ଭୁବନେଶ୍ୱର : କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାରଦିନ ଲୋକସେବା ଭାବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର କେତେକ ବରିଷ୍ଠ ଅଧିକାରୀ ଓ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଏଥିସହ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ସାତୋଷୀ ସୁଜୁକି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଜାପାନୀ ଶିଳ୍ପପତି ଅର୍ଥ ନିବେଶ କରିବା ପ୍ରସଙ୍ଗ ଆଲୋଚନା ହୋଇଥିବା ସୂଚନା ରହିଛି।
ଏହି ଅବସରରେ ଜାପାନର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଜାପାନୀ ପ୍ରତିନିଧିମଣ୍ଡଳୀ ଆସନ୍ତା କାଲି କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଧିଭାବେ ଅଂଶଗ୍ରହଣ କରିବେ। କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରସିକା ଚୌବେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ ।
ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀ ପ୍ରଧାନ ପୋସ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜୋଙ୍ଗ-ଉ ଚୋଇଙ୍କୁ ସାକ୍ଷାତ କରି ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଦୁଇଦିନ ବ୍ୟବଧାନରେ ଶ୍ରୀ ପ୍ରଧାନ ପୋସ୍କୋ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଗୁରୁତ୍ୱ ବହନ କରୁଛି । ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୧୨ ନିୟୁତ ଟନର ଏକ ଇସ୍ପାତ ପ୍ରକଳ୍ପ କରିବାକୁ ୨୦୦୪ରେ ପୋସ୍କୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା । କିନ୍ତୁ ଜମି ଅଧିଗ୍ରହଣରେ ସମସ୍ୟା ଓ ଖଣି ଆବଣ୍ଟନ ସମସ୍ୟାକୁ ନେଇ ପୋସ୍କୋ ଓଡ଼ିଶା ଛାଡ଼ିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/27-2-20206.jpg)