ସମୂହ ଛୁଟିରେ ଡିପ୍ଲୋମା ଇଂଜିନିୟର : ଉନ୍ନୟନ କାର୍ଯ୍ୟ ବ୍ୟାହତ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଇଂଜିନିୟରିଂ ବିଭାଗର କାର୍ଯ୍ୟରତ ଡିପ୍ଲୋମା ଇଂଜିନିୟରମାନେ ବିଭିନ୍ନ ଦାବି ନେଇ ୧୮ତାରିଖରୁ ୪୪ଦିନ ପାଇଁ ସମୂହ ଛୁଟି ନେଇଛନ୍ତି। ରାଜ୍ୟର ୮୫୦୦ ଡିପ୍ଲୋମା ଇଂଜିନିୟରମାନେ ତୃଣମୂଳ ସ୍ତରରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ଥିବାରୁ ଏହି ଆନ୍ଦୋଳନ ଯୋଗୁଁ ରାସ୍ତା ଓ ସେତୁ ନିର୍ମାଣ, ପାନୀୟ ଜଳ ଯୋଗାଣ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଆମ ଗାଁ ଆମ ବିକାଶ ଆଦି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଠପ୍‌ ହୋଇଯାଇଛି।

ଡିଗ୍ରି ଓ ଡିପ୍ଲୋମା ଇଂଜିନିୟରମାନଙ୍କ ମଧ୍ୟରେ ପଦୋନ୍ନତି କ୍ଷେତ୍ରରେ ପାତରଅନ୍ତର କରାଯାଉଥିବା ବେଳେ ଏନେଇ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସେବାସଂଘ ପକ୍ଷରୁ ପାଞ୍ଚଦଫା ଦାବି ପୂରଣ ନେଇ ୧୦ ମାସ ଧରି ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗରେ ଡିପ୍ଲୋମା ଇଂଜିନିୟରମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ତେବେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ପ୍ରଦୀପ କୁମାର ପାତ୍ର ଏବଂ ସାଧାରଣ ସଂପାଦକ ସଚିତ୍ର ମୋହନ ରାଉଳ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର