ରାଜ୍ୟ ସରକାରଙ୍କ ପ୍ରତ୍ୟାଖ୍ୟାନ ଦୁର୍ଭାଗ୍ୟଜନକ: ଧର୍ମେନ୍ଦ୍ର

ଧାନ ମାନ କୋହଳ ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟରେ ଅଦିନିଆ ବର୍ଷା ପ୍ରଭାବିତ ୧୫ଟି ଜିଲ୍ଲାର ଧାନ କିଣା ମାନ କୋହଳ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ଦୁଭାର୍ଗ୍ୟଜନକ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ଵିଟ୍‌ କରି କହିଛନ୍ତି। ଓଡ଼ିଶା ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିବା ଯୋଗୁଁ ଚାଷୀମାନଙ୍କୁ ଘରୋଇ ମିଲ୍‌ ମାଲିକଙ୍କ ପାଖରେ ଅଭାବୀ ବିକ୍ରି କରିବା ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି କରୁଥିବା ସେ ପ୍ରକାଶ କରିଛନ୍ତି।

ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଚଳିତ ବର୍ଷ ସମାନ ପରିସ୍ଥିତିରେ ବିହାରରେ ଧାନର ଏଫ୍‌ଏକ୍ୟୁ ମାନ କୋହଳ କରାଯିବା ସହିତ ମୂଳ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରୁ ଅଳ୍ପ କମ୍‌ କରାଯାଇଛି। ଏହାର ସୁବିଧା କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଲାସ ପାଶ୍ୱଓ୍ଵାନଙ୍କ ନିଜ ରାଜ୍ୟ ବିହାରର ଚାଷୀମାନଙ୍କୁ ଦିଆଯାଉଛି। ଓଡ଼ିଶା ସରକାର କେବଳ ବେରଙ୍ଗ, ଗଜା ହୋଇଥିବା, ପୋକଖିଆ ଧାନ ପାଇଁ ରିହାତି ଦାବି କରିଥିଲେ। କିନ୍ତୁ ଏହା ସହିତ ଝାଉଁଳି ଯାଇଥିବା ଏବଂ ସଙ୍କୁଚିତ ଧାନ ପାଇଁ ରିହାତି ବ୍ୟବସ୍ଥା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଧାନର ମାନ କୋହଳ ପାଇଁ ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୧୪୦ ଟଙ୍କା କମ୍‌ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଥିଲେ। ପ୍ରଭାବିତ ଧାନର କୋହଳ ମାନରେ ଆର୍ଦ୍ରତା ନେଇ କୌଣସି ପରିବର୍ତନ କରାଯାଇନଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର