ପୂର୍ବ ଭାରତରେ ଓଡ଼ିଶା ହେବ ଏଲ୍‌ପିଜି ଯୋଗାଣର ମୁଖ୍ୟ କେନ୍ଦ୍ର : ବାଲେଶ୍ୱରରେ ତିନି ପ୍ରକଳ୍ପର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ପାରାଦୀପ-ହଳଦିଆ-ବରୌନୀ ଅଶୋଧିତ ତୈଳ ପାଇପଲାଇନର ବାଲେଶ୍ୱର ପମ୍ପ ଷ୍ଟେସନ୍‌, ବଟଲିଂ ପ୍ଲାଣ୍ଟ୍‌ର କ୍ଷମତା ବୃଦ୍ଧି ତଥା ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପଲାଇନର ପାରାଦୀପ-ବାଲେଶ୍ୱର ସେକ୍ସନର ଉଦଘାଟନ କାର୍ଯ୍ୟକ୍ରମ ରବିବାର ବାଲେଶ୍ୱରଠାରେ ଅନୁଷ୍ଠିତ ହେବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ନେଇ ଆଜି ଆଇଓସିଏଲ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମଗ୍ର ପୂର୍ବଭାରତ ଯଥା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାରକୁ ଓଡ଼ିଶାରୁ ଏଲ୍‌ପିଜି ଯୋଗାଣ କରାଯିବ। ପାରାଦୀପ- ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ ଲାଇନ ଦ୍ୱାରା ଏହି ଆବଶ୍ୟକତାକୁ ପୂରଣ କରାଯିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଥିବା ସମସ୍ତ ଏଲ୍‌ପିଜି ବଲ୍‌କ ସେଣ୍ଟର୍‌କୁ ପାଇପ୍‌ ଜରିଆରେ ଗ୍ୟାସ୍‌ ଯୋଗାଣ କରାଯିବ ବୋଲି ଆଇଓସିଏଲ୍‌ ସୂଚନା ଦେଇଛି। ପାରାଦୀପରୁ ୭୧୦ କିମି ଦୈର୍ଘ୍ୟ ବିଶିଷ୍ଟ ପାଇପଲାଇନ୍‌ ଆରମ୍ଭ ହୋଇ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଶେଷ ହେଉଛି । ଏହି ପ୍ରକଳ୍ପରେ ଓଡ଼ିଶାରେ ୪ ଶହ କୋଟି ଟଙ୍କା ପୁଞ୍ଜି ବିନିଯୋଗ ସରିଛି।

ପାରାଦୀପଠାରେ ପମ୍ପ ଷ୍ଟେସନ୍‌ର ନିର୍ମାଣ ଓ ବାଲେଶ୍ୱର ଠାରେ ଡେଲିଭରି ଷ୍ଟେସନ୍‌ର ନିର୍ମାଣ ଫଳରେ ଓଡ଼ିଶାକୁ ନିରନ୍ତର ଓ ଅବାଧ ଏଲ୍‌ପିଜି ଯୋଗାଣ ହୋଇ ପାରିବ। ଏହା ଦ୍ୱାରା ପାରାଦୀପରୁ ସଡ଼କ ମାର୍ଗ ଯୋଗେ ଏଲ୍‌ପିଜି ପରିବହନ ବନ୍ଦ ହେବ। ସେହିପରି ଚାହିଦାକୁ ଦୃଷ୍ଟିରେ ରଖି ବାଲେଶ୍ୱର ସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ବଟ୍‌ଲିଂ ପ୍ଲାଣ୍ଟ୍‌ର କ୍ଷମତାକୁ ଦ୍ୱିଗୁଣିତ କରାଯିବ। ଫଳରେ ପୂର୍ବରୁ ପ୍ରତି ଘଣ୍ଟା ୧୪୦୦ ସିଲିଣ୍ଡର୍‌ ବଦଳରେ ବର୍ତମାନ ୩୦୦୦ ସିଲିଣ୍ଡର୍‌ ଫିଲିଂ ହୋଇପାରିବ। ପାଇପ ଜରିଆରେ ଅଶୋଧିତ ତୈଳ ପରିବହନ କ୍ଷେତ୍ରରେ ଓଡ଼ିଶାରେ ପ୍ରାୟ ୩୨୦ ଟଙ୍କା ପୁଞ୍ଜିିନିବେଶ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇଓସିଏଲ୍‌ର ଇଡି (ଏସଇଆରପିଏଲ୍‌) ପି ସିଚୌବେ ଏବଂ ପ୍ରୀତିଶ ଭରତ ଏହି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ବିଷୟରେ ସୂଚନା ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲାର ତିଳପଡ଼ାଠାରେ ଆଇଓସିଏଲ୍‌ ପକ୍ଷରୁ ପାନୀୟ ଜଳ ଜୀବନ ଓ ସୂର୍ଯ୍ୟପ୍ରକାଶ ଯୋଜନାରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ କରାଯାଇଛି। ଏକ ୧୫୦୦୦ ଲିଟର ଓଭରହେଡ୍‌ ଟାଙ୍କି ସହିତ ୨୫ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର