ଢ଼େଙ୍କାନାଳ: ବଟଲିଂ ପ୍ଲାଣ୍ଟକୁ ଆବଣ୍ଟିତ ଜମି ବାତିଲ କଲେ ରାଜ୍ୟ ସରକାର; ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର: ଢ଼େଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ବଳରାମପୁରରେ ସ୍ଥାପିତ ହେବାକୁ ଥିବା ବିୟର ବଟଲିଂ ପ୍ଲାଣ୍ଟ ଲାଗି ଆବଣ୍ଟିତ ଜମିକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ବଟଲିଂ ପ୍ଲାଣ୍ଟ ଲାଗି ଆବଣ୍ଟିତ ଜମିରେ ହଜାର ହଜାର ସଂଖ୍ୟାରେ ଗଛ ଥିବାରୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ମାଣ ଲାଗି ଏହାକୁ କାଟିବାକୁ ଆରମ୍ଭ କରିଥିଲେ। ଏହାକୁ ବଳରାମପୁର ଗାଁର ଲୋକେ ପ୍ରବଳ ବିରୋଧ କରିଥିଲେ। ପୁଲିସ ସହାୟତାରେ ଗଛକଟା ଜାରି ରଖିଥିଲେ ପ୍ଲାଣ୍ଟ ମ୍ୟାନେଜମେଣ୍ଟ। ୯୫୮ଟି ଗଛ କଟାଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆରଡିସିଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ସୋମବାର ବଟଲିଂ ପ୍ଲାଣ୍ଟକୁ ଆବଣ୍ଟିତ ଜମିକୁ ସରକାର ବାତିଲ୍‌ କରିବା ସହ ଅନ୍ୟତ୍ର ଜମି ଆବଣ୍ଟନ ଲାଗି ପ୍ରଶାସନକୁ କହିଛନ୍ତି। ଏଥିସହ ବଳରାମପୁରରେ ପୁନଃବୃକ୍ଷ ରୋପଣ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଦ୍ବାରା ଏଠାରେ ଘରୋଇ ପରିଚାଳନାଧୀନ ବିୟର ଫ୍ୟାକ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତକାଲି ହଠାତ୍ କ˚ପାନି କର୍ତୃପକ୍ଷ ବ୍ୟାପକ ଗଛକଟା ଆରମ୍ଭ କରି ଦେଇଥିଲେ। ଝିଙ୍କ ରଗଡି ଜଙ୍ଗଲରୁ ୧୦୦୦ରୁ ଅଧିକ ମୂଲ୍ୟବାନ ଗଛ ସହ ବହୁ ଔଷଧୀୟ ପୁରୁଣା ଗଛ କାଟି ଶୁଆଇ ଦେଇଥିଲେ। ଏଥିଯୋଗୁଁ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର