ଫନି ମୁକାବିଲା ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ, ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଚଟାଣ ଭଳି ଛିଡ଼ା ହୋଇଛି

ପୁରୀ : ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ କ୍ଷତି ମାତ୍ରା ବ୍ୟାପକ। ଏହି କ୍ଷୟକ୍ଷତିର ମୁକାବିଲା ଓ ଭରଣା ଦିଗରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପଛରେ ଛିଡ଼ା ହୋଇଛନ୍ତି। ରାଜ୍ୟର ଆବଶ୍ୟକତାକୁ ବିଚାର କରି ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଏସ୍‌ଆଇର ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଅନୁଧ୍ୟାନ ପରେ ଧର୍ମେନ୍ଦ୍ର କହିଲେ, ଶ୍ରୀମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ‌ହୋଇଛି। ମରାମତି ପାଇଁ ଏଏସ୍‌ଆଇ ଡିଜିଙ୍କ ସହ ଆଲୋଚନା କରିଥିଲି। ଏବେ ମରାମତି କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ସ୍ନାନଯାତ୍ରା ଓ ରଥଯାତ୍ରା ପୂର୍ବରୁ ସମସ୍ତ ମରାମତି କାମ ସାରିଦିଆଯିବ ବୋଲି ଏଏସଆଇ ଅଧିକାରୀମାନେ କହିଛନ୍ତି। ଧର୍ମେନ୍ଦ୍ର ଆହୁରି କହିଲେ, ଫନି ଦ୍ବାରା ବହୁ ଧନଜୀବନ ନଷ୍ଟ ହୋଇଛି। ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ୧୯୯୯ ଭଳି ସ୍ଥିତି ହୋଇନାହିଁ। ବହୁତ କିଛି ରକ୍ଷା କରି ଦେଇଛନ୍ତି ଠାକୁରେ। ଯେତିକି ବି କ୍ଷୟକ୍ଷତି ହୋଇଛି ସେସବୁର ମରାମତି, ପୁନରୁଦ୍ଧାର ତଥା ଭରଣା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ କରୁଛନ୍ତି। ରାଜ୍ୟ ଯାହା ଆବଶ୍ୟକତା ଥିବା ଦର୍ଶାଉଛି, ତାର ତର୍ଜମା କରି କେନ୍ଦ୍ର ଯୋଗାଇ ଦେଉଛି। ଫନି ବିପର୍ଯ୍ୟୟର ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଚଟାଣ ଭଳି ଛିଡ଼ା ହୋଇଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର