୪ରେ ଉଦ୍‌ଘାଟନ ହେବ ସେକେଣ୍ଡାରି ଡାଟା ସେଣ୍ଟର : ଭୂତତ୍ୱ ଛାତ୍ର, ଗବେଷକଙ୍କୁ ମିଳିବ ୫୦ ବର୍ଗ କି.ମିର ମାଗଣା ଡାଟା

ଭୁବନେଶ୍ୱର : ଆସନ୍ତା ୪ତାରିଖରେ ଗୋଠପାଟଣାରେ ସେକେଣ୍ଡାରି ଡାଟା ସେଣ୍ଟର ଉଦ୍‌ଘାଟିତ ହେବ। ଏହା ଦେଶର ତୃତୀୟ ତଥା ପୂର୍ବ ଭାରତର ପ୍ରଥମ କେନ୍ଦ୍ର ବୋଲି କୁହାଯାଇଛି। ଦେଶର ପେଟ୍ରୋଲିୟମ ଅନେ୍ଵଷଣ ଓ ଉତ୍ପାଦନ ସଂପର୍କିତ ତଥ୍ୟକୁ ପ୍ରଚାର କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍‌ଘାଟନ କରିବେ। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଡିଜିଏଚ୍‌ ବା ହାଇଡ୍ରୋକାର୍ବନ୍‌ସ ମହାନିର୍ଦେଶକର ମହାପ୍ରବନ୍ଧକ ଶିଳାଦିତ୍ୟ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

ଏସ୍‌ଟିପିଆଇ ଓ ଡିଜଏଚ୍‌ ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିଅନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଟ୍ଟାଚାର୍ଯ୍ୟ କହିଲେ, ଏସ୍‌ଟିପିଆଇ ଏଲଟି ନାମରେ ନାମିତ ଏହି ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଇଟି ଓ ଆଇଟିଇଏସ୍‌ ଶିଳ୍ପ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଆଗାମୀ ଦିନରେ ଏଠାରେ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଇନ୍‌କ୍ୟୁବେସନ, ଫାବ୍ରିକେସନ୍‌ ଲ୍ୟାବ୍‌, ଇଏସ୍‌ଡିଏମ୍‌ ଇନକ୍ୟୁସେବନ କାର୍ଯ୍ୟ କରିବ। ଏହାସହ ନେଟଓ୍ଵର୍କ ଅପରେସନ କେନ୍ଦ୍ର, ହାଇସ୍ପିଡ୍‌ ଡାଟା କମ୍ୟୁନିକେସନ୍‌, କ୍ଲାଉଡ ସର୍ଭିସ, ପ୍ଲଗ୍‌ ଏଣ୍ଡ ପ୍ଲେ ଭଳି ସୁବିଧା ମିଳିବ। ଫାବ୍ରିକେସନ୍‌ ଲ୍ୟାବ୍‌ ପାଇଁ ଆମେରିକାର ଏମ୍‌ଇଟି ସହ ଅନୁବନ୍ଧିତ କାରାଯାଇଛି ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଥିଲେ।

ଏନ୍‌ଡିଆର କନସଲଟାନ୍ଟ ଏଚ୍‌କେ ପାତ୍ର କହିଲେ, ଏଥିରେ ଉଭୟ ଟୁଡି ଓ ଥ୍ରିଡି ଡାଟା ଉପଲବ୍ଧ ହେବ। କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ସଚିବ ଏ.ପି ସାହାଣୀ ଉପସ୍ଥିତ ରହିବେ ବୋଲି ଶ୍ରୀ ପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ରଂଜନ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର