୧୧୫ ଆକାଂକ୍ଷୀ ଜିଲ୍ଲାର ବିକାଶ କାମରେ ଲାଗୁ ରୋଟାରି ସଂଗଠନ: ଧର୍ମେନ୍ଦ୍ର

ବିଭିନ୍ନ ଦେଶର ରୋଟାରି ସଂଗଠନ ପ୍ରତିନିଧିଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କରିଛନ୍ତି । ସମଗ୍ର ଦେଶରେ ୧୧୫ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ କରାଯାଉଛି। ଆକାଂକ୍ଷୀ ଜିଲ୍ଲା ଗୁଡିକ ବିକାଶ ହେଲେ ହିଁ ଦେଶର ଆର୍ଥିକ ବିକାଶ ସମ୍ଭବ। ରୋଟାରି ସଂଗଠନ ଏହି ସବୁ ପଛୁଆ ଜିଲ୍ଲାର ଦାୟିତ୍ୱ ନେବା ସହ ଏହାର ବିକାଶ କାମରେ ନିୟୋଜିତ ହେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ରୋଟାରି ସଂଗଠନକୁ ଆହ୍ୱାନ ଦେଇଛନ୍ତି ।

ଭାରତ ସମେତ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଓ ଅନ୍ୟାନ୍ୟ ଦେଶର ରୋଟାରି ସଂଗଠନର ୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଶ୍ରୀ ପ୍ରଧାନ ଆଜି ଆଲୋଚନା କରିଥିଲେ। ସେ କହିଥିଲେ ଯେ ବିଶ୍ୱର କୋଭିଡ-୧୯ ସଂକଟ ସମୟରେ ରୋଟାରି ସମାଜ ଭାରତରେ ଯେଉଁ ଭଳି ଭାବେ ଲୋକମାନଙ୍କ ପାଇଁ କାମ କରୁଛନ୍ତି ତାହା ପ୍ରଶଂସନୀୟ । ବିଶେଷ ଭାବରେ ଦେଶରେ ଚ୍ୟାଲେଞ୍ଜ ଆସିଲେ ରୋଟାରି ସଂଗଠନ ପ୍ରସ୍ତୁତି ଓ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରିବା ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ମଧ୍ୟ ସଂଗଠନ ପକ୍ଷରୁ ଦାନ କରାଯାଇଛି । ବିଗତ ଦୁଇ ମାସରେ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶରେ ଦକ୍ଷତା ଏବଂ ଅର୍ଥନୀତି ସେତେ ପର୍ଯ୍ୟନ୍ତ ବିକାଶ ହେବ ନାହିଁ ଯେ ପର୍ଯ୍ୟନ୍ତ ୧୮ ରୁ ୬୦ ବର୍ଷ ବୟସର ଲୋକମାନେ ନିଜର କାମରେ ଭଲ ଦକ୍ଷତାର ପରିପ୍ରକାଶ କରିବେ ନାହିଁ । ରୋଟାରି ସଂଗଠନ ଦକ୍ଷତାର ନୂଆ ଅଭିନବ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ବିକାଶ କରିବା କାମରେ ଲାଗୁ । ସେହିପରି ପିଲାଙ୍କ ଇ-ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ । ୧୯୧୮ ମସିହା ସ୍ପାନିଶ ଫ୍ଲୁ ସମୟରେ ଯେଉଁ ଦେଶ ଅର୍ଥନୀତିକୁ ଧ୍ୟାନ ନ ଦେଇ ଲୋକଙ୍କ ଜୀବନ ରଖିବାକୁ ପ୍ରଧାନ୍ୟ ଦେଇଥିଲେ ପରବର୍ତୀ ସମୟରେ ସେ ଦେଶର ଅର୍ଥନୀତି ଦୃଢ ହୋଇଥିଲା । ସେହି ପରିପ୍ରେକ୍ଷୀରେ ମୋଦୀ ସରକାର ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସୁରକ୍ଷାକୁ ପ୍ରଥମେ ପ୍ରଥମେ ଗରିବ କଲ୍ୟାଣ ପ୍ୟାକେଜ ଏବଂ ପରବର୍ତୀ ପର୍ଯ୍ୟାୟରେ ଅର୍ଥନୀତିକୁ ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନିଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି । ଚାଷୀ, ଦିବ୍ୟାଙ୍ଗଙ୍କୁ ଟଙ୍କା ଓ ଡିବିଟି ମାଧ୍ୟମରେ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ସିଧାସଳଖ ଟଙ୍କା ପଠାଯାଉଛି। ସମସ୍ତେ ମିଶି ଏହି କରୋନା ରୂପୀ ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ଭାରତ ରୋଟାରି ସଂଗଠନର ପ୍ରମୁଖ ଶେଖର ମେହେତା ଓ ରମେଶ ଅଗ୍ରୱାଲ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ସହ ଆକାଂକ୍ଷୀ ଜିଲ୍ଲାର ବିକାଶ କରିବା ଏବଂ ପିଲାଙ୍କ ଇ-ଶିକ୍ଷା କାମରେ ଲାଗିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ପରାମର୍ଶକୁ ସଂଗଠନର ପ୍ରତିନିଧିମାନେ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର