ଡିପ୍ଲୋମା ଇଂଜିନିୟର ସଂଘର ଚେତାବନୀ : ଦାବି ପୂରଣ ନ ହେଲେ ସମୂହ ଛୁଟି

ଭୁବନେଶ୍ୱର : ଦୀର୍ଘ ୫ ବର୍ଷ ହେଲା ସରକାରଙ୍କ ନିକଟରେ ହୋଇ ଆସୁଥିବା କ୍ୟାଡର୍‌ ପୁନର୍ଗଠନ ସଂକ୍ରାନ୍ତୀୟ ଦାବି ପୂରଣ ନ ହେଲେ ଏଥର ବାଧ୍ୟ ହୋଇ ସମୂହ ଛୁଟିରେ ଯିବେ ବୋଲି ଡିପ୍ଲୋମା ଇଂଜିନିୟର ସଂଘ ଚେତାବନୀ ଦେଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୮ ହଜାର ଡିପ୍ଲୋମା ଇଂଜିନିୟର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ପୂର୍ବରୁ ଗଣତାନ୍ତ୍ରିକ ପଦ୍ଧତିରେ ଚାଲି ଆସୁଥିବା ଆନ୍ଦୋଳନ ପ୍ରତି ସରକାର ଉଦାସୀନ ରହୁଥିବାରୁ ଏଥର ସମୂହ ଛୁଟି ନେବା ଛଡ଼ା ସଂଘ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି କୁହାଯାଇଛି। ସଂଘର ସଭାପତି ପ୍ରଦୀପ କୁମାର ପାତ୍ର ଓ ସମ୍ପାଦକ ସଚିତ୍ରମୋହନ ରାଉଳ ଜଣାଇଛନ୍ତି ଯେ ସଂଘ ସରକାରଙ୍କ ନିକଟରେ ୮ ଦଫା ଦାବି ରଖିଛି। ୨୦୧୩ ମସିହାରୁ ଏହି ଦାବି କରାଯାଉଛି। ମାତ୍ର ସବୁଥର ସରକାର କେବଳ ପ୍ରତିଶ୍ର୍ରୁତି ଦେଉଛନ୍ତି ସିନା ଡିପ୍ଲୋମା ଇଂଜିନିୟରମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ଅବସାନ ଘଟିନାହିଁ। ବିଶେଷକରି ସଂଘ କ୍ୟାଡର୍‌ ପୁନର୍ଗଠନରେ ହୋଇଥିବା ଅସଙ୍ଗତିକୁ ତୁରନ୍ତ ଦୂର କରିବା ପାଇଁ ଦାବି ରଖିଛନ୍ତି। କ୍ୟାଡର ପୁନର୍ଗଠନ ସହ ପଦୋନ୍ନତି କ୍ଷେତ୍ରରେ ଡିପ୍ଲୋମା ଇଂଜିନିୟରମାନଙ୍କୁ ଉଚିତ୍‌ ନ୍ୟାୟ ମିଳୁ ବୋଲି ଦାବି ରହିଛି। ସେହିଭଳି ପଞ୍ଚାୟତିରାଜ ବିଭାଗରେ ଖାଲି ପଡ଼ିଥିବା ୧୮୪୫ କନିଷ୍ଠ ଯନ୍ତ୍ରୀ ପଦବିକୁ ତୁରନ୍ତ ପୂରଣ କରିବା ପାଇଁ ଦାବି ରଖାଯାଇଛି। କ୍ୟାଡର୍‌ ପୁନର୍ଗଠନ ପ୍ରକ୍ରିୟାରେ ଜଳସମ୍ପଦ ବିଭାଗକୁ ନୋଡାଲ ବିଭାଗଭାବେ ରଖିବାକୁ ସଂଘ ଦାବି କରିଛି। ମୁଖ୍ୟମନ୍ତ୍ରୀ ଏ ବାବଦରେ ଅବଗତ ଥିବାବେଳେ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ଅନ୍ତ ଘଟୁନାହିଁ। ତେଣୁ ପ୍ରେସ୍‌ ଇସ୍ତାହାର ଜରିଆରେ ସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ଦାବି ପୂରଣ ପାଇଁ ଅନୁରୋଧ କରାଯାଇଛି। ଜୁନ୍‌ ମାସରେ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଭିିନ୍ନ ଅଧିବେଶନରେ ସମୂହ ଛୁଟି ବାବଦ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର