ବଲାଙ୍ଗୀରରେ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶୁଭ ପଡ଼ିଲା : ୧୪ ଜିଲ୍ଲା ପାଇଁ ଏଲ୍‌ପିଜି ଯୋଗାଣ, ବର୍ଷକୁ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ ହେବ

ବଲାଙ୍ଗୀର : ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗୀର ବରକାନିରେ ଭାରତ ପେଟ୍ରୋଲିୟମ୍‌ ପକ୍ଷରୁ ପ୍ରତିଷ୍ଠିତ ହେବାକୁ ଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶୁଭ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିିଲେ ଯେ, ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ ବଟଲିଂ ପ୍ଲାଣ୍ଟ ନିର୍ମାଣ ପାଇଁ ଯେଉଁ ଯୋଜନା ହୋଇଛି, ତାହା ମାର୍ଚ୍ଚ ୨୦୨୦ ସୁଦ୍ଧା ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ କୋଶଳ କଳାମଣ୍ଡଳରେ ସୋମବାର ଆୟୋଜିତ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାୱରଚାନ୍ଦ୍‌ ଗେହଲଟ୍‌ ମଧ୍ୟ ଉପସ୍ଥିତ ଥିଲେ।

ବରକାନି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକାରୀ ହେଲେ ରାଜ୍ୟର ୧୪ଟି ଜିଲ୍ଲାକୁ ଏଲପିଜି ଯୋଗାଣ ଆହୁରି ସହଜ ହେବ। ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଏହି ପ୍ଲାଣ୍ଟରୁ ବାହାରିବ। ସେହିପରି ସ୍ଥାନୀୟ ଯୁବ ଗୋଷ୍ଠୀ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୨୦୧୪ ମସିହାରେ ରାଜ୍ୟର କୋଟିଏ ଘରୁ ମାତ୍ର ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିବା ବେଳେ ଆଜି ଦିନରେ ତାହା ୬୦ ଲକ୍ଷରୁ ଅଧିକ ହୋଇ ସାରିଲାଣି। ବଲାଙ୍ଗୀର ଜିଲ୍ଲାରେ ୨୦୧୪ ସୁଦ୍ଧା ମୋଟ ୪୦ ହଜାର ଘରେ ଏଲପିଜି ଥିବା ବେଳେ ଏବେ ତାହା ୨.୩୧ ଲକ୍ଷ ଘରେ ପହଞ୍ଚିଲାଣି। ୬୦ ବର୍ଷରେ ୪୦ ହଜାର ଓ ୪ ବର୍ଷରେ ୧.୯୧ ଲକ୍ଷ ଏଲପିଜି ଯୋଗାଣ ମୋଦି ସରକାରଙ୍କ କାଯ୍ୟର୍ଦକ୍ଷତାର ପ୍ରମାଣ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ବକ୍ତବ୍ୟରେ କହିଛନ୍ତି। ସେହିପରି ବରଗଡ଼ ଜିଲ୍ଲାରେ କୃଷି ବର୍ଜ୍ୟରୁ ଇନ୍ଧନ କାରଖାନା ଭାରତ ସରକାର ଆରମ୍ଭ କରିବାକୁ ଯାଉଥିବା ବେଳେ ବଲାଙ୍ଗୀରରେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ସେପରି ଏକ ପ୍ରକଳ୍ପ ଜିଲ୍ଲା ଓ ଆଖପାଖ ଜିଲ୍ଲାର ଅର୍ଥନୀତିକୁ ମଜବୁତ୍‌ କରିବ। ଭାରତ ସରକାରଙ୍କ ହାତରେ ଏଲପିଜି ଯୋଗାଣ ଦାୟିତ୍ୱ ସିଧାସଳଖ ଥିବା କାରଣରୁ ଏହି କାଯ୍ୟର୍କ୍ରମ ତ୍ୱରାନ୍ଵିତ ହୋଇଛି। ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଲାଙ୍ଗୀର ଜିଲ୍ଲା ପାଇଁ ୬୬,୯୮୫ ଘର ପାଇଁ ଭାରତ ସରକାର ଅର୍ଥ ଯୋଗାଇଥିବା ବେଳେ ମାତ୍ର ୨୯.୭୧୮ ଘର ବର୍ତମାନ ସୁଦ୍ଧା ପୂରଣ ହୋଇପାରିଛି। ସବୁ ଘରେ ବିଜୁଳି ଲଗାଇବା ପାଇଁ କେନ୍ଦ୍ର ଅର୍ଥ ଦେଇଛି। ମାତ୍ର ବିଜୁଳି ଯୋଗାଣ ମନ୍ଥର।

ବରକାନି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ଗେହଲଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ, ପୂର୍ବ ସାଂସଦ ସଂଗୀତା ସିଂହଦେଓ, ବିପିସିଏଲ୍‌ର ଅଧ୍ୟକ୍ଷ ଡି.ରାଜକୁମାର, ତେଲ କଂପାନିଗୁଡ଼ିକର ମୁଖ୍ୟ ପ୍ରୀତିଶ ଭାରତ, ଆଇ.ଏସ୍‌ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଉପାଧକ୍ଷ୍ୟ ପାଣ୍ଡବ ସାହୁ, ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଗୁଡଭେଲା ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା, ପାଟଣାଗଡ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ମାନସୀମଂଜରୀ ପାଣିଗ୍ରାହୀ, ବେଲପଡ଼ା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ବିପିସିଏଲ୍‌ର ଅଧ୍ୟକ୍ଷ ଡି.ରାଜକୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆଇ.ଏସ୍‌.ରାଓ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ବିପିସିଏଲ୍‌ର ଅଧିକାରୀମାନେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗଦେଇନଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର