ଢେଙ୍କାନାଳରେ ରାଜୁଡ଼ା ଅମଳ ଘୋଷଯାତ୍ରା : ରାଜନଅରରୁ ବାହାରିଲେ ତିନି ଦିଅଁ

ଢେଙ୍କାନାଳ : ଢେଙ୍କାନାଳ ସହରରେ ଆଜି ମହାପ୍ରଭୁଙ୍କ ରାଜା ରାଜୁଡ଼ା ଅମଳର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। ଏଠି ତିନି ଦିଅଁଙ୍କ ପାଇଁ ଆଗ ପଛ ହୋଇ ଏକକାଳୀନ ତିନି ରଥ ଗଡ଼ିନି। ସାନ ଓ ବଡ଼ ଦୁଇ ରଥରେ ମହାପ୍ରଭୁ ଜଗନ୍ନାଥ ଭାଇ-ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ପରମ୍ପରା ଅନୁସାରେ ତୃତୀୟ ରଥ ଗଁଦିଆ ବ୍ଲକ ଦେଓଗାଁରୁ ଗଡ଼ିଛି।

ନୀତି ଅନୁସାରେ, ଦିନ ୧୦ଟା ୪୫ରେ ସେବାୟତମାନେ ଆଜ୍ଞାମାଳ ଧରି ମହାପ୍ରଭୁଙ୍କ ପ୍ରଥମ ସେବକ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କୁ ନିମନ୍ତ୍ରଣ କରିବାକୁ ରାଜ ନଅରକୁ ଯାଇଥିଲେ। ନଅରରେ ପୂଜିତ ବଳରାମ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସେବାୟତମାନେ ଘଣ୍ଟଧ୍ବନି ମଧ୍ୟରେ ବଳରାମ ଜିଉଙ୍କ ମନ୍ଦିରକୁ ଆଣିଥିଲେ। ରାଜା ଶ୍ରୀ ସିଂହଦେଓ, ଯୁବରାଜ ଅମରଜ୍ୟୋତି ସିଂହଦେଓ ସପରିବାର ପ୍ରଭୁ ବଳରାମଙ୍କ ମନ୍ଦିରରେ ପହଞ୍ଚି ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିଥିଲେ। ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥଙ୍କ ସହିତ ରାଜ ନଅରରୁ ଆସିଥିବା ଶ୍ରୀ ଜିଉମାନଙ୍କ ମଙ୍ଗଳାର୍ପଣ, ମଣିବନ୍ଧନ, ରାଜଦର୍ଶନ ଓ ଆରତି କାର୍ଯ୍ୟ ସଂପନ୍ନ ହୋଇଥିଲା। ରାଜା ଶ୍ରୀ ସିଂହଦେଓ ପାଟ ଡୋରି ଧରି ମନ୍ଦିର ଓ ପହଣ୍ଡି ସେବାୟତମାନଙ୍କ ସହଯୋଗରେ ମହାପ୍ରଭୁଙ୍କୁ ମନ୍ଦିରରୁ ପହଣ୍ଡି କରି ରଥଗଡ଼ା ପର୍ଯ୍ୟନ୍ତ ନେଇଥିଲେ। ଅଧାବାଟରେ ୧୨ଟା ୫୪ରେ ପ୍ରଭୁ ଜଗନ୍ନାଥଙ୍କୁ ଦଧିବାମନ ଜିଉଙ୍କ ମନ୍ଦିର ସମ୍ମୁଖରେ ଅଧରପଣା ଲାଗି କରାଯାଇଥିଲା। ଠାକୁର ରଥଠି ପହଞ୍ଚିବା ପରେ ଦକ୍ଷିଣ ବନ୍ଦାପନା ଓ ରଥ ପରିକ୍ରମା କରାଯାଇଥିଲା। ଜିଉମାନଙ୍କୁ ଦିନ ୧ଟା ୨୪ ମିନିଟ୍‌ରେ ରଥାରୂଢ଼ କରାଯାଇଥିଲା। ରାଜା ଶ୍ରୀ ସିଂହଦେଓ ଅପରାହ୍ଣ ୨ଟାବେଳେ ଛେରା ପହଁରା କରିଥିଲେ। ରାଜାଙ୍କ ମସ୍ତକରେ ମହାପ୍ରଭୁଙ୍କ ଅଙ୍ଗ ଲାଗି ପାଟ ପଗଡି ବନ୍ଧା ଯିବା ପରେ ରଥରେ ଦଉଡି ଓ ଚାର ଲଗାଯାଇଥିଲା। ପରେ ରାଜା ଶ୍ରୀ ସିଂହଦେଓ ରଥରେ ମୁଣ୍ଡ ଲଗାଇ ଠେଲିବା ପରେ ଦିନ ୨ଟା ୧୦ ମିନିଟ୍‌ରେ ପ୍ରଥମ ରଥ ଟଣା ଆରମ୍ଭ ହୋଇ ବିରତି ଦିଆଯାଇଥିଲା। ଅପରାହ୍‌ଣ ୩ ଟା ୨୦ରେ ପାରମ୍ପରିକ ରଥଟଣା ଆରମ୍ଭ ହୋଇଥିଲା । ୩ଟା ୪୦ମିନିଟ୍‌ରେ ସାନରଥକୁ କେବଳ ମହିଳାମାନେ ଟାଣି ଥିଲେ । ବଡ଼ରଥ ସଂଧ୍ୟା ୬ଟା ୪ରେ ଏବଂ ସାନରଥ ୬ଟା ୧୦ ମିନିଟ୍ ରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର