ଆଉ ଦିନକ ପରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ସହରର ୪୮ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ଢେଙ୍କାନାଳ :  ଆଉ ଦିନକ ପରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜାକୁ ବେଶ ଜାକଜମକରେ ପାଳନ କରିବାକୁ ପୂଜା ଅନୁଷ୍ଠାନଗୁଡ଼ିକର ସାଜସଜ୍ଜା ଏବେ ଚୁଡାନ୍ତ ପର୍ଯ୍ୟାୟରେ । ୧୧ ଦିନ ଧରି ସହରରେ ୪୮ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ ।

ଆସନ୍ତା ୨୪ ତାରିଖ କୁମାରପୂର୍ଣ୍ଣିମାଠାରୁ ୧୧ ଦିନ ବ୍ୟାପି ଢେଙ୍କାନାଳ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ମିଳିତ ପୂଜା ବଜାର କମିଟି ଅଧୀନରେ ୪୮ଟି ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିପୂଜା ପାଇବାକୁ ଯାଉଛି । ସେଥିଲାଗି ଏବେ ଠାରୁ ସମସ୍ତ ଅନୁଷ୍ଠାନଗୁଡ଼ିକ ଚଳଚଞ୍ଚଳ ହୋଇପଡିଛି ।

ଚଳିତ ବର୍ଷ ମଉଡମଣୀ ପୂଜା ଅନୁଷ୍ଠାନ ମୀନା ବଜାର ତାର ୭୫ ବର୍ଷ ପୂର୍ତି ପାଳନ କରୁଥିବାରୁ ମେଢ ଏବଂ ଲାଇଟ ଡେକୋରେସନକୁ ବିଶେଷ ପ୍ରାଧାନ୍ୟ ଦେଇଛି । ଗଣେଷ ବଜାର, ମହାବୀର ବଜାର, ବସ ଷ୍ଟାଣ୍ଡ, ଲକ୍ଷ୍ମୀ ବଜାର, ବାଜି ଚୌକ, ଦେଉଳ ସାହି ଆଦି ଅନୁଷ୍ଠାନଗୁଡ଼ିକ ବାଉଁଶ ଗେଟ ନିର୍ମାଣ କାମ ଅଧାରୁ ଅଧିକ ସାରିଦେଲେଣି । ସେହିପରି ମୂର୍ତି ତିଆରି କାମ ମଧ୍ୟ ଆରମ୍ଭ ହୋଇଗଲାଣି । ପ୍ରଶାସନ ଏବଂ ମୁନସିପାଲିଟି ମିଳିତ ଉଦ୍ୟମରେ ରାସ୍ତା ଅବରୋଧ କରିଥିବା ଦୋକାନଗୁଡିକୁ ଉଚ୍ଛେଦ କରାଯାଇଛି ଫଳରେ ଭିଡ ନିୟନ୍ତ୍ରଣ ଏବଂ ଟ୍ରାଫିକ ବ୍ୟବସ୍ଥା ସୁରୁଖୁରୁରେ ହୋଇପାରିବ ।

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ବିଶେଷତ୍ୱ ହେଉଛି ଦୀର୍ଘ ୮ କିଲୋମିଟର ରାସ୍ତାର ଉଭୟ ପଟେ ରଙ୍ଗିନ ଆଲୋକମାଳା ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ତା’ଉପରେ ସୁଉଚ୍ଚ ଆଲୋକ ତୋରଣ ଏବଂ କପଡା ତୋରଣ ପୂଜାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ । ଏହି ସବୁ ବ୍ୟବସ୍ଥା ପୂଜାର ଏକ ମାସ ଆଗରୁ ଆରମ୍ଭ ହୋଇଯାଇଥାଏ । କାରିଗରମାନେ ସେମାନକଂ କଳାନୈପୁଣ୍ୟକୁ ପ୍ରଦର୍ଶନ କରିବା ଦିଗରେ ମଧ୍ୟ ଏକ ପ୍ରକାର ପ୍ରତିଯୋଗିତା ଦେଖାଦେଇଥାଏ କାରଣ ମୂର୍ତି ତିଆରିରେ ପ୍ରଶାସନ ପକ୍ଷରୁ ପ୍ରାଇଜ ରଖାଯାଇଛି । ମହିଷାପାଟ ଇନ୍ଦିରାଗାନ୍ଧି ପଡିଆରେ ୯ ଦିନ ଧରି ପଲ୍ଲିଶ୍ରୀମେଳାରେ ମଧ୍ୟ ଲୋକମାନଙ୍କ ଭିଡ ବେଶ ପରିଲକ୍ଷିତ ହୋଇଥାଏ । ଏହି ୧୧ ଦିନରେ ପାଖାପାଖି ୨୦ ଲକ୍ଷ ଲୋକଙ୍କ  ସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି।

ସମ୍ବନ୍ଧିତ ଖବର