ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ

କୁଜଙ୍ଗ : ‌ପୋସ୍କୋ‌କୁ କେନ୍ଦ୍ର କରି ଗଣ୍ଡଗୋଳ ଉପୁଜିବା କାରଣରୁ ବନ୍ଦ ଥିବା ଏରସମା ବ୍ଳକ ଢିଙ୍କିଆ ପଞ୍ଚାୟତର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଭୋଟ ଗଣତି ମଧ୍ୟ ଶେଷ ହୋଇଛି। ବୁଥ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ କିଶୋର କୁମାର ପରିଡ଼ା ନିଜ ନିକଟତମ ପ୍ରତିଦ୍ୱନ୍ଦ୍ବୀ ମିଳିତ ସାମୁଖ୍ୟର ପ୍ରକ‌ାଶ ଚନ୍ଦ୍ର ଜେନାଙ୍କଠାରୁ ୧୧୪୦ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ, ସରକାରୀ ଭାବେ ନିର୍ବାଚନ ଫଳାଫଳ ଘୋଷଣା ହୋଇ ନାହିଁ।

ପୋସ୍କୋ ପ୍ରକଳ୍ପକୁ କେନ୍ଦ୍ର କରି ଢିଙ୍କିଆ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା କାରଣରୁ ୨୦୦୭ ମସିହା ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତକୁ ବାଦ୍‌ ଦିଆଯାଇଥିଲା। ଦୀର୍ଘ ଅଢେଇ ବର୍ଷ ବିଳମ୍ବରେ ଆଜି ଢ଼ିଙ୍କିଆ ପଞ୍ଚାୟତରେ ମତଦାନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ମଇଦାନରେ ସମୁଦାୟ ୭ ଜଣ ପ୍ରାର୍ଥୀ ଥିଲେ ବି ଲଢ଼େଇ ମୁଖ୍ୟତଃ ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର କୁମାର ପରିଡ଼ା ଏବଂ ବିଜେପି, କଂଗ୍ରେସ, ସିପିଆଇ ଆଦି ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ (ପୂର୍ବତନ ସମିତି ସଭ୍ୟ) ପ୍ରକାଶ ଚନ୍ଦ୍ର ଜେନାଙ୍କ ମଧ୍ୟରେ ହୋଇଥିଲା। ସକାଳେ ମତଦାନ କରାଯାଇ ଅପରାହ୍ନରେ ମତଗଣନା କରାଯାଇଥିଲା। ଗଣତି ପରେ ଏଜେଣ୍ଟ୍‌ମାନଙ୍କ ନିକଟରୁ ପ୍ରାପ୍ତ ତଥ୍ୟ ଅନୁସାରେ ବିଜେଡି ସମର୍ଥିତ କିଶୋର କୁମାର ପରିଡ଼ା ମିଳିତ ସାମୁଖ୍ୟ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜେନାଙ୍କଠାରୁ ୧୧୪୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି। ତେବେ, ସରକାରୀ ଭାବେ ନିର୍ବାଚନର ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଏରସମା ତହସିଲଦାର ଅଞ୍ଜଳି ତରାଇଙ୍କ ଠାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର