ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ଓଡ଼ିଶା ପାଇଁ ସୁଯୋଗ ହାତଛଡ଼ା କରନ୍ତୁନି

ଭୁବନେଶ୍ୱର: ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉପସାଗରୀୟ ଦେଶଗୁଡ଼ିକର ପୁଞ୍ଜିନିବେଶକାରୀଙ୍କ ପୁଞ୍ଜିନିବେଶ ମାମଲାରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଆଗ୍ରହ ପ୍ରକାଶ ପାଇ ନ ଥିଲା। ଫଳରେ ଆଜି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ଚିଠି ଲେଖି ନିଜ ଅସନ୍ତୋଷ ଜାହିର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟବସ୍ଥା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଯେତେ ଅପମାନ ଓ ଲାଞ୍ଛନା ଦେଲେ ବି ସେସବୁକୁ ବିନା ପ୍ରତିବାଦରେ ସହିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ତାଙ୍କ  ଉପରେ ରାଗ ରଖି ଓଡ଼ିଆ ଜାତି ଓ ଓଡ଼ିଶାର ଆଗାମୀ ପିଢ଼ି ପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ରାଜ୍ୟ ହାତଛଡ଼ା ନ କରୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ପାଇଁ ସେ ଆଗ୍ରହୀ ବୋଲି ଜଣାଇବା ସହ ଏଥି ପାଇଁ ସମୟ ମାଗିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏହି ଲମ୍ବା ଚିଠି ଆଜି ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ଉପସାଗରୀୟ ଦେଶଗୁଡ଼ିକର ପୁଞ୍ଜିନିବେଶକାରୀଙ୍କ ସହ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ୟୁଏଇ ଗସ୍ତ କାଳରେ ସେ ଆଲୋଚନା କରିଥିଲେ। ସେମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବାର ବ୍ୟବସ୍ଥା କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିଲେ। ଏହି ପୁଞ୍ଜିନିବେଶକାରୀମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବା ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ତାଙ୍କୁ ସାକ୍ଷାତ କରିବା ନିମନ୍ତେ ଅନୁରୋଧ କରିଥିଲେ। ତାଙ୍କୁ ସାକ୍ଷାତ କରିବା ପାଇଁ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଚାହିଁଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିଲା ନାହିଁ। ଫଳରେ ସେ ସାକ୍ଷାତ କରିପାରୁ ନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ ତାଙ୍କ ନିକଟରେ ଅସହାୟତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଲେଖିଛନ୍ତି।

ସେ ଆହୁରି ଜଣାଇଛନ୍ତି, ଭାରତ କରୁଥିବା ଅଶୋଧିତ ତୈଳ ଆମଦାନୀର ୬୦ ଭାଗ ତୈଳ ଉପସାଗରୀୟ ରାଷ୍ଟ୍ର ସମୂହରୁ ଆସୁଛି। ଭାରତର ଶକ୍ତି ସୁରକ୍ଷା ଉପସାଗରୀୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏହି ରାଷ୍ଟ୍ରଗୁଡ଼ିକର ଖାଦ୍ୟ ସୁରକ୍ଷାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ଚାଷୀର ଆୟକୁ ଦୁଇ ଗୁଣ କରିବାରେ ଏହା ଉଲ୍ଲେଖନୀୟ ଭୂମିକା ନେବ। ଏହାର ସୁଯୋଗ ଓଡ଼ିଶା ପରି କୃଷି ପ୍ରଧାନ ଅର୍ଥନୀତି ରାଜ୍ୟ ନେବା ପାଇଁ ସେ ତାଙ୍କ ଆଡ଼ୁ ଉଦ୍ୟମ ଆରମ୍ଭ କରିଥିଲେ। ଗତ ମେ’ ମାସରେ ୟୁଏଇ ଗସ୍ତ ବେଳେ ସେଠାକାର ପୁଞ୍ଜିନିବେଶକାରୀଙ୍କ ସାମ୍ନାରେ ଓଡ଼ିଶାର ଏହି କ୍ଷେତ୍ରରେ ଭିତ୍ତିଭୂମି, କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଉତ୍ପାଦ କ୍ଷେତ୍ରରେ ଥିବା ସୁବିଧା ସମ୍ପର୍କରେ ସେ ଅବଗତ କରାଇଥିଲେ। କେନ୍ଦ୍ର ମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଚିଠିରେ ଦର୍ଶାଇଛନ୍ତି, ଗତ କିଛି ବର୍ଷରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପତ୍ର ଲେଖିଥିଲେ ସୁଦ୍ଧା କୌଣସି ବି ପତ୍ରର ଉତ୍ତର ମିଳି ନାହିଁ। ବିକାଶର ଲାଭକୁ ଓଡ଼ିଶାର ଯୁବପିଢ଼ି ପାଖରେ ପହଞ୍ଚାଇବା ପାଇଁ ସେ ଗୁଣ୍ଡୁଚି ମୂଷା ପରି ସହଯୋଗ କରିବାକୁ ତତ୍ପର। କିନ୍ତୁ ଛୋଟ ଛୋଟ କଥାରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀମାନେ ତାଙ୍କୁ ଡାକପିଅନ, ବିହାରୀ ତଥା ଅନେକ ଅପମାନସୂଚକ ଶବ୍ଦ ବ୍ୟବହାର କରି ସେମାନେ କି ମାନସିକ ଶାନ୍ତି ପାଉଛନ୍ତି ? ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ଓଡ଼ିଶାର ଜନତାଙ୍କୁ ସମର୍ଥନ ସହ ସେମାନଙ୍କ ଆଶାକୁ ପୂରଣ କରିବାର ଦାୟିତ୍ୱ ନେଇଛନ୍ତି। ହୁଏତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ସେ ବଡ଼ କାମ କରୁଛନ୍ତି। ମାତ୍ର ଦୀର୍ଘ ବର୍ଷର ଜନ ସମର୍ଥନରେ ମସଗୁଲ୍‌ ହୋଇ ତାଙ୍କ ପରି ଏକ ଗୁଣ୍ଡୁଚି ମୂଷାର ଛୋଟ ଉଦ୍ୟମକୁ ହେୟଜ୍ଞାନ କରି ଏହି ଚିଠିଟିକୁ ଅଳିଆ ଗଦାକୁ ନ ଫିଙ୍ଗିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ବ୍ୟକ୍ତିଗତ ସାକ୍ଷାତ ପାଇଁ ଅନୁମତି ଦେଲେ ଉପସାଗରୀୟ ଦେଶ ସମୂହର ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶକାରୀମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବା ପାଇଁ କରିଥିବା ପ୍ରୟାସର ବିସ୍ତତ ସୂଚନା ଦେବେ ବୋଲି ସେ ଉଲ୍ଲେଖ କରିଛନ୍ତି।

ଜବାବ ଦେଲା ବିଜେଡି: ଆନ୍ତରିକତା କମ୍‌, ରାଜନୀତି ଅଧିକ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିକୁ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ପ୍ରେସ ଇସ୍ତାହାରରେ ବିଜେଡି କହିଛି, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ଦେଶ୍ୟ ନୁହେଁ। ବରଂ ୧୮ ତାରିଖରେ ଚିଠି ଲେଖି ଏବଂ ସେ ଚିଠିକୁ ୧୯ ତାରିଖରେ ଗଣମାଧ୍ୟମରେ ପ୍ରସାରିତ କରି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ କରିବା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ଶ୍ରୀ ପ୍ରଧାନ ଚିଠି ଲେଖି ଓ ତାକୁ ଗଣମାଧ୍ୟମକୁ ଦେଇ ହଟଚମଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏଭଳି ଶସ୍ତା ରାଜନୀତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ସ୍ପୃହଣୀୟ ନୁହେଁ। ବିଜେଡି ଦର୍ଶାଇଛି ଯେ  ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ପ୍ରଧାନଙ୍କର ଯଦି ଆନ୍ତରିକତା ଥାଆନ୍ତା, ତା’ହେଲେ ସେ ଏଭଳି ଶସ୍ତା ରାଜନୀତି କରିନଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ କଦର୍ଯ୍ୟ ଭାଷାରେ ଗଣମାଧ୍ୟମ ସମ୍ମୁଖରେ କଟୁ ସମାଲୋଚନା କରି ଶାଳୀନତାର ସୀମା ଲଘଂନ କରିଥିବା ଶ୍ରୀ ପ୍ରଧାନଙ୍କ ଠାରୁ କୌଣସି ଭଲ କଥା ଆଶା କରାଯାଇନପାରେ। ଓଡ଼ିଶାର ପ୍ରଗତି ସଂପର୍କରେ ଲୋକ ଦେଖାଣିଆ ମନ୍ତବ୍ୟ ଦେଇ ଶ୍ରୀ ପ୍ରଧାନ କେବଳ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟ ପ୍ରଗତି ସଂପର୍କିତ କୌଣସି ପ୍ରସଙ୍ଗକୁ କିଭଳି ଠିକଣା ଭାବରେ ଉପସ୍ଥାପନା କରାଯାଏ, ତାହା ଶ୍ରୀ ପ୍ରଧାନ ଜାଣିନାହାନ୍ତି କିମ୍ବା ଜାଣି ସିଆଣିଆ ଭଳି ଆଚରଣ କରୁଛନ୍ତି। ଶ୍ରୀ ଦେବ କହିଛନ୍ତି, ଯଦି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୟୁଏଇ ଗସ୍ତ କାଳରେ ଓଡ଼ିଶାରେ ବିଦେଶ ପୁଞ୍ଜି ନିବେଶ ସହ କୃଷି ଓ ମତ୍ସ୍ୟଜାତ ଦ୍ରବ୍ୟ କ୍ଷେତ୍ରରେ ପ୍ରଚୁର ସୁଯୋଗ ଅଛି ବୋଲି ଅନୁଭବ କଲେ, ତାହା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ। ମାତ୍ର ଏହାକୁ ଠିକଣା ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏହି ପ୍ରସ୍ତାବଟି କେନ୍ଦ୍ର କୃଷି ମନ୍ତ୍ରାଳୟ ମାଧ୍ୟମରେ ଆଣିଥିଲେ ଭଲ ହୋଇଥାନ୍ତା। ତାହା ସେ ନକରି ଏହାକୁ ସେ ଭାଷଣବାଜିରେ ସୀମିତ ରଖିଛନ୍ତି। ସଂପ୍ରତି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ପେଟ୍ରୋଲଜାତ ସାମଗ୍ରୀର ଦରବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ଦରବୃଦ୍ଧି ରାଜ୍ୟର ତଥା ଦେଶର ଅର୍ଥନୀତିକୁ ନକାରାତ୍ମକ ଭାବରେ ମଧ୍ୟ ପ୍ରଭାବିତ କରିଚାଲିଛି। ବିଭାଗୀୟ ମନ୍ତ୍ରୀ ହିସାବରେ ଏ ସଂପର୍କରେ ଯେଉଁ ଦକ୍ଷତା ପ୍ରଦର୍ଶନ କରିବା କଥା, ତାହା ସେ ନକରି ନିଜର ଅପାରଗତାର ପରିଚୟ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଶ୍ରୀ ଦେବ କହିଛନ୍ତି, ଶ୍ରୀ ପ୍ରଧାନ ନିଜ ମନ୍ତ୍ରାଳୟର କାମ ସଂପର୍କରେ ବେଶୀ ଧ୍ୟାନ ଦିଅନ୍ତୁ ଏବଂ ଲୋକମାନେ ସାମ୍ନା କରୁଥିବା ଦରବୃଦ୍ଧିର ନିରାକରଣ ନିମନ୍ତେ ଠୋସ୍‌ ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର