ଢେଙ୍କାନାଳରେ ହାତୀ ମୃତ୍ୟୁ ଘଟଣା : ଅଫିସରଙ୍କୁ ଜେରା

ଘଟଣାସ୍ଥଳରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼ ଆରମ୍ଭ, ଵାଇଲ୍ଡଲାଇଫ୍‌ ସେଲ୍‌ରେ ୫ଜଣଙ୍କ ନାଁରେ ମାମଲା ରୁଜୁ

କଟକ/ଢେଙ୍କାନାଳ/କଣ୍ଟାବଣିଆ/ଭୁବନେଶ୍ବର : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାରେ ବିଦ୍ୟୁତ ଝଟ୍‌କା ଖାଇ ୭ ହାତୀଙ୍କ ମୃତ୍ୟୁ ଘଟଣାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ ପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି-୧ଙ୍କ ନେତୃତ୍ବରେ ଏସ୍‌ଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଆଜି ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିିଛନ୍ତି। ତଦନ୍ତ ଟିମ୍ ହାତୀଗୁଡ଼ିକର ଶବ ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ୍ କରିବା ସହ ବିଦ୍ୟୁତ ବିଭାଗ ଏବ˚ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଜେରା କରିଛନ୍ତି।

ସେପଟେ କ୍ରାଇମ୍‌ବ୍ରାଞ୍ଚ ଵାଇଲ୍ଡ ଲାଇଫ୍‌ ସେଲ୍‌ ପକ୍ଷରୁ କର୍ତ୍ତବ୍ୟରେ ଅବହେଳା ପାଇଁ ୫ ଅଫିସରଙ୍କ ବିରୋଧରେ ମାମଲା ରୁୁଜୁ କରାଯାଇଛି।

ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗାଁ ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ଯାଇଛି। ରେଲେଵ ବ୍ରିଜ କାମ ପାଇଁ ସେସୁ ପକ୍ଷରୁ ତାର ଟଣାଯାଇଥିଲା। ଭୂଇଁଠାରୁ ମାତ୍ର ୪ ମିଟର ଉଚ୍ଚରେ ଏହି ତାର ଯାଇଥିବାରୁ ଗତକାଲି ଭୋର୍‌ ପ୍ରାୟ ୫ଟା ବେଳେ ୨୦ଟି ହାତୀ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ହାତୀ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ସାତଟି ହାତୀଙ୍କ ଏଭଳି ଅଭାବନୀୟ ମୃତ୍ୟୁ ଘଟିବା ପରେ ଜ˚ଗଲ ଓ ଶକ୍ତି ବିଭାଗ ମଧ୍ୟରେ ଦୋଷ ଠେଲାଠେଲି ଚାଲିଛି। ଢେଙ୍କାନାଳ ଜଙ୍ଗଲ ବିଭାଗର ଆସିଷ୍ଟାଣ୍ଟ କନ୍‌ଜର୍ଭେଟର ଅଫ୍‌ ଫରେଷ୍ଟ(ଏସିଏଫ୍‌) ଜିତେନ୍ଦ୍ର ନାଥ ଦାସ ଏ ନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ଆଧାରରେ ମାମଲା (କେସ୍‌ ନ˚ ୧୧୬) କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଆଜି ଏହାକୁ ଗ୍ରହଣ କରିଛି। ସେହିପରି କ୍ରାଇମ୍‌ବ୍ରାଞ୍ଚର ଵାଇଲ୍ଡ ଲାଇଫ୍‌ ସେଲ୍‌ ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ ମାମଲା(କେସ୍‌ ନ˚ ୨୩) ଆଇପିସି ଦଫା ୧୬୬, ୪୨୯, ୩୪ ଏବ˚ ୧୪୬ ଇଲେକ୍ଟ୍ରିସିଟି ଆକ୍ଟ, ୫୧ ଵାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ସର୍କଲ୍‌ର ଅଧୀକ୍ଷଣ ଯନ୍ତ୍ରୀ ନରେଶ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ, ମେରାମୁଣ୍ତଳି ଲାଇନ୍‌ ମ୍ୟାନ-ବି ଫିରୋଜ ପଣ୍ତା, ମେରାମୁଣ୍ତଳି କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି ଓ ତାଳଚେର ଚାଇଁପାଳ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ନିହାର ପାଣିଗ୍ରାହୀଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି-୧ ସମ୍ପଦ ସନ୍ଦିପ ମାଡ଼କରଙ୍କ ନେତୃତ୍ବରେ ଗଠନ ହୋଇଥିବା ୩ ଜଣିଆ ଟିମ୍‌ରେ ଡିଏସ୍‌ପି ଡି. ଡିି. ମିଶ୍ର ଏବ˚ ଏଏସ୍‌ଆଇ ଦିଲ୍ଲୀପ ମିଶ୍ର ସାମିଲ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ମଧ୍ୟ ଆଜି ସନ୍ଧ୍ୟାରେ ଥାନାରେ ପହଞ୍ଚି ପଚରା ଉଚରା କରିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଘଟଣାର ଗୁୁରୁତ୍ବକୁ ଦୃଷ୍ଟିରେ ରଖାଯାଇ ଆଜି ସକାଳେ ଏସ୍‌ପି ଶ୍ରୀ ମାଡ଼କରଙ୍କ ନେତୃତ୍ବରେ ଏକ ଟିମ୍‌ ଢେଙ୍କାନାଳ ଗସ୍ତ କରିଛି। ୭ଟି ହାତୀ ମୃତ୍ୟୁ ପଛରେ କାହାର ଅବହେଳା ରହିଛି ଏବ˚ ପୂର୍ବରୁ ଏ ସ˚କ୍ରାନ୍ତରେ ରିପୋର୍ଟ ହୋଇଥିଲା କି ନାହିଁ, ସେ ନେଇ ତଦନ୍ତ ଚାଲିଥିବା ଶ୍ରୀ ଉପାଧ୍ୟାୟ କହିଛନ୍ତି।

ସେହିପରି ପିସିସିଏଫ୍(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ ମଧ୍ୟ ବିଭାଗୀୟ ତଦନ୍ତ କରି ଫେରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଲା ଓ କେଉଁମାନେ ଏଥି ପାଇଁ ଦାୟୀ, ସେ ସ˚ପର୍କରେ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ମିଳିବା ପରେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବ˚ ପୁନର୍ବାର ଏଭଳି ଘଟଣା ନଘଟିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନୁଗୁଳ ଏସିଏଫ୍ ଜିତେନ୍ଦ୍ରନାଥ ଦାଶ ବିଦ୍ୟୁତ୍ ବିଭାଗର ୫ ଜଣଙ୍କ ନାଁରେ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି। ଏତଲା କ୍ରମେ କଣ୍ଟାବଣିଆ ଥାନା ପୁଲିସ କେସ୍ ନମ୍ବର ୧୧୬/୧୮ରେ ଆଇପିସି ଦଫା ୧୬୬, ୪୨୯, ୩୪, ୱାଇଲ୍ଡ଼ ଲାଇଫ୍‌ ଆକ୍ଟ-୫୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକ, ଏସ୍‌ଡିପିିଓ ଶେଖ୍‌ ଅବଦୁଲ୍ କରିମ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସେହିପରି ବିଜେପି ନେତା ରୁଦ୍ରନାରାୟଣ ପାଣି ବନ ବିଭାଗ ଏବଂ ଶକ୍ତି ସଚିବଙ୍କ ନାଁରେ କଣ୍ଟାବଣିଆ ଥାନା‌ରେ ଆଉ ଏକ ଏତଲା ଦେଇଛନ୍ତି। ଗତକାଲି ସଞ୍ଜ ନଇଁଯିବାରୁ ୪ଟି ହାତୀଙ୍କର ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା। ଆଜି ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିବା ପରେ ମୃତ ହାତୀକୁ ଘଟଣାସ୍ଥଳରେ ପୋତି ଦେଇଛନ୍ତି।

ସମ୍ବନ୍ଧିତ ଖବର