ମୋଦୀ ସରକାରଙ୍କ ପଦକ୍ଷେପ ଅର୍ଥନୀତିକୁ ମଜବୁତ୍ କରିବ: ଧର୍ମେନ୍ଦ୍ର

ବିଶ୍ବ ଅର୍ଥନୀତିରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ବର: ସାରା ବିଶ୍ବରେ ଅର୍ଥନୀତି ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି। କିନ୍ତୁ ଭାରତରେ ମୋଦୀ ସରକାରଙ୍କ ପଦ‌େକ୍ଷପ ଯୋଗୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାର୍ ବିଶିଷ୍ଟ କରିବା ପାଇଁ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ନିମନ୍ତେ ଗତ କିଛି ଦିନରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପର ପ୍ରଭାବ ସବୁ ସ୍ତରରେ ଅନୁଭୂତ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, ଏବେ ଏସିଆ ମହାଦେଶରେ କମ୍ପାନିମାନଙ୍କ ଉପରେ ସବୁଠୁ କମ୍ ଟିକସ ଲାଗୁ କରିଥିବା ଦେଶ ଭାବେ ଭାରତ ଆଗକୁ ଆସିଛି। ଭାରତର କର୍ପୋରେଟ୍‌ ଟିକସ ସିଙ୍ଗାପୁର ସହ ସମାନ ହୋଇଛି। ୩୦ ପ୍ରତିଶତରେ ଥିବା କର୍ପୋରେଟ୍‌ ଟିକସକୁ ୨୨ ପ୍ରତିଶତକୁ କମାଯାଇଛି। ଅତିରିକ୍ତ ଦେୟ ଓ ସେସ୍‌କୁ ମିଶାଇଲେ ଏହି ଟିକସ ୨୫.୧୭ ପ୍ରତିଶତରେ ସୀମିତ ରହିବ, ଯାହା କି ପୂର୍ବରୁ ୩୪.୯ ପ୍ରତିଶତ ଥିଲା। ୨୦୧୯ ପରେ ପଞ୍ଜୀକୃତ ହୋଇଥିବା କମ୍ପାନିଗୁଡ଼ିକ(ମାନୁଫାକ୍ଚରିଂ)ର ଆୟକରକୁ ୧୫ ପ୍ରତିଶତରେ ସୀମିତ ରଖାଯାଇଛି। ଏହି ନୂଆ କମ୍ପାନିଗୁଡ଼ିକୁ କୌଣସି ସର୍ବନିମ୍ନ ବିକଳ୍ପ ଟିକସ(ଏମ୍‌ଏଟି) ମଧ୍ୟ ଦେବାକୁ ପଡ଼ିବ ନାହିଁ। ଯେଉଁ ପୁରୁଣା କମ୍ପାନିଗୁଡ଼ିକ ସର୍ବନିମ୍ନ ବିକଳ୍ପ ଟିକସ ୧୮.୫ ପ୍ରତିଶତ ହାରରେ ଦେଉଥିଲେ, ଏହାକୁ ମୋଦୀ ସରକାର ୧୫ ପ୍ରତିଶତରେ ସୀମିତ ରଖିବା ପାଇଁ ନିର୍ଣ୍ଣୟ କରିଛନ୍ତି। ଏହି ପଦ‌କ୍ଷେପ ମାନୁଫାକ୍ଚରିଂ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ସହ ମେକ୍‌ ଇନ୍ ଇଣ୍ଡିଆ ପଦକ୍ଷେପକୁ ତ୍ବରାନ୍ବିତ କରିବ। ଏହି ଟିକସ ରିହାତି ଘୋଷଣା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନସେକ୍ସ ୩୬,୦୯୩ ପଏଣ୍ଟ୍‌ରୁ ୩୮,୦୧୭ ପଏଣ୍ଟ୍‌ରେ ପହଞ୍ଚିପାରିଛି। ଏହି ପଏଣ୍ଟ୍‌ ବୃଦ୍ଧି ଷ୍ଟକ୍ ଏକ୍ସଚେଞ୍ଜ୍‌ର ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛି।

ଅର୍ଥନୀତି ପାଇଁ ମୋଦୀ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଲେ, ଦେଶର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ଏକୀକୃତ କରି ଚାରିଟି କରାଯାଇଛି। ସରକାର ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ଛୋଟ ବ୍ୟବସାୟୀ ଠାରୁ କର୍ପୋରେଟ୍‌ କମ୍ପାନି ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକରୁ କମ୍ ସୁଧରେ ଅଧିକ ଋଣ ସୁବିଧା ପାଇପାରିବେ। ଫଳରେ ବଜାରରେ ଆର୍ଥିକ କାରବାର ଦ୍ରୁତ ବୃଦ୍ଧି ପାଇବ ଓ ଫାଇଦା ସିଧା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ। ବ୍ୟାଙ୍କ ଋଣର ଏକ ପ୍ରମୁଖ ଭାଗ ୨୦ ହଜାର କୋଟି ଟଙ୍କାର ଗରିବ, ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତଙ୍କ ପାଇଁ ଗୃହ ଋଣ ଦ୍ବାରା ବଜାରରେ ସୃଷ୍ଟି ହେଉଥିବା ଆର୍ଥିକ ଗତିବିଧି ଦେଶର ବଜାରକୁ ବେଶ୍‌ ମଜବୁତ୍ କରିବାରେ ସହାୟକ ହେବ। ସେହିପରି ୧ ହଜାର ଟଙ୍କାରୁ କମ୍ ଭଡ଼ା ବିଶିଷ୍ଟ ହୋଟେଲ୍‌ ରୁମ୍‌କୁ ଜିଏସ୍‌ଟି ମୁକ୍ତ କରାଯାଇଥିବା ବେଳେ ହଜାରେ ଟଙ୍କାରୁ ଅଧିକ ଓ ୭,୫୦୦ ଟଙ୍କା ମଧ୍ୟରେ ଲାଗୁଥିବା ଜିଏସ୍‌ଟିକୁ ୧୮ ପ୍ରତିଶତରୁ କମ୍ କରାଯାଇ ୧୨ ପ୍ରତିଶତ କରାଯାଇଛି। ସେହିପରି ୭,୫୦୦ ଟଙ୍କାରୁ ଅଧିକ ହୋଟେଲ୍‌ ରୁମ୍‌ ଭଡ଼ାରେ ଜିଏସ୍‌ଟିକୁ ୨୮ ପ୍ରତିଶତରୁ କମ୍ କରି ୧୮ ପ୍ରତିଶତରେ ରଖାଯାଇଛି। ଏହା ଦ୍ବାରା ହୋଟେଲ୍‌ ଶିଳ୍ପର ଅଭିବୃଦ୍ଧି ହୋଇପାରିବ। ବିଦ୍ୟୁତ ଚାଳିତ ବାହନ କ୍ରୟରେ ମଧ୍ୟ ଜିଏସ୍‌ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

ଶ୍ରୀ ପ୍ରଧାନ କହିଲେ, ଏହିସବୁ ଟିକସ ରିହାତି କାରଣରୁ ଭାରତ ସରକାରଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ କ୍ଷତି ସହିବାକୁ ପଡ଼ିଲା। ମାତ୍ର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ମୋଦୀ ସରକାର ଏପରି ବଡ଼ ନିର୍ଣ୍ଣୟ କରିଛନ୍ତି। ଦେଶରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଡାଲି, ଚାଉଳ, ତେଲ ଆଦି ମୂଲ୍ୟ ସ୍ଥିର ରଖିବାକୁ ସରକାର ସଫଳ ହୋଇଛନ୍ତି ବୋଲି ସେ କହିଥିଲେ। ଏହି ସାମ୍ବାଦିନ ସମ୍ମିଳନୀରେ ସାଂସଦ ଅଶ୍ବିନୀ ବୈଷ୍ଣବ, ବିଜେପି ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର