ଢେଙ୍କାନାଳ: ଭାଲୁ କାମୁଡ଼ା ଖାଇ ଜଣେ ଆହତ

ଢେଙ୍କାନାଳ: ଆଜି ସକାଳେ ଭାଲୁ କାମୁଡ଼ାରେ କ୍ଷତବିକ୍ଷତ ହୋଇ ଜଣେ ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଛନ୍ତି।
ଘଟଣାଟି ଘଟିଛି ଗଁଦିଆ ବ୍ଲକ୍‌, ନିହଲ ପ୍ରସାଦ ଥାନା, ଖଙ୍କିରା ପଞ୍ଚାୟତ ଅନ୍ତର୍ଗତ ଛୋଟ ତେନ୍ତୁଲିଆ ଗ୍ରାମ ଅଦୂରସ୍ଥ ମାଳ ଅଞ୍ଚଳରେ।

ଅନ୍ୟ ୮/୧୦ ଜଣଙ୍କ ସହ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ୪୮ ବର୍ଷିୟ କୁନା ମାହୁନ୍ତ ଗାଁ ମାଳକୁ ଶୌଚ ହେବା ନିମନ୍ତେ ଯାଇଥିଲେ। ସେଠାରେ ପ୍ରାୟ ସାଢ଼େ ପାଞ୍ଚଟା ସମୟରେ କୁନା ଗୋଟାଏ ଭାଲୁ କବଳରେ ପଡ଼ିଯାଇଥିଲା। ଭାଲୁକୁ ଡରି କୁନାଙ୍କ ସହ ଯାଇ ଥିବା ଅନ୍ୟମାନେ ଯିଏ ଯୁଆଡ଼େ ଧାଇଁ ପଳାଇ ଥିଲେ।

ଭାଲୁଟି କୁନାଙ୍କର ଡାହଣ ଜଙ୍ଘ ଓ ଡାହଣ ହାତର ବୁଢ଼ା ଆଙ୍ଗୁଠିକୁ କାମୁଡ଼ା କାମୁଡ଼ି କରି ଲହୁଲୁହାଣ କରିପକାଇଛି। ଲୋକମାନଙ୍କର ପାଟି ଶୁଣି ହେଉ କି, ଅନ୍ୟ କୌଣସି କାରଣରୁ ସେ ଭାଲୁ କୁନାଙ୍କୁ ଛାଡ଼ି ବଣ ଗହଳକୁ ପଳାଇ ଯାଇଥିଲା। ଅନ୍ୟମାନେ ଯାଇ ଆହତ କୁନାଙ୍କୁ ଉଦ୍ଧାର କରିବା ପରେ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଛନ୍ତି।

ସେଠାରେ କୁନାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର