ଡିପ୍ଲୋମା ଶିକ୍ଷା ମହଙ୍ଗା : ୧୭ କଲେଜର ଫି’ ବଢ଼ିଲା, ୪ଟି କଲେଜ ଫି’ ୩୫ ହଜାର ଟଙ୍କା

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୮ଟି ଘରୋଇ ଡିପ୍ଲୋମା ଇଞ୍ଜିନିୟରିଂ କଲେଜର ଫି’ ଷ୍ଟ୍ରକ୍‌ଚର ଧାର୍ଯ୍ୟ ହୋଇଛି। ୨୦୧୭ ଜୁଲାଇ ୧୯ ଓ ୨୦୧୮ ମେ’ ୩ରେ ବସିଥିବା ଫି’ ଷ୍ଟ୍ରକ୍‌ଚର୍‌ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଫି’ ସ୍ଥିର ହୋଇଛି। ୪ଟି କଲେଜର ଫି’ ୩୫ ହଜାର ହୋଇଥିବା ବେଳେ ଗୋଟିଏ କଲେଜର ୩୪ ହଜାର, ଦୁଇଟି କଲେଜର ୩୩ ହଜାର, ୯ଟି କଲେଜ ପାଇଁ ୩୦ ହଜାର ଧାର୍ଯ୍ୟ କରାଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ୨୫ ହଜାର ୮୦୦ ଟଙ୍କା ରଖାଯାଇଛି।

ଓଡ଼ିଶା ପ୍ରଫେସନାଲ୍‌ ଏଜୁକେସନାଲ୍‌ ଇନ୍‌ଷ୍ଟିଚ୍ୟୁସନ୍ସ ଆକ୍ଟ ୨୦୦୭ ଅନୁଯାୟୀ ଏହି ଫି’ ବୃଦ୍ଧି କରାଯାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରସ୍ଥିତ ସିଭି ରମଣ ପଲିଟେକ୍‌ନିକ୍‌ ସମେତ ସୁଧାନନ୍ଦ ଆବାସିକ ପଲିଟେକ୍‌ନିକ୍‌, କିଟ୍‌ ପଲିଟେକ୍‌ନିକ୍‌, ନୀଳାଚଳ ପଲିଟେକ୍‌ନିକ୍‌ ପାଇଁ ୩୫ ହଜାର ଟଙ୍କା ଲେଖାଏ ଫି’ ଧାର୍ଯ୍ୟ ହୋଇଛି। କଟକସ୍ଥିତ ଡ୍ରିମ୍ସ ପଲିଟେକ୍‌ନିକ୍‌ ପାଇଁ ୩୪ ହଜାର, ଭୁବନେଶ୍ୱରର ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଓ ବରଗଡ଼ର ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଲାଗି ୩୩ ହଜାର ଟଙ୍କା ଫି’ ରଖାଯାଇଛି। ସମ୍ବଲପୁରର ବଦ୍ରିପ୍ରସାଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଅନୁଗୁଳସ୍ଥିତ ପୂର୍ଣ୍ଣଚନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ସୁନ୍ଦରଗଡ଼ ଇଞ୍ଜିନିୟରିଂ ସ୍କୁଲ, ଭୁବନେଶ୍ୱର ଜେନିଥ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ବ୍ରହ୍ମପୁରର ଓମ୍‌ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ, ବ୍ରହ୍ମପୁରର ଗାନ୍ଧି ସ୍କୁଲ ଅଫ୍‌ ଇଞ୍ଜିନିୟରିଂ, କଟକର ଆର୍ଯ୍ୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଗଞ୍ଜାମରେ ଥିବା ହୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପାଇଁ ୩୦ ହଜାର ଟଙ୍କା ଲେଖାଏ ଫି’ ଧାର୍ଯ୍ୟ କରାଯାଇଛି। ସିନର୍ଜୀ ପଲିଟେକନିକ୍‌ ପାଇଁ ୨୬ ହଜାର ଓ ଅନ୍ୟ ଘରୋଇ ଡିପ୍ଲୋମା ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ୨୫ ହଜାର ୮୦୦ ଟଙ୍କା ଲେଖାଏ ସ୍ଥିର ହୋଇଛି।

ଯେଉଁ ଛାତ୍ରଛାତ୍ରୀ ଦ୍ୱିତୀୟ ସିଫ୍ଟ ଡିପ୍ଲୋମା କୋର୍ସ ଏବଂ ପାର୍ଟ ଟାଇମ୍‌ ଡିପ୍ଲୋମା କୋର୍ସରେ ନାମଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ୨୦ ପ୍ରତିଶତ କମ୍‌ ଫି’ ଦେବାକୁ ପଡ଼ିବ। ନାମଲେଖା ଫି’ ବ୍ୟତୀତ ହଷ୍ଟେଲ, ପରିବହନ, କସନ୍‌ ମନି ଲାଗି ଛାତ୍ରଛାତ୍ରୀଙ୍କୁ ଅଲଗା ଅର୍ଥ ପଇଠ କରିବାକୁ ହେବ। ସମସ୍ତ ହଷ୍ଟେଲ ବାବଦରେ ଜଣେ ଛାତ୍ର ପିଛା ବାର୍ଷିକ ଭିନ୍ନ ଭିନ୍ନ ଫି’ ରଖାଯାଇଛି। କଲେଜର ନିଜସ୍ୱ ହଷ୍ଟେଲ ଥିଲେ ପିଲା ପିଛା ୨୨ ହଜାର ଟଙ୍କା ଓ ଭଡ଼ା ହଷ୍ଟେଲ ହୋଇଥିଲେ ୧୩ ହଜାର ୨୦୦ ଟଙ୍କା ଫି’ ଦେବାକୁ ହେବ। ୨୦ କିମି ମଧ୍ୟରେ ପରିବହନ ପାଇଁ ୮ ହଜାର ୮୦୦ ଓ ଏହାଠାରୁ ଅଧିକ କିମିି ଲାଗି ପିଲାକୁ ବାର୍ଷିକ ୧୩ ହଜାର ୨୦୦ ଟଙ୍କା ହେବାକୁ ପଡ଼ିବ। କସନ୍‌ ମନି ସମସ୍ତଙ୍କ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର