ପ୍ରବାସୀ ଓଡ଼ିଆ ରାଜ୍ୟର ଆମ୍ବାସଡର୍‌ ହୁଅନ୍ତୁ: ଧର୍ମେନ୍ଦ୍ର

ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆର ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା

ଭୁବନେଶ୍ବର: ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆରେ ଥିବା ଓଡିଆ ସମୁଦାୟର ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଛନ୍ତି। ଏହି ତିନିଟି ଦେଶରେ ରହୁଥିବା ଓଡିଆମାନଙ୍କୁ ରାଜ୍ୟର ଆମ୍ବାସଡର୍‌ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ। ଏହିମାନେ ହିଁ ବାହାର ଦେଶଗୁଡ଼ିକରେ ଓଡିଶାର ପରିଚୟକୁ ତିଆରି କରିପାରିବେ ଏବଂ ଗ୍ଲୋବାଲ ଆଇଡିଆ ମାଧ୍ୟମରେ ଓଡିଶାକୁ ପୁଞ୍ଜିନିବେଶର ପେଣ୍ଠସ୍ଥଳୀ କରିପାରିବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଓଡିଶାକୁ ଆଗକୁ ନେବା ସହ ରାଜ୍ୟର ପୁଞ୍ଜିନିବେଶ ବଢ଼ାଇ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ କାମ କରିବାକୁ ପଡ଼ିବ। ଓଡିଶାରେ ଅମାପ ଖଣିଜ ସମ୍ପଦ ଭରପୂର ହୋଇ ରହିଥିବାବେଳେ ଏହାର ସୁଯୋଗ ନେବାର ଆବଶ୍ୟକତା ରହିଛି। ବର୍ତମାନ ସମୟରେ ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆରେ ରହୁଥିବା ଲୋକମାନେ ବିଶ୍ୱ ଚିନ୍ତାଧାରାର ସମ୍ବଳକୁ ସଦୁପଯୋଗ କରି ଓଡିଶାକୁ ଆଗକୁ ନେବା ଦରକାର। ଆଗାମୀ ଦିନରେ ଓଡିଶାର ଅର୍ଥନୀତି ପରିବର୍ତନ ହେବା ନିଶ୍ଚିତ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଆ ଲୋକ ପ୍ରଗତିଶୀଳ, ବୁଦ୍ଧିମାନ, ପରିଶ୍ରମୀ। ପୂର୍ବ ଭାରତର ପ୍ରବେଶ ଦ୍ୱାର ହେଉଛି ଓଡିଶା। ପରିସ୍ଥିତି ହିଁ ଲୋକମାନଙ୍କୁ ପରିବର୍ତନ କରେ ଏବଂ ଏଭଳି ସମୟରେ ସମସ୍ତେ ମିଶି ନିଜ ରାଜ୍ୟ ଓ ଦେଶ ପାଇଁ କାମ କରିବା ଏବଂ ସମ୍ଭାବନାକୁ ସୁଯୋଗରେ ପରିଣତ କରିବାର ସମୟ । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡିଆ ଲୋକମାନେ ହିଁ ଓଡିଶାକୁ ପୁନଃନିର୍ମାଣ କରିବାର ଦାୟିତ୍ୱ ନେବା ଦରକାର। କଳିଙ୍ଗ ଯୁଦ୍ଧରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ । ଓଡିଆ ଲୋକଙ୍କ ଭଲପାଇବା, ସାହସ ଦ୍ୱାରା ହିଁ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ସମଗ୍ର ଭାରତବର୍ଷରେ ବାତ୍ୟା ପ୍ରବଣ ଅଂଚଳ ପାଲଟିଥିବା ଓଡିଶା ମଧ୍ୟ ବଡ଼ ବଡ ପ୍ରାକୃତିକ ବିପର୍ଯ୍ୟକୁ ସାମ୍ନା କରୁଛି। ତେଣୁ ଓଡିଶାକୁ ବିଶ୍ୱରେ ଆଗକୁ ନେବାର ଅନେକ ସମ୍ଭାବନା ରହିଛି। ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ପରି ଓଡିଶାରେ ମଧ୍ୟ ପୂର୍ବକାଳରୁ ବିଜ୍ଞାନ ସହ ଧର୍ମକୁ ଯୋଡ଼ା ଯାଇ ସ୍ୱଚ୍ଛତାକୁ ଗୁରୁତ୍ୱାରୋପ କରାଯାଇଛି । ଓଡିଆଙ୍କ ପର୍ବ ଓ ପର୍ବାଣୀରେ ସ୍ୱଚ୍ଛତାକୁ ଧ୍ୟାନ ଦିଆଯାଇଛି । ମାର୍ଗଶୀର ଗୁରୁବାରରେ ସକାଳୁ ମା’ ଭଉଣୀ ମାନେ ସକାଳୁ ଉଠି ଘର ସଫା କରନ୍ତି ଏବଂ ଏହା ହିଁ ସ୍ୱଚ୍ଛତାର ବିଜ୍ଞାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ତିନୋଟି ଦେଶ ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆରେ ରହୁଥିବା ଓଡିଆମାନେ ସେଠାକାର ସ୍ଥିତି ଓ ବର୍ତମାନର ଅବସ୍ଥାକୁ କହିଥିଲେ। ଆଲୋଚନାରେ ଚୀନରୁ ଦେବାଶିଷ ବିଶ୍ୱାଳ, ଆଦିତ୍ୟ କୁମାର, ରଞ୍ଜିତ କୁମାର ପଟ୍ଟନାୟକ, ମୋନାଲିସା, ସବ୍ୟସାଚୀ ମହାପାତ୍ର, ଜୟଦୀପ ମହାନ୍ତି, ବି.ବି. ଦାସ, ବିଶ୍ୱନାଥ ସେଠୀ, ଦିଲ୍ଲୀପ ବେଉରା, ଜୁଲୁଧନ ଜେନା ଓ କାଶୀନାଥ ସାହୁ ଅଂଶଗ୍ରହଣ କରିଥିଲା ବେଳେ ଜାପାନରୁ ବିକାଶ ମହାନ୍ତି, ସ୍ୱାଧୀନ ବେହେରା, ସୁଧୀର ମିଶ୍ର. ଚୌଧୁରୀ ରୁଦ୍ର ଚରଣ ମହାନ୍ତି, ମୁନିଦ୍ରା ପଣ୍ଡା, ଜ୍ଞାନେନ୍ଦ୍ର ମିଶ୍ର, ବିଶ୍ୱଜିତ ଦାସ, ଲକ୍ଷ୍ମୀକାନ୍ତ ମହାନ୍ତି, ଜିତେନ୍ଦ୍ର ମହାରଣା, ଭାଗିରଥୀ ବେହେରା ଏବଂ ଦକ୍ଷିଣ କୋରିଆରୁ କେପିଏସଏସ ହେମ୍ବ୍ରମ, ସଞ୍ଜିତ ମନହୋର ମାଝୀ, ଅଜୟ କୁମାର ସାହୁ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର