ବିଦେଶକୁ ଖାଦ୍ୟ ରପ୍ତାନୀ ନେଇ ପ୍ରଚୁର ସମ୍ଭାବନା ଅଛି

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାରୁ ଉପସାଗରୀୟ ରାଷ୍ଟ୍ରକୁ ଖାଦ୍ୟ ରପ୍ତାନୀ ନେଇ ଥିବା ସମ୍ଭାବନା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ର ସମୂହରେ ପୁଞ୍ଜିନିବେଶକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ମାମଲାରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସହଭାଗିତା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଚିଠିରେ କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି, ଭାରତ କରୁଥିବା ଅଶୋଧିତ ତୈଳ ଆମଦାନୀର ୬୦ ଭାଗ ତୈଳ ଉପସାଗରୀୟ ରାଷ୍ଟ୍ର ସମୂହରୁ ଆସୁଛି। ଭାରତର ଶକ୍ତି ସୁରକ୍ଷା ଉପସାଗରୀୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇଥିଲା ବେଳେ ଏହି ରାଷ୍ଟ୍ରଗୁଡ଼ିକର ଖାଦ୍ୟ ସୁରକ୍ଷାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଛନ୍ତି। ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ ଏହା ସହାୟକ ହେବ। ଉପସାଗରୀୟ ରାଷ୍ଟ୍ର ବିଶେଷ ଭାବେ ୟୁଏଇ ପରି ଦେଶଗୁଡ଼ିକୁ ଖାଦ୍ୟ ପ୍ରକ୍ରିୟାକରଣ ପରେ ବିଭିନ୍ନ ଖାଦ୍ୟ, କୃଷି ଓ ସାମୁଦ୍ରିକ ଉତ୍ପାଦର ରପ୍ତାନୀକୁ ବହୁ ମାତ୍ରାରେ ବଢ଼ାଯାଇପାରିବ। ୟୁଏଇରେ ୩.୩ ନିୟୁତ ଭାରତୀୟ ବସବାସ କରୁଥିବା ବେଳେ ଏହି ଦେଶର ଖାଦ୍ୟ ଆମଦାନୀର ମାତ୍ର ୧୮ ପ୍ରତିଶତ ଭାରତରୁ ଯାଉଛି।

ଶ୍ରୀ ପ୍ରଧାନ ଜଣାଇଛନ୍ତି, ତାଙ୍କର ୟୁଏଇ ଗସ୍ତ ସମୟରେ ଓଡ଼ିଶାର ରପ୍ତାନୀ କ୍ଷମତା ସହ ୟୁଏଇ ଓ ଉପସାଗରୀୟ ଦେଶଗୁଡ଼ିକର ଖାଦ୍ୟ ଆବଶ୍ୟକତା ସହ ଏକ ସଂଯୋଗ ସ୍ଥାପନ ପାଇଁ ସେ ପ୍ରୟାସ କରିଛନ୍ତି। ତାଙ୍କର ୟୁଏଇ ଗସ୍ତ ପୂର୍ବରୁ ଓଡ଼ିଶାର ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଉପସାଗରୀୟ ଦେଶଗୁଡ଼ିକର ଖାଦ୍ୟ ପ୍ର୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କ ସାମ୍ନାରେ ଓଡ଼ିଶାର ଏହି କ୍ଷେତ୍ରରେ ଭିତ୍ତିଭୂମି, କୃଷିଜାତ ଦ୍ରବ୍ୟ ତଥା ସାମୁଦ୍ରିକ ଉତ୍ପାଦ କ୍ଷେତ୍ରରେ ଥିବା ସୁବିଧା ସମ୍ପର୍କରେ ଅବଗତ କରାଯାଇଛି। ଏହି ବୈଠକରେ ବନ୍ଦର ନଗରୀ ପାରାଦୀପ ଉପସାଗରୀୟ ଦେଶଗୁଡ଼ିକ ପାଇଁ ଏକ ଖାଦ୍ୟ ପ୍ରକ୍ରିୟାକରଣର ପେଣ୍ଠ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ବୈଠକରେ ସଫଲ୍‌ର ଅଧିକାରୀ ଓଡ଼ିଶାର ଉପଲବ୍ଧ ଚେନ୍‌ ଓ ପ୍ରକ୍ରିୟାକରଣ ସୁବିଧା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ମୟୂରଭଞ୍ଜର ପତ୍ରଖିଆ ଛେଳିକୁ ନ୍ୟୁଜିଲାଣ୍ଡ୍‌ର ପ୍ରସିଦ୍ଧ ମେଣ୍ଢା ଢାଞ୍ଚାରେ ତଥା ପଶ୍ଚିମ ଓଡ଼ିଶାର ସୁବାସିତ ଚାଉଳ, ଚିଲିକାର ସାମୁଦ୍ରିକ ଉତ୍ପାଦ, ଆମ୍ବ, ଫୁଲ, କନ୍ଧମାଳ ହଳଦୀ, କୋରାପୁଟର ଅଦାର ଉପସାଗରୀୟ ରାଷ୍ଟ୍ରର ଆମଦାନୀ ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁଏଇରେ ଅନୁଷ୍ଠିତ ଏହି ପୁଞ୍ଜିନିବେଶକାରୀ ବୈଠକକୁ ଭାରତୀୟ ଦୂତାବାସ ତରଫରୁ ଆୟୋଜିତ କରାଯାଇଥିବା ବେଳେ ପ୍ରମୁଖ ବ୍ୟବସାୟିକ ଗୋଷ୍ଠୀ ଏମ୍‌ଆର୍‌, ଲୁଲୁ, ଅଲମାୟା, ଏକେଏମ୍‌ ଓ ଏନ୍‌ଏମ୍‌ସି ପ୍ରମୁଖ ଅଂଶଗ୍ରହଣ କରିବା ସହ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ ଓଡ଼ିଶା ପଠାଇବା ପାଇଁ ସହମତ ହୋଇଛନ୍ତି। ତେଣୁ ରାଜ୍ୟ ସରକାର ଏ ଦିଗରେ ଉପଯୁକ୍ତ ପଦେକ୍ଷପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର