ବଡ଼ମ୍ବା-ନରସିଂହପୁରରେ ଆରମ୍ଭ ହେବ ଡାଏଲିସିସ୍‌ ୟୁନିଟ୍‌

ସ୍ପଷ୍ଟ ହୋଇପାରୁନି କିଡ୍‌ନି ରୋଗର ପ୍ରକୃତ କାରଣ

ଭୁବନେଶ୍ୱର : ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ଦେଖା ଦେଉଥିବା କିଡ୍‌ନି ରୋଗର ପ୍ରତିକାର ଓ ଚିକିତ୍ସା ପାଇଁ ଖୁବଶୀଘ୍ର ଡାଏଲିସିସ୍‌ ଓ ଆନାଲାଇଜର ମେସିନ୍‌ କାର୍ଯ୍ୟକ୍ଷମ ହେବ। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଇତିମଧ୍ୟରେ ନରସିଂହପୁର ସିଏଚ୍‌ସି ପାଇଁ ୩ଟି ଡାଏଲିସିସ୍‌ ମେସିନ୍‌ର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୬ ମସିହାରୁ ଏ ପର୍ଯ୍ୟନ୍ତ ନରସିଂହପୁର ବ୍ଲକ୍‌ରେ ୮୪୧ଜଣ ଓ ବଡ଼ମ୍ବା ବ୍ଲକ୍‌ରେ ୩୩୫ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଦୁଇ ବ୍ଲକ୍‌ର ଗାଁଓ୍ଵାରି ସର୍ବେକ୍ଷଣ କରାଯାଇ ପ୍ରଶାସନ ପକ୍ଷରୁ ଆକ୍ରାନ୍ତମାନଙ୍କୁ ଚିହ୍ନଟ କାର୍ଡ ପ୍ରଦାନ କରାଯାଇଛି। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।

କେଉଁ କାରଣରୁ ଏହି ଦୁଇ ବ୍ଲକରେ ଲୋକମାନେ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ପ୍ରକୃତ କାରଣ ପାଇଁ ଗବେଷଣା ଜାରି ରହିଛି। ଏହି ଦୁଇ ବ୍ଲକ୍‌ର ୨୭୫ ଜଣ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ଲକ୍ଷ ୬୦ହଜାର ଟଙ୍କା ସହାୟତା ଜିଲ୍ଲା ପ୍ରଶାସନ ପ୍ରଦାନ କରିଛି।

ବୈଠକରେ ବିଧାୟକ ଦେବୀପ୍ରସାଦ ମିଶ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍‌ସିବିର ପ୍ରଫେସର ଡା.ସି.ଆର କର, ପ୍ରଫେସର ଡା.ସି.ଆର ରାଉତ, ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତି, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା ଓ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ ସମେତ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର