ସାମାଜିକ ନ୍ୟାୟର ବଡ଼ ପଦକ୍ଷେପ: ଧର୍ମେନ୍ଦ୍ର

ଓବିସି କମିସନ୍‌ଙ୍କୁ ସାମ୍ବିଧାନିକ ମାନ୍ୟତା ପାଇଁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନରେ ଓବିସି କମିସନ୍‌ ବିଲ୍‌ ଗୃହୀତ ହୋଇଛି। ଏଥି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ମୋର୍ଚ୍ଚାର କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିଥିଲେ। ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଥିଲେ, ଦୀର୍ଘ ବର୍ଷ ଧରି କଂଗ୍ରେସ ଶାସନରେ ଥାଇ ପଛୁଆ ବର୍ଗଙ୍କୁ ଅଣଦେଖା କରି ଆସିଛି। ସେମାନଙ୍କ ପାଖରେ ମୌଳିକ ସେବା ପହଞ୍ଚାଇ ପାରି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓବିସି କମିସନ୍‌ଙ୍କୁ ଐତିହାସିକ ସାମ୍ବିଧାନିକ ମାନ୍ୟତା ଦେଇ ପଛୁଆ ଜାତିଙ୍କ ସୁରକ୍ଷା ପାଇଁ କାମ କରିଛନ୍ତି। ଓଡ଼ିଶାର ୫୨ ପ୍ରତିଶତ ପଛୁଆ ବର୍ଗଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଥିଲେ। ମୌସୁମୀ ଅଧିବେଶନରେ ଏପରି ଯୁଗାନ୍ତକାରୀ ପଦକ୍ଷେପ ସହ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସୁରକ୍ଷା ପାଇଁ ଏସ୍‌ସି/ଏସ୍‌ଟି ବିଲ୍‌ରେ ଆବଶ୍ୟକ ସଂଶୋଧନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସାରା ଦେଶରେ ଅଗଷ୍ଟ ୧୫ରୁ ୩୧ ତାରିଖ ଯାଏଁ ସାମାଜିକ ନ୍ୟାୟ ପକ୍ଷ ପାଳନ ହେବ। ବିଜେପି ତରଫରୁ ଓଡ଼ିଶାରେ ମଧ୍ୟ ଏହାକୁ ଜାତି, ଜନଜାତି ଓ ଓବିସି ମୋର୍ଚ୍ଚା ପକ୍ଷରୁ ମହାସମାରୋହରେ ପାଳନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର