧାମରାକୁ ଆସିନାହାନ୍ତି। ଜଗତସିଂହପୁର ଜିଲ୍ଲାରେ ଦକ୍ଷିଣକୋରିଆର ସର୍ବବୃହତ ଇସ୍ପାତ କଂପାନି ପୋସ୍କୋକୁ ବିରୋଧ କରାଯିବା ପରେ କଂପାନି ଏଠାରେ ପ୍ରକଳ୍ପ ସ୍ଥାପନ କରିବ ବୋଲି କୁହାଯାଇଥିଲା। ମାତ୍ର ପୋସ୍କୋ ଅରାଜି ହେବା ପରେ ଗୁଜୁରାଟର ‘ଉଇଭର୍ସ ଫେନ୍‌’ କଂପାନି ୬ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରି ଏଠାରେ ଷ୍ଟିଲ କାରଖାନା କରିବ ବୋଲି କହିଥିଲା। ଏଥିପାଇଁ ଧାମରାରେ ୩ ଶହ ଏକର ଜମି ମଧ୍ୟ କିଣାଯାଇଥିଲା। ତେବେ ଉଇଭର୍ସ ଫେନ୍ ଏଥିରୁ ଓହରିଯିବା ପରେ ଏହି ଜମିକୁ ବନ୍ଦର କଂପାନିକୁ ହସ୍ତାନ୍ତର କରାଯାଇଛି। ସେହିପରି ‘କୋଣାର୍କ କ୍ରାନ୍ତି ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କା ବିନିଯୋଗ କରିବ ବୋଲି କହିଥିବାବେଳେ ଚରଦିଆରେ ଜାହାଜ କାରଖାନା ପାଇଁ ‘ସୁରେନ୍ଦ୍ର ଗ୍ରୁପ୍ ଅଫ୍ କଂପାନି ଓ ‘ଭାରତୀ ସିପ୍ୟାଡ’ କଂପାନି ପକ୍ଷରୁ ମିଳିତ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ସେମିତି ଏଲ୍‌ଆଣ୍ଡଟି ପକ୍ଷରୁ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୦ ହଜାର ୨୧୬ କୋଟି ଟଙ୍କା, ବିନାନି ସିମେଣ୍ଟ କଂପାନି ୧୩୦ କୋଟି ଟଙ୍କାରେ ଇଟା ‌କାରଖାନା, ଶ୍ରୀମେଟାଲିକ ପକ୍ଷରୁ ପାୱାର ପ୍ଲା‌ଣ୍ଟ ଓ ରଶ୍ମୀ ମେଟାଲିକ ୩ ହଜାର ୪ ଶହ ୫୬ କୋଟିର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଥିଲେ। ଏମିତି ପ୍ରାୟ ୨୦ରୁ ଅଧିକ କଂପାନି ଧାମରା ବନ୍ଦରାଞ୍ଚଳ ପାର୍ଶ୍ବବର୍ତ୍ତୀ ଇଲାକାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶହ ଶହ ଏକର ଜମି କିଣିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ କଂପାନି ଏ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି। ଯାହାକି ସରକାରଙ୍କ ଶିଳ୍ପାୟନ ପ୍ରକଳ୍ପ ପ୍ରତି ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି। ଭଦ୍ରକ ଜିଲ୍ଲା ମାନ୍ୟତା ପାଇବା ପରେ ସେମିତି କିଛି ଆଖିଦୃଶିଆ ପ୍ରଗତି ହୋଇନାହିଁ।

ବହୁ ପ୍ରତିକ୍ଷୀତ ମେଡିକାଲ କଲେଜଠାରୁ ଆରମ୍ଭ କରି ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା, ଭଣ୍ଡାରିପୋଖରୀରେ ପ୍ରସ୍ତାବିତ ଚିନିକଳ, ଫୁଡ୍ ପାର୍କ, ଟେକ୍ସଟାଇଲ ପାର୍କ ସବୁ କିଛି ଧୂଆଁବାଣ ପାଲଟିଛି। ଏଭଳି ପରିସ୍ଥିତିରେ ଧାମରା ଇଣ୍ଡଷ୍ଟ୍ରିଆଲ ପାର୍କ ବି ସ୍ବପ୍ନରେ ରହିଯିବ ବୋଲି ଜିଲ୍ଲାବାସୀ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର