ଇତିହାସରେ ପ୍ରଥମ : ପେଟ୍ରୋଲକୁ ଟପିଲା ଡିଜେଲ

ଭୁବନେଶ୍ବର : ପେଟ୍ରୋଲ ଏବଂ ଡିଜେଲ ଦର ଗତ କିଛିଦିନ ହେଲା କମୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଯୋଗୁ ଭାରତରେ ତେଲ ଦର ବୃଦ୍ଧିରୁ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ତେ‌େବ ହଠାତ୍‌ ପେଟ୍ରୋଲ ତୁଳନାରେ ଡିଜେଲ ମୂଲ୍ୟ ଅଧିକ ହେବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଭୁବନେଶ୍ବରରେ ପେଟ୍ରୋଲ ଦାମ୍ ୮୦ ଟଙ୍କା ୫୭ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୬୯ ପଇସା ହୋଇଛି।

ଚଳିତମାସ ୧୬ରେ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା। ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୬୫ ପଇସା ହୋଇଥିବା ବେଳେ ଡିଜେଲ ୮୧ ଟଙ୍କା ୨୩ ପଇସା ଛୁଇଁଥିଲା। ୧୭ ତାରିଖ ଦିନ ଏହି ଦର ଅପରିବର୍ତ୍ତିତ ରହିଥିଲା।

କିନ୍ତୁ ୧୮ ତାରିଖରୁ ‌ଉଭୟ ଇନ୍ଧନ ଦର କମିବାରେ ଲାଗିଛି। ପେଟ୍ରୋଲ ଦର ୨୦ ତାରିଖ ସୁଦ୍ଧା ଲିଟର ପିଛା ୮୩ ପଇସା ହ୍ରାସ ଘଟିଥିବାବେଳେ ଡିଜେଲ ଦର ୩୫ ପଇସା ହ୍ରାସ ଘଟିଛି। ଡିଜେଲ ଦର ଧିମା ଗତିରେ କମୁଥିବାରୁ ବଜାରରେ ପ୍ରଥମ ଥର ପାଇଁ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଯାଇଛି। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମର ଏକ ପମ୍ପରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୮୨ ପଇସା ଓ ଡିଜେଲ ଦର ୮୦ ଟଙ୍କା ୮୮ ପଇସା ରହିଛି। ପେଟ୍ରୋଲ ତୁଳନାରେ ଡିଜେଲ ଦର ୬ ପଇସା ଅଧିକ ରହିଛି। କିନ୍ତୁ ରବିବାର ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ପାର୍ଥକ୍ୟ ବଢ଼ିଯାଇଛି। ପେଟ୍ରୋଲ ୮୦ ଟଙ୍କା ୫୭ ପଇସା ଥିବାବେଳେ ଡିଜେଲ ୮୦ ଟଙ୍କା ୬୯ ପଇସା ହୋଇଛି।

ବିଶେଷଜ୍ଞଙ୍କ କହିବାନୁ‌ଯାୟୀ ଅତୀତରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ମହଙ୍ଗା ହେବା କେବେ ଦେଖାଦେଇ ନଥିଲା। ‌ଡିଜେଲ ମୂଲ୍ୟ ଅଧିକ ରହିବାର ଦୁଇଟି କାରଣ ରହିଛି ବୋଲି କୁହାଯାଉଛି। ଗୋଟିଏ ହେଲା ମୂଳ ମୂଲ୍ୟ ବା ବେସ୍ ପ୍ରାଇସ୍ ଅଧିକ ରହିବା ଏବଂ ଅନ୍ୟଟି ହେଲା ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲରେ ସମାନ ହାର(୨୬%)ରେ ମୂଲ୍ୟ ଯୁକ୍ତ ଟିକସ ଆଦାୟ ହେବା। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କୁହନ୍ତି, ପେଟ୍ରୋଲଠାରୁ ଡିଜେଲ ଦର ମହଙ୍ଗା ହୋଇଯାଇଥିବାରୁ ସରକାରଙ୍କୁ ଏ ନେଇ ଚିନ୍ତା କରିବାର ସମୟ ଆସିଯାଇଛି। ବିଶେଷକରି ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ସମାନ ହାରରେ ଟିକସ ଆଦାୟ କରାଯାଉଛି। ସରକାର ପେଟ୍ରୋଲ ଉପରେ ଅଧିକ ଟିକସ ଆଦାୟ କରି ଡିଜେଲ ଉପରୁ ଟିକସ କମାଇଲେ ସାଧାରଣ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି। ତେବେ ଆଗାମୀ ଦିନ‌ରେ ପେ‌େଟ୍ରାଲ ଓ ଡିଜେଲ ଆହୁରି କମିବ ବୋଲି ସେ କହିଛନ୍ତି।

ପ୍ରଭାବିତ ହେବ ଏସବୁ କ୍ଷେତ୍ର: ଦିନକୁ ଓଡ଼ିଶାରେ ପ୍ରାୟ ୬୦ ଲକ୍ଷ ଲିଟର ଡିଜେଲ ବିକ୍ରି ହୋଇଥାଏ। ଟ୍ରକ ଓ ବସ୍ ସମେତ ପରିବହନ କାର୍ଯ୍ୟରେ ନିୟୋଜିତ ଅନ୍ୟାନ୍ୟ ଗାଡ଼ିଗୁଡ଼ିକ ମଧ୍ୟରୁ ଅଧିକାଂଶ ସାଧାରଣତଃ ଡିଜେଲରେ ଚାଲିଥାଏ। ପରିବହନ ସମେତ ଖଣି, ଶିଳ୍ପ, କୃଷି, ମୋବାଇଲ ଟାୱାର ଆଦି କ୍ଷେତ୍ରରେ ଡିଜେଲ ବ୍ୟବହାର ହୋଇଥାଏ। ତେଣୁ ଏସବୁ ଉପରେ ଡିଜେଲ ଦର ବୃଦ୍ଧିର ପ୍ରଭାବ ପୂର୍ବରୁ ପଡ଼ିସାରିଛି। ଆଗାମୀ ଦିନରେ ଯଦି ମନ୍ଥର ହାରରେ ଡିଜେଲ ଦର ହ୍ରାସ ଘଟେ ତାହେ‌େଲ ଏହି କ୍ଷେତ୍ରଗୁଡ଼ିକ ମଧ୍ୟ କ୍ଷତି ସହିବ।

ସମ୍ବନ୍ଧିତ ଖବର