ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର : ଲାଞ୍ଚ ମାଗିଲେ ତୁରନ୍ତ ଜଣାଅ

ଉଜ୍ଜଳା ମହାଦୁର୍ନୀତିରେ କିଏ କିଏ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ କୁହନ୍ତୁ: ବିଜେଡି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଏଲ୍‌ପିଜି ସଂଯୋଗ ପାଇଥିବା ୧୮ହଜାରରୁ ଅଧିକ ମହିଳା ହିତାଧିକାରୀଙ୍କ ସହ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ, କୋରାପୁଟ, ଅନୁଗୁଳ, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାର ୨୫ଜଣ ହିତାଧିକାରୀଙ୍କ ସହ ସିଧାଳସଳଖ ଆଲୋଚନା କରି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ହିତାଧିକାରୀଙ୍କୁ କହିଥିଲେ ଯେ, ଉଜ୍ଜଳା ଯୋଜନାରେ ଯଦି କେହି ଲାଞ୍ଚ ମାଗୁଛି ତେବେ ତୁରନ୍ତ ଜଣାନ୍ତୁ। ଯଦି କେହି ବିତରକ ଦଲାଲି କରୁଛି ସେନେଇ ଅଭିଯୋଗ କରନ୍ତୁ। ବିତରକଙ୍କୁ ଜେଲ୍ ପଠାଯିବ।

ଏହାସହ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ଏଲ୍‌ପିଜି ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ କହିଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୫୩ଲକ୍ଷ ପରିବାରକୁ ନୂଆ ଏଲ୍‌ପିଜି ସଂଯୋଗ ଦିଆଯାଇଥିବାବେଳେ ସେଥିରୁ ଉଜ୍ଜଳା ଯୋଜନାରେ ୩୪ଲକ୍ଷ ସଂଯୋଗ ଦିଆଯାଇଛି। ଭିଡିଓ କନ୍‌ଫରେନ୍ସିଂ ସମୟରେ ଶ୍ରୀ ପ୍ରଧାନ ଆହୁରି କହିଥିଲେ, ୨୦୧୪ ସୁଦ୍ଧା ସାରା ଦେଶରେ ୧୩ କୋଟି ଏଲ୍‌ପିଜି ସଂଯୋଗ ଦିଆଯାଇଥିଲା ବେଳେ ଏବେ ଏହା ୨୩ କୋଟିରେ ପହଞ୍ଚିଛି। ଉଜ୍ଜଳା ଯୋଜନାରେ ମୋଦୀ ସରକାର ସାଢ଼େ ୫ କୋଟିରୁ ଅଧିକ ପରିବାରରେ ମାଗଣାରେ ଗ୍ୟାସ୍‌ ସଂଯୋଗ ପହଞ୍ଚ‌ାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ଳା ଯୋଜନା ଆଜି ଜନଆନ୍ଦୋଳନରେ ପରିଣତ ହୋଇଛି। ଏଲ୍‌ପିଜି ବ୍ୟବହାର ସମୟରେ ସୁରକ୍ଷା ଦିଗ ପ୍ରତି ସଜା ରହିବା ମହିଳା ହିତାଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂକୁ ସମାଲୋଚନା କରିଛି ବିଜେଡି। ଦଳରି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଉଜ୍ଜଳା ଯୋଜନାର ମହାଦୁର୍ନୀତିରୁ ନଜର ଏଡ଼ାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଫଳ ପ୍ରୟାସ କରିଛନ୍ତି। ଉଜ୍ଜଳା ଯୋଜନାରେ ଦୁର୍ନୀତି ହୋଇଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଭିଯୋଗ ଆସିଛି। କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହାକୁ ମାନିନେଇଛନ୍ତି। ନିଜର ମଳିନ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଯେଉଁ ଅପଚେଷ୍ଟା କରିଥିଲେ ତାହା ଫସର ଫାଟି ଯାଇଛି। ଏହି ଯୋଜନାରେ ୩୦ଲକ୍ଷ ହିତାଧିକାରୀ ଓଡ଼ିଶାରେ ଥିବାବେଳେ ୨୪ଲକ୍ଷ ରନ୍ଧନ ଗ୍ୟାସ୍ ସିଲିଣ୍ଡର ରିଫିଲିଂ ନହେବା ଏହି ଯୋଜନାର ବିଫଳତା। ତେଣୁ ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ବାନ କରୁଛି ଏହି ମହାଦୁର୍ନୀତିରେ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ଏହି ଦୁର୍ନୀତିର ଚେର କେଉଁ ଯାଏ ଲମ୍ବିଛି ତାହା କେନ୍ଦ୍ରମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଣାନ୍ତୁ।

ସମ୍ବନ୍ଧିତ ଖବର