ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, ମହିଳା ଶକ୍ତିକରଣ ଲଙ୍କାରେ ହରିନାମ ସଦୃଶ

ଭୁବନେଶ୍ବର : ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଶକ୍ତିକରଣ ପ୍ରସଙ୍ଗ ଉଠାଇବା ସହ ବିଜେପିର ଡବଲ୍‌ ଇଞ୍ଜିନ ଥିଓରିକୁ ଭିନ୍ନ ରୂପ ଦେଇଥିଲେ। ଆଜି ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମହିଳା ଶକ୍ତିକରଣ କଥା ଶୁଣିଲେ ଲଙ୍କାରେ ହରିନାମ ପରି ଲାଗୁଛି।

‌ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ପ୍ରଧାନ କହିଛନ୍ତି, କୁନ୍ଦୁଲି ମୃତ୍ୟୁ, ବେବିନା ଦୁଃଖ କାହାଣୀକୁ ଓଡ଼ିଶା ଭୁଲି ନାହିଁ। ବେବିନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କ ପୃଷ୍ଠପୋଷକଙ୍କୁ ତିନି ମାସ ତଳେ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବିଦା କ‌େଲ। କିନ୍ତୁ ତାଙ୍କୁ ପୁଣି ଏଇ ନିର୍ବାଚନରେ ଟିକେଟ୍‌ ଦେଇଛନ୍ତି। ଭୁବନେଶ୍ବର ମଧ୍ୟରେ ଯାହାକୁ ଟିକେଟ୍‌ ଦେଇଛନ୍ତି, ତାଙ୍କ କେଳେଙ୍କାରି ସମ୍ପର୍କରେ ସାରା ରାଜ୍ୟ ଲଜ୍ଜିତ ହୋଇଥିଲା। ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଅସଦାଚରଣ ବିରୋଧରେ ନବୀନ ନିବାସରେ ଜଣେ ମହିଳା ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ବିଗତ ୩ ବର୍ଷରେ ସରକାରୀ ଆଦିବାସୀ ଛାତ୍ରୀନିବାସରେ ୧୨ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ନବୀନ ବାବୁ ମହିଳା ନେତୃତ୍ବ କଥା ଉଲ୍ଲେଖ କରି ନ୍ୟୁଜିଲାଣ୍ଡ ଓ ଜର୍ମାନର ନାଁ ନେଇଛନ୍ତି। କିନ୍ତୁ ଆଜି ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ମଧ୍ୟରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ବରେ ମହିଳା ନେତୃତ୍ବର ନୂଆ ମାପକାଠି ତିଆରି କରିଛନ୍ତି। ନିର୍ମଳା ସୀତାରମଣଙ୍କ ଦାୟିତ୍ବରେ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲୱାମା ଆକ୍ରମଣ ପରି ବଡ଼ ବଡ଼ କାମ ହୋଇଛି। ମୋଦୀଙ୍କ କ୍ୟାବିନେଟ୍‌ରେ ଏ ପ୍ରକାର ସଶକ୍ତ ମହିଳା ନେତୃତ୍ବ ଅତୀତରେ ଭାରତୀୟ ରାଜନୀତିରେ ଦେଖିବାକୁ ମିଳି ନ ଥିଲା। ନବୀନ ବାବୁ ଏହି ଦୁଇ ନେତ୍ରୀଙ୍କ ଉଦାହରଣ ଦେଇଥିଲେ ଭାରତୀୟ ମହିଳା ବିଶେଷ କରି ଓଡ଼ିଶାର ଭଉଣୀମାନଙ୍କୁ ପ୍ରେରଣା ମିଳିଥା’ନ୍ତା।

ଶ୍ରୀ ପ୍ରଧାନ କହିଛନ୍ତି, ମହିଳାଙ୍କ ମଧ୍ୟରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିବା କାରଣରୁ ମୁଖ୍ୟମନ୍ତ୍ରୀ ଏପରି କହୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଁରେ କୁପ୍ରଚାର କରାଇବା ମୁଖ୍ୟମନ୍ତ୍ରୀଙ୍କ ମନରେ ରହିଛି। ପ୍ରଜାତନ୍ତ୍ରରେ ଲମ୍ବା ସମୟ କ୍ଷମତାରେ ରହିଲେ ଅହଙ୍କାରୀ ହେବା ସ୍ବାଭାବିକ। ମୁଖ୍ୟମନ୍ତ୍ରୀଙ୍କ ସମୟ ଶେଷ ହୋଇଆସିଲାଣି। ସେ ଏବେ ନକଲି ଓଡ଼ିଆଙ୍କ ଘେରରେ ରହିଛନ୍ତି। ଓଡ଼ିଶାରେ କାହିଁକି ମହିଳା ଅସୁରକ୍ଷିତ, ତାହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ। ମୋଦୀଙ୍କ ବିରୋଧରେ ଯେତେ ଅପପ୍ରଚାର କଲେ ବି ଓଡ଼ିଆ ଲୋକମାନେ ଏଥର ଦିଲ୍ଲୀ ଓ ଭୁବନେଶ୍ବରରେ ଡବଲ ଇଞ୍ଜିନ ସରକାର କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଜୋର୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର