ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ଠା ନାହିଁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜଧାନୀରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ବାର୍ତ୍ତା ପ୍ରସାରଣ କରି ଶ୍ରୀ ପ୍ରଧାନ ଶିକ୍ଷକମାନଙ୍କ ଦାବିକୁ ସମର୍ଥନ ଜଣାଇବା ସହ ସରକାର ସମାଧାନର ପନ୍ଥା କାଢ଼ୁ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଆ ପିଲାମାନଙ୍କ ମେଧାଶକ୍ତି ଓଡ଼ିଶାର ମୂଳ ପୁଞ୍ଜି। ସାଧାରଣ ଓଡ଼ିଆ ପରିବାରର ପିଲାର ଶିକ୍ଷା ଓ ଭବିଷ୍ୟତ ସରକାରୀ ସ୍କୁଲ୍‌, କଲେଜ ଉପରେ ମୋଟାମୋଟି ନିର୍ଭରଶୀଳ। ଆଜିର ପବିତ୍ର ଦିବସକୁ ଓଡ଼ିଶାର ଶିକ୍ଷକ ସମାଜ କଳାଦିବସ ଭାବେ ପାଳନ କରିବା ଚିନ୍ତାର ବିଷୟ। ଆମ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏପରି ଅବ୍ୟବସ୍ଥା ଓ ଦୁର୍ଭାଗ୍ୟପୂର୍ଣ୍ଣ ଅରାଜକତା ଆମ ବଂଶଧରମାନଙ୍କ ଭବିଷ୍ୟତ ଅନ୍ଧାର ଓ ଅନିଶ୍ଚିତତା ଆଡ଼କୁ ଠେଲି ଦେବ। ବିକ୍ଷୋଭ, ଧାରଣା, ପ୍ରତିବାଦ ଗଣତାନ୍ତ୍ରିକ ବ୍ୟବସ୍ଥାର ଅଙ୍ଗ। ସରକାର ଚଳାଉଥିବା ବନ୍ଧୁମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ନିଜ ଅହଙ୍କାର ଛାଡ଼ି ବଡ଼ ହୃଦୟ ଦେଖାଇ ସମାଧାନର ରାସ୍ତା କାଢ଼ନ୍ତୁ। ନିଜେ ମୁଖ୍ୟମନ୍ତ୍ରୀ ସରକାରଙ୍କ ତରଫରୁ ଶିକ୍ଷକମାନଙ୍କ ଦାବିଗୁଡ଼ିକୁ ସହୃଦୟତାର ସହ ବିଚାର କରି ଶିକ୍ଷା ବ୍ୟବସ୍ଥାର ଅଭାବନୀୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଅନ୍ତୁ। ସରକାର ଠିକ୍‌ ଭାବେ ଉଦ୍ୟମ କଲେ ଶିକ୍ଷକମାନେ କଳାଦିବସ ପାଳନ କରିବା, ବିଧାୟକଙ୍କ ଘର ଘେରାଉ କରିବା, ସ୍କୁଲ ଓ କଲେଜ ବନ୍ଦ ପରିସ୍ଥିତିକୁ ନେବା, ବ୍ଲକ୍‌ ଅଫିସ୍‌ ସାମ୍ନାରେ ଧାରଣା ଦେବା ପରି ଆନ୍ଦୋଳନାତ୍ମକ କାର୍ଯ୍ୟରୁ ବିରତ ହୋଇପାରିବେ। ଶିକ୍ଷକଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେଇ ଶ୍ରେଣୀ ଗୃହକୁ ଫେରାଇଲେ ହିଁ ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର