ବେବିନାଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର

ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଓ ସିବିଆଇ ତଦନ୍ତ ଦାବି, ବିଜେଡି ଗୁଣ୍ଡା ଧମକ ଦେଇଥିବା ଅଭିଯୋଗ

ଭୁବନେଶ୍ବର : ପିପିଲିର ଗୁଣଦୁ‌ଷ୍କର୍ମ ପୀଡ଼ିତା ବେବିନାର ପରିବାର ଲୋକଙ୍କୁ ଆଜି ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରୁ ଫେରି ସେ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ପରିବାରକୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କୁ ନିବେଦନ କରିଛନ୍ତି। ସୁରକ୍ଷା ପ୍ରସଙ୍ଗରେ ସେ ପୁଲିସ୍ ଡିଜିଙ୍କ ସହ ମଧ୍ୟ କଥା ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ସଙ୍ଗୀନ୍ ଅଭିଯୋଗ କରିଛନ୍ତି ଯେ ପୀଡ଼ିତାଙ୍କ ପରିବାରକୁ ଭେଟି ଫେରୁଥିଲା ବେଳେ ଦୟାନଦୀ ବନ୍ଧ ଉପରେ ଶାସକ ବିଜେଡିର ଗୁଣ୍ଡାମାନେ ପୀଡ଼ିତାଙ୍କ ବାପା ବାବୁଲି ବେହେରା ପରିବାରକୁ କେହି ବଞ୍ଚାଇପାରିବେ ନାହିଁ ବୋଲି ଖୋଲାଖୋଲି ଧମକ ଦେଲେ। ପୁଲିସ୍ ଉପସ୍ଥିତିରେ ହିଁ ଏହି ଧମକ ସେମାନେ ଦେଲେ। ଗତକାଲି ପ୍ରଧାନମନ୍ତ୍ରୀ ବାରିପଦାର ସାଧାରଣ ସଭାରେ ବେବିନା ପ୍ରସଙ୍ଗ ଉଠାଇବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଯାଇଥିଲେ। ମା’ର କୋହ, ବା‌ପା ଓ ଭାଇଙ୍କ ଦୁଃଖ ଭରା କଥାକୁ ଶୁଣି ସେ ମର୍ମାହତ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମ୍ପୂର୍ଣ୍ଣ ପରିବାର ଓଡ଼ିଶା ପୁଲିସ ବ୍ୟବସ୍ଥା ଉପରେ ଭରସା ହରାଇଛି। ସିବିଆଇ ତଦନ୍ତ ଦାବି ବେବିନାର ମା’ କରୁଛନ୍ତି। ବେବିନାର ଭାଇ ସେଦିନର ଦୁର୍ଘଟଣା ପରେ ରକ୍ତ ଜୁଡ଼ୁବୁଡ଼ୁ ପୋଷାକକୁ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଥିଲେ ମଧ୍ୟ ସେମାନେ ନେଇ ନ ଥିଲେ। ଏହି ପୋଷାକକୁ ତାଙ୍କ ଭାଇ ତଦନ୍ତ କମିସନ୍‌ଙ୍କ ପାଖରେ ‌େଦଇଛନ୍ତି। ଏପରିକି ସରକାରୀ ଓକିଲ କ୍ରାଇମ୍‌ବ୍ରାଞ୍ଚର କଥାକୁ ନ ମାନିଲେ ତାଙ୍କ ପାଇଁ ସମସ୍ୟା ହେବ ବୋଲି କହିଥିବା କଥା ପରିବାର ଲୋକ ଜଣାଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଶାର କ୍ରାଇମ୍‌ବ୍ରାଞ୍ଚ୍ ଶାସକ ଦଳ ନେତାଙ୍କୁଘଣ୍ଟ ଘୋଡ଼ାଇବାର ନୂଆ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ପୁଲିସ୍ ରକ୍ଷକ ବଦଳରେ ଭକ୍ଷକ ସାଜିଛି। ପୁଲିସ୍ ଆଦୌ ସମ୍ବେଦନଶୀଳ ହେଉ ନାହିଁ। ରାଜ୍ୟର ଏହି ଦଳିତ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ନିଜ ଆଡ଼ୁ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ମହାରଥୀଙ୍କ ଇସ୍ତଫା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି, ଯେଉଁମାନେ ବିଗତ ଦିନରେ ମନ୍ତ୍ରିମଣ୍ଡଳରୁ ଚିଟ୍‌ଫଣ୍ଡ୍‌, ଛତୁଆ, ଡାଲି, ବ୍ଲାକ୍‌ରୋଜ୍ ଓ ଅନ୍ୟାନ୍ୟ କେଳେଙ୍କାରି କାରଣରୁ ଇସ୍ତଫା ଦେଇଛନ୍ତି, ସେମାନେ ଏବେ ସରକାରଙ୍କ ମୁଖ୍ୟ କାର୍ପଟଦାର ସାଜିଛନ୍ତି।

ସମ୍ବନ୍ଧିତ ଖବର