ନବୀନଙ୍କୁ ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ‌କୋଲ ବ୍ଲକ୍ ଆବଣ୍ଟନ ମାମଲାରେ ନାଗପୁରର ଜି ଡି ଡାଗା କିଏ ? ୨୦୧୭ ନଭେମ୍ବର ୨୫ ତାରିଖରେ ସିବିଆଇ ନବୀନ ବାବୁଙ୍କୁ ଜେରା କରିଥିଲା କି ନାହିଁ ? ନବୀନ ବାବୁ ଏହି କଥା ଜାଣି ମଧ୍ୟ କାହିଁକି ସତ୍ୟପାଠରେ ଏହାକୁ ଉଲ୍ଲେଖ କରି ନ ଥିଲେ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରଶ୍ନ କରିଛନ୍ତି। ସବୁ ଓଡ଼ିଆ ଏହି ଉତ୍ତର ଜାଣିବାକୁ ଚାହୁଁଛନ୍ତି ଓ ନବୀନ ବାବୁ ଉତ୍ତର ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ବାନ ‌େଦଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, କେନ୍ଦ୍ରରେ କୋଇଲା ବିଭାଗରେ ନବୀନ ବାବୁ କିଛି ସମୟ ପାଇଁ ମନ୍ତ୍ରୀ ଦାୟିତ୍ବରେ ଥିଲେ। ସେହି ସମୟରେ ଅର୍ଥାତ ୧୯୯୮ ଏପ୍ରିଲ ୩ ତାରିଖରେ ନବୀନ ବାବୁ ନାଗପୁରର ଜି ଡି ଡାଗାଙ୍କ ଗୋଟିଏ ଭୂତ କମ୍ପାନିକୁ କୋଇଲା ଖଣି ଆବଣ୍ଟନ କରିଥିଲେ। ସରକାରୀ ନିୟମ ମୁତାବକ ଗୋଟିଏ କମ୍ପାନିକୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ। ମାତ୍ର ନବୀନ ବାବୁ କୋଇଲା ଖଣି ଦେଇଥିବା କମ୍ପାନିଟି ୧୯୯୯ରେ ପଞ୍ଜୀକୃତ ହୋଇଛି। ପରବର୍ତ୍ତୀ ସମୟରେ ୨୦୧୪ ମାର୍ଚ୍ଚ ମାସରେ ଏହି ମାମଲା ଦାୟର ହୋଇଛି। ଏହି ମାମଲାରେ ୨୦୧୭ ନଭେମ୍ବର ୨୫ରେ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ନବୀନ ବାବୁଙ୍କୁ ଏହି କଥା ଜଣାଥିଲେ ମଧ୍ୟ ସେ ତାଙ୍କ ସତ୍ୟପାଠରେ ତାହା ଉଲ୍ଲେଖ କରି ନାହାନ୍ତି। ବିଜେପି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରାଯାଇଥିଲେ ହେଁ ସେ ଏହାର ଅସ୍ପଷ୍ଟ ଉତ୍ତର ଦେଇଛନ୍ତି। ସେହିପରି ବିଜେଡି ମଧ୍ୟ ଏହି ମାମଲାରେ ମୂଳ ପ୍ରସଙ୍ଗରୁ ମୁହଁ ଲୁଚାଉଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, ନବୀନ ବାବୁ ଭୂତ କମ୍ପାନି ଠାରୁ ଲାଞ୍ଚ ନେଇ କୋଇଲା ଖଣି ଦେଇଛନ୍ତି ଏବଂ ସିବିଆଇ ଦ୍ବାରା ଜେରା ହୋଇଥିବା କଥା ଜାତୀୟ ଗଣମାଧ୍ୟମରେ ଯେଉଁ ଅଭିଯୋଗ କରାଯାଉଛି, ତାହାର ଉତ୍ତର ନ ରଖି ନବୀନ ବାବୁଙ୍କ ଦଳର କଳାକୁ ଧଳା କରୁଥିବା ସାଂସଦ ପିନାକୀ ମିଶ୍ର ମାମଲା ୨୧ ବର୍ଷ ତଳର ବୋଲି କହୁଛନ୍ତି। ବହୁତ ବର୍ଷ ତଳର ଦୁର୍ନୀତି ହୋଇଥିଲେ ମଧ୍ୟ ଏହା କ’ଣ ଅପରାଧ ନୁହେଁ ? କେଉଁ ସ୍ବାର୍ଥରେ ନବୀନ ବାବୁ ଭୂତ କମ୍ପାନିକୁ ୧୯୯୮ ମସିହାରେ ବିନା ପଞ୍ଜୀକରଣରେ କୋଲ୍‌ ବ୍ଲକ୍ ‌େଦଲେ, ତାହାକୁ ପ୍ରଥମେ ବିଜେଡି ସ୍ପଷ୍ଟ କରୁ।

ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ଶ୍ରୀ ପ୍ରଧାନ କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବାକୁ ପୁଲିସ୍ ଡିଜିଙ୍କ ଯେତିକି ନିଷ୍ଠା ନାହିଁ ତାହା ଠାରୁ ଅଧିକ ନିଷ୍ଠା ବିଜେଡି ସଭାପତିଙ୍କ ପାଇଁ ଅଛି। ରାଜ୍ୟରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। କିନ୍ତୁ ପୁଲିସ ରାଜନୈତିକ କାମରେ ଲାଗିଥିବାରୁ ଶାସକ ଦଳର ଅପରାଧୀମାନେ ରକ୍ତମୁଖା ହୋଇ ପ୍ରତିପକ୍ଷକୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ଅସାଧୁ ଅଫିସର୍‌ଙ୍କୁ ଯୋଜନାବଦ୍ଧ ଭାବେ ଏସ୍‌ଟିଏଫ୍‌ରେ ବସାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ରାଜ‌େନୖତିକ କାମରେ ଲଗାଯାଇଛି। ତେବେ ବିଜେପି କାହାର ନାଲିଆଖିକୁ ଡରିବା ଦଳ ନୁହେଁ ବୋଲି କେନ୍ଦ୍ର ମନ୍ତ୍ରୀ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର