ଦୀପୁ ଓ ଓମ୍ ହତ୍ୟାକାଣ୍ଡ ମାମଲା : ବୟାନ ବଦଳାଇଲେ ଫାର୍ମ ହାଉସ ସୁପରଭାଇଜର, କହିଲେ ସୁଶୀଲ, ସୁଶାନ୍ତଙ୍କୁ ଚିହ୍ନିନି; ହତ୍ୟାକାଣ୍ଡ ସଂପର୍କରେ ଜାଣିନି
ଅସ୍ଥାୟୀ ଭାବେ ସୁଶୀଲଙ୍କୁ ଝାରପଡ଼ା ଓ ସୁଶାନ୍ତଙ୍କୁ ଚୌଦ୍ୱାର ଜେଲରେ ରଖାଗଲା
କଟକ : ଦୀପୁ ଓରଫ୍ ମନୋଜ ମଲ୍ଲିକ ଓ ଓମ୍ ଓରଫ ଓମ ପ୍ରକାଶ ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ଶୁଣାଣି ସମୟରେ ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସର ସୁପରଭାଇଜର ମାନସ ନାୟକ ଅଦାଲତରେ ହାଜର ହୋଇ ଆଜି ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଇଜଲାସରେ ମାମଲାର ଶୁଣାଣି ସମୟରେ ଘଟଣାର ତୃତୀୟ ସାକ୍ଷୀ ତଥା ପ୍ରତ୍ୟକ୍ଷଦର୍ଶୀ ଶ୍ରୀ ନାୟକ ହାଜର ହୋଇ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଜାଣି ନଥିବା କହିଥିଲେ। ସେ ଘଟଣା ସଂପର୍କରେ କିଛି ଜାଣି ନଥିବା କଥା କହିଥିଲେ। ପୂର୍ବରୁ ପୁଲିସ ତାଙ୍କ ବୟାନ ସିଆରପିସିର ଧାରା ୧୬୧ରେ ରେକର୍ଡ କରିଥିଲା। ଏଥି ସହିତ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ହୋଇଥିବାରୁ ତାଙ୍କର ପୂର୍ବରୁ ଧାରା ୧୬୪ରେ ମଧ୍ୟ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିଲା। ଦୀପୁ ଓ ଓମ୍ଙ୍କୁ ଅପହରଣ କରାଯିବା ପରେ ଖୁଣ୍ଟକଟା ଫାର୍ମ ହାଉସରେ ଉଭୟଙ୍କୁ ପିଟିପିଟି ହତ୍ୟା କରାଯିବା ଅଭିଯୋଗ ସଂପର୍କରେ ସେ ପୂର୍ବର ବୟାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ଆଜି ସେ ପୂର୍ବ ବୟାନଠାରୁ ଭିନ୍ନ କଥା କହିଥିଲେ। ଏହି ହତ୍ୟା ଘଟଣା ସଂପର୍କରେ ସେ ଜାଣିଥିବା କଥା ଅସ୍ୱୀକାର କରିଥିଲେ। ଧଳସାମନ୍ତଙ୍କ ପକ୍ଷରୁ ଓକିଲ ଶ୍ରୀ ନାୟକଙ୍କୁ ଜେରା ମଧ୍ୟ କରିଥିଲେ। ପୂର୍ବରୁ ଏହି ମାମଲାରେ ଦୀପୁଙ୍କ ମା’ ଶାନ୍ତିଲତା ମଲ୍ଲିକ ଓ ବାପା ଅଦ୍ୱୈତ ମଲ୍ଲିକଙ୍କ ସାକ୍ଷ୍ୟ ଗ୍ରହଣ ସରିଛି। ଆଜି ମାମଲାର ଶୁଣାଣି ସମୟରେ ବାଲେଶ୍ୱର ଜେଲରେ ଥିବା ସୁଶୀଲ ଓ ବଲାଙ୍ଗୀର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ସହିତ ଚୌଦ୍ୱାର ଜେଲରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏପରି ପରିସ୍ଥିତିରେ ଅସ୍ଥାୟୀ ଭାବେ ସୁଶୀଲଙ୍କୁ ଭୁବନେଶ୍ୱର ଝାରପଡା ଜେଲ ଓ ସୁଶାନ୍ତଙ୍କୁ ଚୌଦ୍ୱାର ଜେଲରେ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ କୁମାର ମହାନ୍ତି ଏବଂ ଦୀପୁଙ୍କ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଉଦିତ ରଂଜନ ଜେନା ଓ ରମାକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।