ଧନ୍‌ତେରସ୍‌ରେ ୫୦ କେଜି ସୁନା ବିକ୍ରି, ୧୮ କୋଟିରୁ ଅଧିକ କାରବାର

ସମ୍ବଲପୁର : ଧନ୍‌ତେରସ୍‌ ପର୍ବ ପାଇଁ ସମ୍ବଲପୁରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଅଳଙ୍କାର ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଧନତେରସ୍‌ରେ ସୁନା, ରୂପା ଓ ଧାତବ ସାମଗ୍ରୀ କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି। ଏହି ବିଶ୍ୱାସ ଲୋକମାନଙ୍କୁ ଟାଣି ଆଣିଛି ଗହଣା ଦୋକାନକୁ। କେବଳ ସେତିକି ନୁହେଁ କଂସା, ପିତ୍ତଳ ଆଦି ବାସନ ଦୋକାନୀମାନେ ବି ଧନତେରସରେ ଭଲ ବେପାର କରିଛନ୍ତି।

ମଙ୍ଗଳବାର ଧନତେରସ ଅବସରରେ ଦିନ ୧୦ଟା ବେଳୁ ସହରର ସମସ୍ତ ଛୋଟବଡ଼ ଗହଣା ଦୋକାନରେ ଲୋକଙ୍କ ଗହଳି ଆରମ୍ଭ ହୋଇଥିଲା। ଦ୍ୱିପ୍ରହର ବେଳକୁ ଭିଡ଼ ବଢ଼ିଥିଲା ଓ ସଂଧ୍ୟାରେ ଦୋକାନ ଗୁଡ଼ିକରେ ଲୋକ ଖୁନ୍ଦି ହୋଇ ଯାଇଥିଲେ। ସମ୍ବଲପୁର ମହାନଗର ଅଞ୍ଚଳରେ ପ୍ରାୟ ୧୦୦ଟି ଛୋଟବଡ଼ ସୁନା ଦୋକାନ ଥିଲାବେଳେ କୌଣସି ଗୋଟିଏ ବି ଫାଙ୍କା ନଥିଲା। ଲୋକେ, ବିଶେଷ କରି ମହିଳାମାନେ ନିଜ ନିଜ ପସନ୍ଦର ଦୋକାନରେ ଭିଡ଼ ଲଗାଇଥିଲେ। ଧନ୍‌ତେରସ୍‌ରେ ଦୋକାନୀମାନେ ବି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ମନଲୋଭା ଅଫର୍‌ ଦେଇଥିଲେ। କିଏ ସୁନାର ଗଢ଼ା ମୂଲ୍ୟ ସଂପୂର୍ଣ ଛାଡ଼ କରିଥିଲା ତ କିଏ ଆଂଶିକ। କିଏ ପୁଣି ଯେତିକି ସୁନା କିଣିଲେ ସେତିକି ଓଜନର ରୂପା ଗହଣା ମାଗଣାରେ ଦେଉଥିଲା। ଆଉ କେହିକେହି ଗଢ଼ା ମୂଲ୍ୟ ବ୍ୟତୀତ ସିଧା ସୁନାର ଦାମ୍‌ରେ ବି ରିହାତି ଦେଉଥିଲେ।

ହୀରା, ରୂପା ଆଦି ଗହଣାରେ ବି ଆକର୍ଷଣୀୟ ରିହାତି ଥିଲା। କିଛି ବଡ଼ ଗହଣା ଦୋକାନୀ ଗ୍ରାହକଙ୍କ ପାଇଁ ଲକି କୁପନ୍‌ର ବ୍ୟବସ୍ଥା କରିଥିଲେ। ସବୁ ଅଫର୍‌ ବ୍ୟତୀତ ନିର୍ଦିଷ୍ଟ କିଛି ଦୋକାନୀ ଗହଣା କିଣୁଥିବା ଗ୍ରାହକଙ୍କୁ ମିଠା, ଡ୍ରାଏ ଫ୍ରୁଟ୍‌ ପ୍ୟାକେଟ୍‌, ଚକୋଲେଟ୍‌ ପ୍ୟାକେଟ୍‌, ଗିଫ୍‌ଟ ଭାଉଚର୍‌, ଫଟକା, ଲଟେରି କୁପନ୍‌ ଆଦି ଉପହାର ରୂପେ ପ୍ରଦାନ କରୁଥିଲେ। କିଛି ଦୋକାନୀ ସ୍କ୍ରାଚ୍‌ କାର୍ଡ ବ୍ୟବସ୍ଥା କରି ନିର୍ଦିଷ୍ଟ ମୂଲ୍ୟର ଗହଣା କିଣୁଥିବା ଗ୍ରାହକଙ୍କୁ ନିଶ୍ଚିତ ଉପହାର ପ୍ରଦାନ କରୁଥିଲେ। ଲକି ଡ୍ର’ର ବିଜେତାଙ୍କ ପାଇଁ ସ୍କୁଟର୍‌, ସୁନା ହାର ଭଳି ଆକର୍ଷଣୀୟ ଉପହାର ରଖା ଯାଇଥିବା ଦେଖିବାକୁ ମିଳିଥିଲା।

ଏକେ ତ ଲୋକଙ୍କ ଇଶ୍ୱର ବିଶ୍ୱାସ, ଦ୍ୱିତୀୟରେ ଧନ୍‌ତେରସ୍‌ ଅବସରରେ ମିଳୁଥିବା ଆକର୍ଷଣୀୟ ଅଫର୍‌ ଲୋକଙ୍କୁ ଟାଣି ଆଣିଥିଲା ଗହଣା ଦୋକାନକୁ। କେହିକେହି ଧନତେରସ୍‌ ଅବସରରେ ନିଜ ବାର୍ଷିକ ନିବେଶ କରି ବଡ଼ ପରିମାଣର ସୁନା ଅଳଙ୍କାର କିଣୁଥିଲେ। ଅନ୍ୟମାନେ ନିଜ ଆବଶ୍ୟକତା ଅନୁଯାୟୀ ଗୋଟିଏ ଦୁଇଟି ଗହଣା କିଣୁଥିଲେ। ସୁନା କିଣିବାର ସାମର୍ଥ୍ୟ ବା ସୁବିଧା ନଥିବା ଅନେକ ଲୋକ ରୂପା ଗହଣା, ରୂପା ମୂର୍ତି, ପିତ୍ତଳ, କଂସା ବା ଅନ୍ୟ ଧାତୁରେ ତିଆରି ପ୍ରତିମା କିଣି ନେଇ ଘରେ ପୂଜା କରିଥିଲେ। ମଙ୍ଗଳବାର ଦିନ ସମ୍ବଲପୁରରେ ହଲ୍‌ମାର୍କ ସୁନା ଗହଣାର ଦାମ ୧୦ ଗ୍ରାମକୁ ୨୯, ୪୯୦ ଟଙ୍କା ଓ ୨୩ କ୍ୟାରେଟ୍‌ ସୁନାର ଦାମ ୨୮, ୫୯୦ ଟଙ୍କା ଥିଲା। ଏହି ଗୋଟିଏ ଦିନରେ ସମ୍ବଲପୁର ମହାନଗରରେ ପ୍ରାୟ ୫୦ କେଜି ସୁନା ଅଳଙ୍କାର ବିକ୍ରି ହୋଇଥିବା ସୂଚନା ମିଳିଛି।

ଏହା ବ୍ୟତୀତ ବହୁ ପରିମାଣର ରୂପା ଅଳଙ୍କାର ମଧ୍ୟ ବିକ୍ରି ହୋଇଛି। ୧୮ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଜଣା ପଡ଼ିଛି। ବୁଢ଼ାରଜା, ଭିଏସ୍‌ଏସ୍‌ ମାର୍ଗ, ଧନୁପାଲି ଅଞ୍ଚଳରେ ରହିଥିବା ବଡ଼ବଡ଼ ଅଳଙ୍କାର ସୋ’ରୁମ୍‌, ବୈଦ୍ୟନାଥ ଛକ, ମାରଓ୍ଵାଡ଼ି ପଡ଼ା, ଦଲେଇପଡ଼ା, ଗେଇଟି ରୋଡ୍‌ ଅଞ୍ଚଳରେ ଥିବା ବିଭିନ୍ନ ପୁରୁଣା ଓ ପ୍ରତିଷ୍ଠିତ ଗହଣା ଦୋକାନ ସମେତ ବିଭିନ୍ନ ସ୍ଥାନରେ ଥିବା କିଛି ଜଣାଶୁଣା ଦୋକାନ ଧନତେରସ ଅବସରରେ ସର୍ବାଧିକ ବ୍ୟବସାୟ କରିଥିବା ଜଣା ପଡ଼ିଛି। ସେହିପରି କଂସାରିପଡ଼ା, ଗୋଲବଜାର ଆଦି ଅଞ୍ଚଳରେ ଥିବା ବାସନ ଦୋକନ ଗୁଡ଼ିକରେ ମଧ୍ୟ ବହୁ ପରିମାଣରେ ଧାତବ ସାମଗ୍ରୀ ବିକ୍ରି ହୋଇଛି।

ଧନ୍‌ତେରସ୍‌ର କିଣାକିଣି କେବଳ ଗହଣା ଦୋକାନରେ ସୀମିତ ହୋଇ ରହି ନାହଁ। ଏହି ଦିନ ଅନେକ ଲୋକ ବିଭିନ୍ନ ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଯଥା ଫ୍ରିଜ୍‌, ଟିଭି, ଓ୍ଵାସିଂ ମେସିନ୍‌, ଏସି, ଲାପ୍‌ଟପ୍‌, ମୋବାଇଲ୍‌ ଆଦି କିଣୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ନିଜ ଦୁଇ ଚକିଆ ବା ଚାରି ଚକିଆ ଯାନ ପୂର୍ବରୁ ବୁକିଂ କରି ଏହି ଦିନ ଡେଲିଭେରି ନେଇଛନ୍ତି। ଧନ୍‌ତେରସ୍‌ରେ କିଛି ନା କିଛି କିଣି ନିଜ ଘରକୁ ସମୃଦ୍ଧ ଓ ସୁନ୍ଦର କରିବା ସମସ୍ତଙ୍କର ଉଦ୍ଦେଶ୍ୟ। ଧନ୍‌ତେରସ୍‌ ସହ ସହରର ଘରେଘରେ ଆଲୋକର ପର୍ବ ଦୀପାବଳି ଆରମ୍ଭ ହୋଇ ଯାଇଛି। ବିଭିନ୍ନ ଦୋକାନ, କୋଠା ଓ ବାସଭବନ ଗୁଡ଼ିକ ରଂଗୀନ ଆଲୁଅରେ ଝଲସିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର