ଟ୍ଵିଟ୍‌ କରି ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର : ‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ ଓଡ଼ିଆ ଭାବାବେଗକୁ ପ୍ରଭାବିତ କରିଛି’

ଭୁବନେଶ୍ୱର : ଗତ କିଛି ଦିନ ଧରି ଜଗନ୍ନାଥ ମନ୍ଦିରର ନୀତିକାନ୍ତିରେ ଦେଖା ଦେଇଥିବା ବିଭ୍ରାଟ ଓଡ଼ିଆ ଭାବାବେଗକୁ ପ୍ରଭାବିତ କରିଛି। ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ନିର୍ବାହ କରିଥିଲେ ନା ମହାପ୍ରଭୁ ଭୋକରେ ରହିଥା’ନ୍ତେ ନା ଭକ୍ତମାନଙ୍କୁ ମହାପ୍ରସାଦ ମିଳିବାରେ ଅସୁବିଧା ହୋଇଥା’ନ୍ତା। ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍‌ କରି ଏପରି ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ଓଡ଼ିଆଙ୍କ ଆତ୍ମ ପରିଚୟ ଓ ସ୍ୱାଭିମାନର ପ୍ରାଣ କେନ୍ଦ୍ର। ମହାପ୍ରଭୁଙ୍କ ରୀତିନୀତି ନିର୍ଦ୍ଧାରିତ ବିଧିବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେଉ, ସବୁ ଜଗନ୍ନାଥପ୍ରେମୀଙ୍କର ଏକାନ୍ତ ଇଚ୍ଛା। ଏହି ସମସ୍ତ କାର୍ଯ୍ୟକୁ ଠିକ୍‌ ଭାବେ ସମାପନ କରିବା ମହାପ୍ରଭୁଙ୍କ ସେବାୟତ ଓ ପ୍ରଶାସନର ଦାୟିତ୍ୱ। ଚିନ୍ତା ଓ ପରିତାପର ବିଷୟ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉପବାସରେ ରହିବାକୁ ପଡ଼ିଲା। ଭକ୍ତଙ୍କୁ ମହାପ୍ରସାଦ ମିଳିପାରିଲା ନାହିଁ।

ସେ ଆହୁରି କହିଛନ୍ତି, ଏହି ସମ୍ବେଦନଶୀଳ ବିଷୟରେ ରାଜ୍ୟ ସରକାର ଠିକ୍‌ ଭାବେ ଦାୟିତ୍ୱ ପାଳନ କରିଥିଲେ ଏପରି ଅଭାବନୀୟ ପରିସ୍ଥିତିକୁ ଏଡ଼ାଇ ଯାଇପାରିଥା’ନ୍ତା। ମନ୍ଦିର ସେବାୟତଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢ଼ିବା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ମନ୍ଦିର ପାଇଁ ତିଆରି କରାଯାଇଛି। ମନ୍ଦିରରେ ଭକ୍ତମାନଙ୍କ ସୁବିଧା ଓ ସୁପରିଚାଳନା ପାଇଁ ସଂସ୍କାର କମିସନ୍‌ଙ୍କ ସୁପାରିସ୍‌ ଉପଲବ୍ଧ ଅଛି। ମନ୍ଦିର ଭିତରର ବ୍ୟବସ୍ଥା, ଦର୍ଶନ ଓ ଅନ୍ୟାନ୍ୟ ପରିଚାଳନାଗତ ଅସଙ୍ଗତିକୁ ଦୂର କରିବାକୁ ରାଜ୍ୟ ସରକାରଙ୍କୁ ହିଁ ଦୃଢ଼ ଇଚ୍ଛାଶକ୍ତିର ସହ କାମ କରିବା ପାଇଁ ଆଗେଇ ଆସିବାକୁ ପଡ଼ିବ।

ସମ୍ବନ୍ଧିତ ଖବର