କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର, ବାରିପଦା ମେଡିକାଲ କଲେଜକୁ ଯଥାଶୀଘ୍ର ଏମସିଆଇ ଟିମ ପଠାଅ

ଭୁବନେଶ୍ୱର : ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପୁଣି ଥରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ଟିମ ପଠାଇବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ପତ୍ର ଲେଖିଛନ୍ତି । ଏହା ସହିତ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ସେ ଅନୁରୋଧ କରିଛନ୍ତି । ପୁୁଣି ଥରେ ଏମସିଆଇ ଅନୁଧ୍ୟାନ କଲେ ୨୦୧୮-୧୯ ଶିକ୍ଷା ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢା ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ବର୍ଷଠାରୁ ଏହି ମେଡିକାଲ କଲେଜ ଏମସିଆଇ ଠାରୁ ସର୍ତ୍ତମୂଳକ ଅନୁମତି ପତ୍ର ପାଇଥିଲେ ମଧ୍ୟ ପାଠପଢା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ଅନୁମତିର ଅବଧିକୁ ବଢାଇବା ପୂର୍ବରୁ ଏମସିଆଇ ଟିମ ଅନୁଧ୍ୟାନ କରିବା କଥା । ଏମସିଆଇର ରିପୋର୍ଟ ଅନୁସାରେ ହିଁ ୨୦୧୮-୧୯ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।କିନ୍ତୁ ଏପର୍ଯ୍ୟନ୍ତ ଅନୁଧ୍ୟାନ ପାଇଁ ଟିମ ଆସିନାହିଁ । ଅନ୍ୟପକ୍ଷରେ ପାଠପଢା ପାଇଁ ଅନୁମତି ଦେବାରେ ଏମସିଆଇ ବିଳମ୍ବ କରୁଥିବାରୁ ସ୍ଥାନୀୟ ଲୋକମାନେ ତାହାର ବିରୋଧ କରିଛନ୍ତି । ଏଥିପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆସନ୍ତା ୩୦ ତାରିଖରେ ବାରିପଦା ବନ୍ଦ ଡାକରା ଦିଆଯାଇଛି ।

ସମ୍ବନ୍ଧିତ ଖବର