ନିୟମଗିରିରେ ବ୍ୟାପିଲା ଜ୍ୱର ଓ ଝାଡ଼ାବାନ୍ତି : ୭ଗାଁର ୨୦ରୁ ଊର୍ଧ୍ବ ଡଙ୍ଗରିଆ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗ ପାଖରେ ସୂଚନା ନାହିଁ

କଲ୍ୟାଣସିଂହପୁର : ଆଦିବାସୀ ଅଧ୍ୟୁଷିତ ନିୟମଗିରି ଅଞ୍ଚଳରେ ବ୍ୟାପିଛି ଜ୍ବର ସହ ଝାଡ଼ାବାନ୍ତି। ୭ଟି ଗାଁର ୨୦ରୁ ଊର୍ଦ୍ଧ୍ବ ଡଙ୍ଗରିଆ ଜ୍ବର, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କିଛି ଆକ୍ରାନ୍ତ ଆଜି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଅନ୍ୟମାନେ ଯାତାୟାତରେ ଅସୁବିଧା କାରଣରୁ ମେଡିକାଲ୍ ଆସିନପାରି ଗାଁରେ ପଡ଼ି ରହିଥିବା ସୂଚନା ମିଳିଛି। ତେବେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ବା ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଂଚାୟତର ଡଙ୍ଗାମାଠି, ଲାଖପଦର, ପଟାଙ୍ଗପଦର, ଲାମ୍ବା, ବଡଡେଙ୍ଗଲେଲି, ଫାକେରି, ନିଶିଖାନ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଆଜି ପୂର୍ବାହ୍ନରେ ରେଲ ସିକକା, ତାଡ଼ି ସିକକା, ବିମଳି କାଡ୍ରେକା, ସିତାଇ କାଡ୍ରେକା, ଲୁଦୁରା ସିକକା, ମାଲାଡି ସିକକାଙ୍କ ସମେତ କିଛି ଡଙ୍ଗରିଆ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଇଛନ୍ତି। ୪/୫ ଦିନ ହେଲା ଉକ୍ତ ଗାଁଗୁଡ଼ିକରେ ଝାଡ଼ାବାନ୍ତି ସହ ଜ୍ବର ବ୍ୟାପିଥିବା ଚିକିତ୍ସା ପାଇଁ ଆସିଥିବା ଡଙ୍ଗରିଆମାନେ କହିଛନ୍ତି। କଲ୍ୟାଣସିଂହପୁର ବ୍ଲକ୍‌ଠାରୁ ୨୦ରୁ ୩୦ କିମି ଦୂର ଦୁର୍ଗମ ଇଲାକାରେ ଏହି ଗାଁଗୁଡ଼ିକ ରହିଥିବାରୁ ଆକ୍ରାନ୍ତଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପାଖରେ ସୂଚନା ପହଞ୍ଚି ପାରିନି। ଫଳରେ ମେଡିକାଲ୍ ଟିମ୍ ଗାଁକୁ ଯାଇପାରି ନ ଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟକର୍ମୀମାନେ ନିୟମଗିରି ଅଞ୍ଚଳକୁ ନିୟମିତ ଭାବେ ଯାଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜ୍ବରରେ ଆକ୍ରାନ୍ତ ହୋଇ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଥରୁଥିବା କହିଛନ୍ତି ସମିତିସଭ୍ୟା ସନାରି ସିକକା। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ଝାଡ଼ାବାନ୍ତି ବ୍ୟାପିଥିବା ନେଇ କୌଣସି ସୂଚନା ସ୍ବାସ୍ଥ୍ୟ ବିଭାଗର ହସ୍ତଗତ ହୋଇ ନ ଥିବା କହିଛନ୍ତି। ସଂଧ୍ୟା ସୁଦ୍ଧା ନିୟମଗିରି ପାହାଡ ଅନ୍ତର୍ଗତ ରହିଥିବା କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେହି ଭର୍ତି ହୋଇନାହାନ୍ତି। ତଥାପି ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ ବିଭାଗର ଟିମ୍‌କୁ ପଠାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର