ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଭେଟ : ଓଡ଼ିଶାର ବିକାଶ ଲାଗି ମିଳିତ ଭାବେ କାମ କରିବେ କେନ୍ଦ୍ର ଓ ରାଜ୍ୟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ବହୁପ୍ରତୀକ୍ଷିତ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ଏହି ବୈଠକକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ମାତ୍ର ଏହା ସଂପୂର୍ଣ୍ଣ ଅଣ-ରାଜନୈତିକ ଓ ସୌଜନ୍ୟମୂଳକ ଥିଲା ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନଠାରେ ନବୀନଙ୍କ ସହ ବୈଠକ ଶେଷରେ ଧର୍ମେନ୍ଦ୍ର କହିଛନ୍ତି, ‘ଏହି ବୈଠକ ନିରୋଳା ସୌଜନ୍ୟମୂଳକ ଥିଲା। ରାଜ୍ୟର ବିକାଶ ପାଇଁ ଗଠନମୂଳକ ଆଲୋଚନା ଆମେ କରିଥିଲୁ। କୌଣସି ରାଜନୈତିକ ବିଷୟ ଆଲୋଚନା ହୋଇନାହିଁ।’

ଏହି ବୈଠକ ଅପରାହ୍ନ ୬ଟାରୁ ଆରମ୍ଭ ହୋଇ ୬ଟା ୪୫ ମିନିଟ୍‌ରେ ଶେଷ ହୋଇଥିଲା। ଉଭୟଙ୍କ ମଧ୍ୟରେ ବେଶ ସୌହାର୍ଦ୍ଦ୍ୟମୂଳକ କଥାବାର୍ତ୍ତା ହୋଇଥିଲା। ଆଲୋଚନା ବେଳେ ନିର୍ବାଚନ ବେଳର ତିକ୍ତତା ନ ଥିଲା। ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନବୀନଙ୍କୁ ଧର୍ମେନ୍ଦ୍ର ଅଭିନନ୍ଦନ ଜଣାଇ ଥିଲେ। ଅନ୍ୟ ପକ୍ଷରେ ନବୀନ ମଧ୍ୟ ଧର୍ମେନ୍ଦ୍ରଙ୍କୁ ପୁଣି ଥରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଗତ ନିର୍ବାଚନ ବେଳେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯେଉଁ କଡ଼ା ମୁକାବିଲାମୂଳକ ମନୋଭାବ ପ୍ରକାଶ ପାଇଥିଲା,ତାହା ଏବେ ନରମି ଯାଇଥିବା ମନେ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ଆଲୋଚନା ସମୟରେ ଏହାର ଝଲକ ଦେଖିବାକୁ ମିଳିଥିଲା

ସମ୍ବନ୍ଧିତ ଖବର