ଅପାରଗତା ଲୁଚାଇବାକୁ ନୂଆ ବାହାନା : ଧର୍ମେନ୍ଦ୍ର

ଭୁବନେଶ୍ବର : କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିଜେଡିର ଆନ୍ଦୋଳନ ଡାକରା ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଯେଉଁମାନେ ଓଡ଼ିଶାରେ ଲମ୍ବା ସମୟ ଧରି ଶାସନରେ ରହିଛନ୍ତି, ସେମାନେ ନିଜର ଅପାରଗତାକୁ ଲୁଚାଇବାକୁ ନୂଆ ନୂଆ ବାହାନା କରୁଛନ୍ତି। ରୋଜଗାର ବଢ଼ାଇବା ଦାୟିତ୍ବ ରାଜ୍ୟ ସରକାରଙ୍କର ବି ରହିଛି। ଅଙ୍ଗୁର କୋଳି ଖାଇ ନ ପାରିଲେ ଖଟା। ରାଜ୍ୟ ସରକାର ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇବା ପାଇଁ ବାହାନା ଖୋଜୂଛନ୍ତି। କେନ୍ଦ୍ର ଶିଳ୍ପାନୁଷ୍ଠାନ କରି ନିଯୁକ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଥିଲା ବେଳେ ରାଜ୍ୟ ଚୁପ ବସିଛି। କେନ୍ଦ୍ର ସରକାରଙ୍କ ନିବେଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି। ତାଳଚେରରେ ଟିଟିପିଏସ୍‌ ତାପଜ ବିଦ୍ୟୁତ କେନ୍ଦ୍ରକୁ ୧୦ ହଜାର କୋଟି ଟଙ୍କାର ନିବେଶ କରି ଭାରତ ସରକାର ପୁନରୁତ୍‌ଥାନ କରିବାକୁ ଯୋଜନା କରିଛନ୍ତି। ଏହାକୁ ଅନୁମତି ନ ଦେଇ କିଏ ବାଧକ ସାଜିଛି ? ୪ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ କାମର ଟେଣ୍ଡର୍‌ ହୋଇଥିଲେ ସୁଦ୍ଧା ବନ୍ଦ ହୋଇ ପଡ଼ିଛି। ରାଜ୍ୟର ଯୁବକ, ଯୁବତୀଙ୍କ ରୋଜଗାରରେ କିଏ ବାଧକ ସାଜୁଛି ଜଣାପଡ଼ୁଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୌଭାଗ୍ୟ ଯୋଜନା ରାଜ୍ୟରେ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନାହିଁ। ସଂଘୀୟ ବ୍ୟବସ୍ଥାରେ ଅର୍ଥ ଖର୍ଚ୍ଚ କରିବାର ଅଧିକାର ରାଜ୍ୟର ରହିଛି। ରାଜ୍ୟ ଅର୍ଥ ଖର୍ଚ୍ଚ କରିପାରୁ ନାହିଁ। ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି।

ସମ୍ବନ୍ଧିତ ଖବର