ଭୁବନେଶ୍ୱରରୁ ଜଗଦଲପୁର ଓ ଜୁନାଗଡକୁ ୨ଟି ପୃଥକ ଟ୍ରେନ୍‌ ଚଳାଚଳ ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍‌ ଚଳାଚଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତିି । ଏହି ଦୁଇଟି ଟ୍ରେନ୍‌ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍‌ ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି । ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି । ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍‌ ରାୟଗଡା ଷ୍ଟେସନରେ ଗୋଟିଏ ଇିଞ୍ଜନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ଉପରୋକ୍ତ ବ୍ୟବସ୍ଥା ବିଶେଷ ଭାବରେ କଳାହାଣ୍ଡି ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଜଟିଳ ବ୍ୟବସ୍ଥା ସଂପର୍କରେ ସଚେତନତା ନଥିବା ଯାତ୍ରୀମାନେ ଅନେକ ସମୟରେ ସଠିକ୍‌ ବଗିରେ ଚଢିପାରୁନାହାନ୍ତି । ତେଣୁ ଉପରୋକ୍ତ ପ୍ରସ୍ତାବ ସ୍ୱୀକୃତ ହେଲେ ରାଜଧାନୀ ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ଯାତାୟତ ଲାଗି ଯାତ୍ରୀଙ୍କ ଆଗ୍ରହ ଅଧିକ ଥିବାରୁ ଟ୍ରେନରେ ଯାତ୍ରୀ ଭିଡ ଅଧିକ ରହିବ ଏବଂ ପୂର୍ଣ୍ଣ ଯାତ୍ରୀ କ୍ଷମତାରେ ଚଳାଚଳ କରିବ । ଏହାବ୍ୟତୀତ ଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ସଂରକ୍ଷିତ ବଗି ଉପଲବ୍ଧ ହୋଇପାରିବ । ତେଣୁ ଏହି ପ୍ରସ୍ତାବରେ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିବା ପତ୍ରରେ ପ୍ରଧାନ ଉଲ୍ଲେଖ କରିଛନ୍ତିି ।

ସମ୍ବନ୍ଧିତ ଖବର