ଦୀପଲିଙ୍କୁ ନେଇ ଝାରସୁଗୁଡ଼ା ରାଜନୀତିରେ ଚର୍ଚ୍ଚା

ଝାରସୁଗୁଡ଼ା: ଝାରସୁଗୁଡ଼ା ରାଜନୀତିରେ ଏବେ ନୂଆଁ ଚେହେରାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ, ବେସରକାରୀ ତଥା ସଭା ସମିତି ମାନଙ୍କରେ ଏହି ନୂଆଁ ଚେହେରା ଦେଖିବାକୁ ମିଳୁଛି। ତେବେ ଏହି ନୂଆଁ ଚେହେରା ଆଉ କେହି ନୁହନ୍ତି ସେ ହେଉଛନ୍ତି ସୁଶ୍ରୀ ଦୀପଲି ଦାସ। ଦୀପଲି ଏବେ ଝାରସୁଗୁଡ଼ା ରାଜନିତୀରେ ବେଶ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି। ଦୀପାଳିଙ୍କ ବାପା ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଲଳନା। ବିଦେଶରେ ଉଚ୍ଚଶିକ୍ଷା ସମାପ୍ତ ପରେ ସେ ଏବେ ରାଜନୀତିରେ ପାଦ ଥାପୁଥିବା ଅନୁମାନ କରାଯାଉଛି। ଆଉ ଏଥିରେ ବାପା ନବ ତାଙ୍କୁ ବେଶ ପ୍ରୋଜେକ୍ଟ କରିବା ପାଇଁ ଇଛୁକ ଥିବା ସ୍ପଷ୍ଟ ବାରି ହେଉଛି। ଗତ କିଛିଦିନ ହେଲା ମନ୍ତ୍ରୀ ଶ୍ରୀ ଦାସଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦୀପଲି ବାପାଙ୍କ ପାଖରେ ଛାଇ ପରି ରହୁଥିବା ଦେଖିବାକୁ ମିଳୁଛି। ଗତ ଶନିବାର ଦିନ ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲ ଠାରେ ଅନୁଷ୍ଠିତ ହୋମିଓପ୍ୟାଥିକର ଏକ ସେମିନାରରେ ଦୀପଲି ଭାଷଣ ଦେଇଥିବା ବେଳେ ଗତକାଲି ସର୍କିଟ ହାଉସ ଠାରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଉପରେ ଚାଲିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀଙ୍କ ପାଖରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ପରେ ଜିଲ୍ଲାସ୍ତରୀୟ ଧାନକ୍ରୟ ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ଅଧାରୁ ଉଠି ଚାଲିଯାଇଥିଲେ। ଗଲା ବେଳେ ମନ୍ତ୍ରୀ ଦୀପାଳିଙ୍କୁ ତାଙ୍କ ପ୍ରତନିଧି କହି ସଭା ଚାଲୁ ରଖିବାକୁ କହିଥିଲେ। ଏବେ ମନ୍ତ୍ରୀଙ୍କ ସ୍ଥାନରେ ଦୀପାଳିଙ୍କୁ ବିଭିନ୍ନ ସଭାରେ ଅତିଥି କରି ଡକାଯାଉଥିବା ଦେଖିବାକୁ ମିଳୁଛି। ଦୀପାଳି ୧୯୯୭ ମସିହାରେ ଜନ୍ମ ହୋଇଥିବା ବେଳେ ବୁର୍ଲା ଡିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ, ଏହାପରେ ସେ ରାଜସ୍ଥାନର ମୋଡି ଇନଷ୍ଟିଚ୍ୟୁଟରେ ଏକାଦଶ ଓ ଦ୍ୱାଦଶ ପଢିଥିଲେ। ପରେ ମୁମ୍ବାଇ ସ୍ଥିତ କେ ସି କଲେଜ ରେ ବି କମ ପାସ ପରେ ସ୍ପେନର ବାର୍ସିଲୋନା ଠାରେ ଥିବା ଇୟୁ ବିଜିନେସ ସ୍କୁଲରେ ଯୋଗାଯୋଗ ଓ ଲୋକସମ୍ପର୍କ ବିଭାଗରେ ଏମବିଏ କରିଛନ୍ତି। ଦୀପାଳିଙ୍କ ରାଜନୀତି ପ୍ରବେଶ ପରେ ଏବେ ତାଙ୍କୁ ନେଇ ଜିଲ୍ଲା ରାଜନୀତିରେ ନାନା ସମୀକରଣ ଆରମ୍ଭ ହୋଇଯାଇଛି। ଆଗକୁ ପୌର ନିର୍ବାଚନ ଆସୁଥିବା ବେଳେ ସେଥିରେ ହୁଏତ ଦୀପାଲି ମୁଖ୍ୟ ଭୂମିକା ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ନବ ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହି ଥିବାରୁ ହୁଏତ ଦୀପାଲି ନବଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେବେ ମନ୍ତ୍ରୀ ନବ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ଦୀପାଳି ସବୁ ଶିଖୁଛନ୍ତି ବୋଲି କହିଛନ୍ତି। ରାଜନୀତିରେ ବିଚକ୍ଷଣ ନବ ଦୀପାଳିଙ୍କୁ ରାଜନିତୀକୁ ଆଣିବା ପଛରେ ଏକ ବଡ ଉଦେଶ୍ୟ ନିହତ ଥାଇ ପାରେ ବୋଲି କୁହା ଯାଉଛି।

ସମ୍ବନ୍ଧିତ ଖବର