ପୁରୀ ବଗଲା ଧର୍ମଶାଳାରେ ରେଳ ସଂରକ୍ଷଣ କେନ୍ଦ୍ରକୁ ୨୪ ଘଣ୍ଟିଆ କରାଯାଉ

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁରୀସ୍ଥିତ ବଗଲା ଧର୍ମଶାଳାରେ ଥିବା ରେଳ ରିଜର୍ଭେସନ୍‌ କେନ୍ଦ୍ରକୁ ସପ୍ତାହରେ ସାତ ଦିନ ପାଇଁ ଖୋଲା ରଖିବା ସହ ୨୪ ଘଣ୍ଟିଆ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଚିିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଏହି ଅନୁରୋଧ ସମ୍ବଳିତ ଅନେକ ପତ୍ର ତାଙ୍କୁ ପୁରୀର ଲୋକମାନଙ୍କ ସହ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ନିକଟରୁ ଆସିଛି। ପୁରୀରେ ବଗଲା ଧର୍ମଶାଳାରେ ଥିବା ରେଳ ରିଜର୍ଭେସନ୍‌ କେନ୍ଦ୍ର ବର୍ତ୍ତମାନ କିଛି ଘଣ୍ଟା ପାଇଁ ଚାଲୁଛି। ଏହାକୁ ସପ୍ତାହର ସାତ ଦିନ ଓ ୨୪ ଘଣ୍ଟା ଧରି ଚାଲୁ ରଖାଯିବାର ବ୍ୟବସ୍ଥା କରାଗଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଓ ତୀର୍ଥଯାତ୍ରୀମାନେ ଲାଭବାନ ହୋଇପାରିବେ। ଚଳିତ ବର୍ଷ ଜୁଲାଇ ୧୪ରେ ରଥଯାତ୍ରା ପଡ଼ୁଥିବାରୁ ଓ ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଉଥିବାରୁ ଏହି ସୁବିଧା ବଗଲା ଧର୍ମଶାଳାରେ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର