ନିମାପଡ଼ା: ବିଜେପିକୁ କଣ୍ଟା ଦିଲ୍ଲୀପ

କଂଗ୍ରେସ ଭୋଟକୁ ଟାଣି ପାରିବେନି ପ୍ରଭାତୀ

ପୁରୀ(ଚିନ୍ମୟ ପତି): ନିର୍ବାଚନୀ ବିଗୁଲ ବାଜି ଗଲାଣି। ଘୋଷଣା ସରିଛି ଯୁଦ୍ଧ ତାରିଖ। ଏବେ ଚାଲିଛି ଯୋଦ୍ଧା ଖୋଜା। ଏହାକୁ ନେଇ ଏବେ ରାଜନୀତି ସରଗରମ। ପୁରୀ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମାପଡ଼ାରେ ରାଜନୈତିକ ସମୀକରଣ ଗୋଳମାଳିଆ ହେଉଛି। ବିଜେଡିକୁ ବିଜେପି ଜବାବ୍‌ ଦେବାକୁ ଅଣ୍ଟା ଭିଡ଼ିଥିବା ବେଳେ ବିଜେପି ପାଇଁ କଣ୍ଟା ହେବେ ଦିଲ୍ଳୀପ ନାୟକ। ଦିଲ୍ଲୀପଙ୍କ ପାଇଁ ଗୋଳମାଳିଆ ହେଉଛି ନିମାପଡ଼ା ରାଜନୈତିକ ସ୍ଥିତି। ନିମାପଡ଼ା ଦୀର୍ଘବର୍ଷରୁ ବିଜେଡିର ଗଡ଼ ଭାବେ ରହିଛି। ୨୦୦୪ରେ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଜେପି ହାତରେ ଥିଲା ଏହି ଆସନ। ବାଇଧର ମଲ୍ଲିକ ଥିଲେ ବିଧାୟକ। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ସେହି ଆସନ ବିଜେଡି କବ୍‌ଜାକୁ ଯାଇଛି। ୨୦୦୯ରେ ସମୀର ଦାଶ ୮୦ହଜାର ୭୬୨ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ସତ୍ୟବ୍ରତ ପାତ୍ର ପାଇଥିଲେ ୪୧ହଜାର ୬୦୮। ସେତିକିରେ କଂଗ୍ରେସ ରହିଯାଇଛି। ଆଉ କଂଗ୍ରେସ ଆଗକୁ ବଢ଼ିନାହିଁ।
୨୦୦୯ ପରଠାରୁ ବିଜେପିର ହୋଇଛି ଅଭିବୃଦ୍ଧି। ସେହିବର୍ଷ ବିଜେପି ତୃତୀୟ ସ୍ଥାନରେ ଥିଲା। ମାତ୍ର ୨୦୧୪ ନିର୍ବାଚନରେ ବିଜେପି ବିଜେଡିକୁ ଦେଇଥିଲା କଡ଼ା ଟକ୍କର। ବିଜେଡିର ଅନେକ ଭୋଟ ବ୍ୟାଙ୍କକୁ ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା ଭାଙ୍ଗି ଦେଇଥିଲେ। ସେହିବର୍ଷ ବିଜେଡିର ଭୋଟ ଯେତିକି ବଢ଼ିଥିଲା ତାହାଠାରୁ ଅଧିକ ବଢ଼ିଥିଲା ପ୍ରତିଦ୍ବନ୍ଦ୍ବୀ ବିଜେପି ଭୋଟ। ସେବର୍ଷ ବିଜେଡି ପାଇଥିଲା ୮୬ହଜାର ୯୫୮ ଖଣ୍ଡ ଭୋଟ। ବିଜେପିର ପ୍ରଭାତୀ ପାଇଥିଲେ ୫୭ହଜାର ୩୨୧। କଂଗ୍ରେସ ତୃତୀୟରେ ଥିବା ବେଳେ ନିର୍ଣ୍ଣାୟକ ଭୂମିକା ନେଇଥିଲେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ନାୟକ। ଇତିମଧ୍ୟରେ ଦିଲ୍ଲୀପଙ୍କ ପଛରେ ଅସନ୍ତୁଷ୍ଟ କେଂଗ୍ରସ ଗୋଷ୍ଠୀ ରହିଛନ୍ତି। ବିଜେପିର କିଛି ଗୋଷ୍ଠୀ ବି ଦିଲ୍ଲୀପଙ୍କ ସହ ସାମିଲ୍‌ ହୋଇଛନ୍ତି। ଫଳରେ ନିମାପଡ଼ାର ରାଜନୈତକ ସ୍ଥିତି ଗୋଳମାଳିଆ ହେଉଛି। ତୃଣମୂଳ ସ୍ତରରୁ ମିଳୁଥିବା ସୂଚନା ଅନୁଯାୟୀ, ଏବେ ଚାରିଛକ, ଗୋପ ଭଳି ଅଞ୍ଚଳରେ ବିଜେଡି ପ୍ରତି ଲୋକେ ଅସନ୍ତୁଷ୍ଟ ରହିଛନ୍ତି। ହେଲେ ନିମାପଡ଼ା ଓ ଗୋପର ଅନ୍ୟ ଅଞ୍ଚଳରେ ବିଜେଡି ତାର ପତିଆରା ରଖିଛି। ଗୋପରେ ବିଜେପିର ଅଭିବୃଦ୍ଧି ହୋଇଥିବା ବେଳେ ନିମାପଡ଼ା, ଚାରିଛକ ଭଳି ସ୍ଥାନରେ ହ୍ରାସ ପାଇଛି। ଅସନ୍ତୁଷ୍ଟ ବିଜେପି ଓ ବିଜେଡିକୁ ହାତେଇବାକୁ ଯୋଜନା ଚଳାଇଛନ୍ତି ଦିଲ୍ଲୀପ। ସେ ଏଥର କଂଗ୍ରେସ ଟିକେଟ୍‌ ପାଇଁ ଲବିରେ ରହିଛନ୍ତି। ତାଙ୍କୁ ଟିକେଟ ନମିଳିଲେ ବି ସେ ସ୍ବାଧୀନରେ ଛିଡ଼ା ହେବାକୁ ମନସ୍ଥ କରିଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ବିଜେପି ଏଥର କଂଗ୍ରେସ ଭୋଟକୁ ଏକଜୁଟ୍‌କରି ନେବାକୁ ଯୋଜନା କରିଥିବା ‌ବେଳେ ଦିଲ୍ଲୀପ ଏଥିରେ ବାଟ ଓଗାଳିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର