ଦେହରେ ଲୁଣ ଲଗାଇ ଜୋକଙ୍କ ଦାଉରୁ ମୁକୁଳନ୍ତି ଦିଲୀପ

ଶିକ୍ଷାର ଦିହୁଡ଼ି ଜାଳୁଛନ୍ତି / ଦୁର୍ଗମ ପାହାଡ଼ିଆ ଅଞ୍ଚଳ ପିଲା ଏବେ ସ୍କୁଲ୍‌ମୁହାଁ

ଯଶିପୁର, (ବିରଞ୍ଚି ନାରାୟଣ ସାହୁ): ଦିଲୀପ କୁଣ୍ଡୁ। ବୃତ୍ତି ସରକାରୀ ଶିକ୍ଷକ। ଘର ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ବ୍ରହ୍ମପୁରା ଗାଁରେ। ଶିକ୍ଷା କ୍ଷେତ୍ରରେ ଏକ ସମର୍ପିତ ବ୍ୟକ୍ତିତ୍ବ ଦିଲୀପ। ଯିଏ ଅମଡ଼ା ମାଡ଼ିବାର ସାହସ କରିଛନ୍ତି, ଘଞ୍ଚ ଅରଣ୍ୟଭରା ଶିମିଳିପାଳ ଇଲାକାରେ ବନବାସୀ ପିଲାମାନଙ୍କ ପାଠପଢା ଲାଗି ନିଜକୁ ସମର୍ପିତ କରିଛନ୍ତି। ବୃତ୍ତିଗତ କ୍ଷେତ୍ରରେ ଅନେକ ବାଧାବିଘ୍ନ, ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରିଥିଲେ ବି ଦିଲୀପଙ୍କ ଉତ୍ସାହ, ଆବେଗ ଆଗରେ ସବୁ ହାର୍‌ ମାନିଛି। ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ପାହାଡ଼ ଜଙ୍ଗଲ ପରିବେଷ୍ଟିତ ଏକ ଅଖ୍ୟାତ ଗାଁ’ରେ ଶିକ୍ଷାର ପ୍ରଦୀପ ଜଳିଛି। ଯେଉଁଠି ଦିନବେଳା ସୂର୍ଯ୍ୟାଲୋକ ପଡ଼େନି ଏବଂ ବାଘ, ଭାଲୁ, ହାତୀ ଭଳି ହିଂସ୍ର ବନ୍ୟପ୍ରାଣୀଙ୍କ ଆତଯାତ ହୁଏ ସେଇଠି ଏକବୁଝା ଜନଜାତିଙ୍କୁ ପାଠପଢାର ମହତ୍ବ ବୁଝାଇ ସେମାନଙ୍କ ପିଲାଙ୍କୁ ସ୍କୁଲ ଆଣିବାରେ ସକ୍ଷମ ହୋଇଛନ୍ତି। ଯଶିପୁରଠାରୁ ୭୫ କିମି ଦୂର ଗଡଶିମିଳିପାଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଲଟିଛି ଏହି ୩୫ ବର୍ଷର ଯୁବ ଶିକ୍ଷକଙ୍କ ପାଇଁ ଆତ୍ମୀୟତାଭରା କର୍ମକ୍ଷେତ୍ର, ଘର ପରିବାର ସବୁ କିଛି।

ଦିଲୀପଙ୍କ କଣ୍ଟକିତ ଯାତ୍ରାର କାହାଣୀ ଏମିତି। ୨୦୧୧ ମସିହା ଫେବ୍ରୁଆରି ମାସରେ ଜଣେ କ୍ରୀଡ଼ା ଶିକ୍ଷକ ଭାବେ ଏଠାରେ ଯୋଗ ଦେବାବେଳେ ଦିଲୀପ କେବେ ବି ଭାବି ନଥିଲେ ସବୁ ଦାୟିତ୍ବକୁ ମୁଣ୍ଡରେ ମୁଣ୍ଡାଇ ଆଜି ଯାଏ ୬ ବର୍ଷ କାଳ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଇବାକୁ ପଡ଼ିବ। ସ୍କୁଲରେ ପହଞ୍ଚି ସେ ଦେଖିଥିଲେ ଭଙ୍ଗାଦଦରା ଘର, ନାମକୁ ମାତ୍ର ‌ଶ୍ରେଣୀ ଗୃହ ଏବଂ ହାତଗଣତି କେଇ ଜଣ ପିଲା। ଗୋଟିଏ ଶ୍ରେଣୀରେ ବସୁଛନ୍ତି ୩/୪ଟି ଶ୍ରେଣୀର ପିଲା। ଅଭୟାରଣ୍ୟର ଏହି ଅନ୍ଧାରୀ ମୂଲକରେ ଶିକ୍ଷାର ଆଲୋକ ଜାଳିବା ପାଇଁ ନା ସରକାରୀ ସ୍ତରରେ ଥିଲା ତତ୍ପରତା ନା ବନଭୂଇଁର ବନ୍ୟପ୍ରାଣୀଙ୍କ ଗହଣରେ ଆତଯାତ ହେଉଥିବା ଜନଜାତି ବାସିନ୍ଦାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଥିଲା ଆଗ୍ରହ।

ସହର ବଜାରର ଚାକଚକ୍ୟଠୁ ବହୁ ଦୂରରେ ଥିଲା ଗଡ଼ଶିମିଳିପାଳ। ଚାରିପଟେ ବଡ଼ ବଡ଼ ପାହାଡ଼ ଏବଂ ଘଞ୍ଚ ଜଙ୍ଗଲ। ଏଭଳି ପରିସ୍ଥିତିରେ ଗାଁରେ ଶିକ୍ଷାର ମୂଳଭିତ୍ତି କିପରି ବଦଳାଇବେ ତାକୁ ନେଇ ଚିନ୍ତାରେ ଥିଲେ ଦିଲୀପ। କିଛି ଦିନ ପରେ ନିଜ ମନକୁ ଦୃଢ଼ କରି ସଂକଳ୍ପ ନେଲେ ଯେମିତି ହେଉ ସେ ଆଗକୁ ବଢ଼ି ଅଧିକ ପିଲାଙ୍କୁ ସ୍କୁଲକୁ ଆଣିବେ। ପାହାଡ଼, ନଦୀନାଳ ଡେଇଁ ଆଖପାଖ ଜଙ୍ଗଲଘେରା ଗାଁକୁ ସେ ପାଦରେ ଚାଲିଚାଲି ଯିବା ଆରମ୍ଭ କଲେ। ଗାଁ ଗାଁରେ ସଭା କରି ଜନଜାତିଙ୍କୁ ବୁଝାଇଲେ। ସେମିତି ଏକ ଗାଁ ଥିଲା ଲେମ୍ବୁଗୋଡ଼ା। ପାହାଡ଼ ତଳେ ଥିବା ଏହି ଗାଁରେ କେହି ଜଣେ ବି ଶିକ୍ଷିତ ନଥିଲେ। ଗାଁରେ ସଭା କରି ବଡ଼ମାନଙ୍କୁ ବୁଝାଇବା ପରେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ସମସ୍ତେ ରାଜି ହେଲେ। ହେଲେ ରାତି ତ ରାତି, ଦିନବେଳା ବି ଜଙ୍ଗଲ ରାସ୍ତାରେ ହାତୀ, ବାଘ, ଭାଲୁଙ୍କୁ ଦେଖୁଥିବା ଗାଁ ଲୋକେ ହିଂସ୍ରଜନ୍ତୁଙ୍କ ଭୟରେ ପିଲାଙ୍କୁ ଏକୁଟିଆ ଛାଡ଼ିବାକୁ କୁନ୍ଥୁକୁନ୍ଥୁ ହେଲେ। କିନ୍ତୁ ଏକନିଷ୍ଠ ଦିଲୀପ ସବୁ କଷ୍ଟବରଣ କରିବାକୁ ଦୃଢ଼ ପ୍ରତିଜ୍ଞ ଥିଲେ। ବୁଝାସୁଝା କରାଇ ଗାଁ ମୁଖିଆଙ୍କ ସମେତ ପ୍ରତି ଘରୁ ପାଳି କରି ଦୁଇ ଜଣ ସାଙ୍ଗରେ ପିଲାଙ୍କୁ ଧରି ନଦୀନାଳ ଡେଇଁ ସ୍କୁଲକୁ ନେବା ଆଣିବାର ବ୍ୟବସ୍ଥା କଲେ। ଏଭଳି କାର୍ଯ୍ୟ ପାଖାପାଖି ତିନି ବର୍ଷ ଚାଲିବା ପରେ ପାଖ ଜଜଡିହି ଗାଁର ପିଲାମାନେ ବି ସାଙ୍ଗରେ ଯାଇ ପାଠ ପଢ଼ିଲେ।

ଏହି ୭ ବର୍ଷ ଭିତରେ ଗଡ଼ଶିମିଳିପାଳ ସ୍କୁଲର ଚିତ୍ର ପୂରା ବଦଳିଯାଇଛି। ସ୍ଥାନୀୟ ଲୋକେ ଶିକ୍ଷାର ଗୁରୁତ୍ବ ବୁଝି ପିଲାଙ୍କୁ ସ୍କୁଲ ପଠାଉଛନ୍ତି। ସେ ଦିନର ଭଙ୍ଗା ଦଦରା ସ୍କୁଲ ଏବେ ଚକାଚକ୍‌ ପକ୍କା ଘର। ପିଲା ସଂଖ୍ୟା ବୃଦ୍ଧି ପାଇ ୨୦୦ରେ ପହଞ୍ଚିଲାଣି। ୫/୬ ବର୍ଷ ହେଲା ସ୍କୁଲରେ ଆର୍‍ଏସ୍‍ଟି କେନ୍ଦ୍ର ଖୋଲିଛି, ଯେଉଁଥିରେ ଅନେକ ପିଲା ରହି ପାଠ ପଢୁଛନ୍ତି। ଏସବୁ ସଫଳତା ପଛରେ ରହିଛି ଦିଲୀପଙ୍କର ନିରବ ସାଧନା। ଏଥି ପାଇଁ କମ୍ କଷ୍ଟ ପାଇନାହାନ୍ତି ସେ। ସେଦିନର ଦୁର୍ଦ୍ଦଶା କଥା କହିବାକୁ ଯାଇ ଦିଲୀପ କହନ୍ତି, ଦିନେ ଦିନେ ଏମିତି ହୁଏ ଯେ ତାଙ୍କୁ ବାଧ୍ୟ ହୋଇ ପିଲାଙ୍କୁ ଦୁର୍ଗମ ଗାଁକୁ ନେବା ଆଣିବା କରିବାକୁ ପଡ଼େ। ଆଉ ଜଙ୍ଗଲିଆ ଓଦା ମାଟିରେ ସନ୍ତସନ୍ତିଆ ଜାଗାରେ ଲୁଚି ରହିଥିବା ଜୋକ ତାଙ୍କ ପାଇଁ ପ୍ରତିବନ୍ଧକ ସାଜନ୍ତି। ଦେହରେ ତେଲ ଲୁଣ ଲଗାଇ ସେମାନଙ୍କ କବଳରୁ ମୁକୁଳିବାକୁ ପଡ଼ିଥାଏ। ଆଜି ବି ଦିଲୀପ ସାର୍ ପିଲାମାନଙ୍କ ପାଇଁ ପାଠପଢ଼ାର ବ୍ୟବସ୍ଥା କରି ଦିନରାତି ଶିକ୍ଷାର ଆଲୋକ ବିତରଣ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର