ବରୁଣେଇ ଓ ବାଣୀବିହାରରେ ପ୍ରସ୍ତୁତି ସମୀକ୍ଷା କଲେ ଧର୍ମେନ୍ଦ୍ର

ଆଜି ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆସନ୍ତାକାଲି ସେ ବରୁଣେଇ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ଅବ୍ୟବହିତ ପୂର୍ବରୁ ଆଜି ଦୁଇଟି ଯାକ ସଭାସ୍ଥଳକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଲେ, ଆସନ୍ତାକାଲି ସମସ୍ତ ଓଡ଼ିଆଙ୍କ ପାଇଁ ଗୌରବର ଦିନ। ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତିଙ୍କ ଦ୍ବାରା ଓଡ଼ିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ ସ୍ମୃତିର ଶୁଭାରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟାଦମାନେ ଉପସ୍ଥିତ ରହିବେ। ଆଗାମୀ ଶତାବ୍ଦୀର ଓଡ଼ିଆ ଜାତିର ଲଢ଼େଇ, ସଂଗ୍ରାମ, ତ୍ୟାଗ ତଥା ବଳିଦାନର ଏହାର ପ୍ରତୀକ ହେବ। ରାଜ୍ୟ ସରକାର ଏଥି ପାଇଁ ଜାଗା ଦେଇଛନ୍ତି। ବରୁଣେଇ ପାହାଡ଼ର ପାଦଦେଶରେ ଯେଉଁଠାରୁ ଓଡ଼ିଶାର ପୂର୍ବଜମାନେ ବ୍ରିଟିସ ଶାସନ ବିରୋଧରେ ଲଢ଼େଇ କରିଥିଲେ, ତାହାର ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ ହେବା ସୌଭାଗ୍ୟର ବିଷୟ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଂପୃକ୍ତ କରାଯାଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହାର କ୍ରିୟାନ୍ବୟନ ପାଇଁ ଭାରତୀୟ ତୈଳ ନିଗମକୁ ଦାୟିତ୍ବ ଦିଆଯାଇଛି। ଓଡ଼ିଆ ଲୋକଙ୍କ ପରାମର୍ଶରେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଜାତିର ସଭ୍ୟତାର ବୀରଗାଥାକୁ ମନେ ପକାଇଲା ପରି ଏଠାରେ ସ୍ମୃତିସ୍ଥଳ ନିର୍ମାଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର