ପୁରୀରୁ ମୋଦୀ ପ୍ରାର୍ଥୀ ହେବା ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ମହଲରେ ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ବିଜେପିର କିଛି ନେତାଙ୍କ କହିବା କଥା, ମୋଦୀଙ୍କ ପୂର୍ବ ଭାରତର ରଣନୀତି ସ୍ୱରୂପ ଏଭଳି ଯୋଜନା ହେଉଛି। ଗତ ଥର ମୋଦୀ ବାରାଣାସୀରୁ ଲଢିଥିଲେ। ଏଥର ପୁରୀରେ ଲଢିବେ। ଯେହେତୁ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ, ମୋଦୀ ପୁରୀରୁ ପ୍ରାର୍ଥୀ ହେଲେ ବିଜେପିକୁ ଓଡ଼ିଶା ଦଖଲ ସହଜ ହେବ। ୧୨୦+ ଆସନ ଦଖଲ କରି ଦଳ ଏଠାରେ ସରକାର ଗଠନ କରିବ।

ଏହି ଗୋଷ୍ଠୀ ଏହି ଆଲୋଚନାକୁ ଅଧିକ ବଳିଷ୍ଠ କରିବା ପାଇଁ ବିଜେପି ଜାତୀୟ କାର୍ଯ୍ୟକାରିଣୀ ଠାରୁ ଆରମ୍ଭ କରି ଶାହଙ୍କ ବାରମ୍ବାର ଓଡ଼ିଶା ଗସ୍ତ, ବିକାଶ ଆଦି ପ୍ରସଙ୍ଗକୁ ସାମ୍ନାକୁ ଆଣିଛନ୍ତି। ଓଡ଼ିଶାକୁ କେନ୍ଦ୍ର ସରକାର ଫୋକସରେ ରଖିଛନ୍ତି ବୋଲି ଦାବି କରିଛନ୍ତି। ଗୁଜୁରାଟରେ କ୍ଷମତା ରାଜନୀତିକୁ ପ୍ରଥମେ ଆସି ୨୦୧୪ରେ ବନାରସରୁ ଲୋକସଭା ଲଢ଼ିବା ପରେ ଏଥର ପୁରୀରୁ ଲଢ଼ିବା ପ୍ରସଙ୍ଗରେ ‘ସୋମନାଥ ଧାମରୁ କାଶୀ ବିଶ୍ୱନାଥ ଧାମ ବାଟ ଦେଇ ଜଗନ୍ନାଥଧାମ ଯାତ୍ରା’ ବୋଲି ଚିତ୍ରଣ କରାଯାଉଛି। ବିଜୁ ଜନତା ଦଳ ଏଭଳି ଚର୍ଚ୍ଚାକୁ ନେଇ କିଛି ମନ୍ତବ୍ୟ ଦେଇନାହିଁ। ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସୋସିଆଲ ମି଼ଡିଆ ଆଦିରେ ଚାଲିଥିବା ଏ ସଂକ୍ରାନ୍ତ ଆଲୋଚନାକୁ ବିଜେପିର ଚାଲ୍‌ ବୋଲି ଚିତ୍ରଣ କରୁଛନ୍ତି। ଏହି ମହଲର ଯୁକ୍ତି ହେଉଛି, ପଞ୍ଚାୟତ ନିର୍ବାଚନ ପରେ ଓଡ଼ିଶାରେ ବିଜେପି ବଢ଼ିବା ବଦଳରେ ଛିଡ଼ିବାରେ ଲାଗିଛି। ଦଳରେ ଗୋଷ୍ଠୀକନ୍ଦଳ ଏବେ ଶୀର୍ଷ ଛୁଇଁଲାଣି। କିଏ ରାଜ୍ୟ ସଭାପତି ହେବ, ତାକୁ ନେଇ ବିବାଦ ଦେଖାଦେଇଛି। ବିଭିନ୍ନ ଜିଲ୍ଲାରେ ନୂଆ ପୁରୁଣା ସଂଗଠନ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଗଲାଣି।

ଏମିତି ଏକ ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଦଳ ପାଇଁ ବୁମେରାଂ ହୋଇଛି। ଜାତୀୟସ୍ତରରେ ପତିଆରା ଜାହିର କରିବା ଲାଗି ବିଜେପି ଯେଉଁଭଳି ଢଙ୍ଗରେ ବିଜେଡିର ସମର୍ଥନ ଗୋଟାଇଲା, ତାହା କର୍ମୀଙ୍କ ମନୋବଳକୁ କେବଳ ଦୁର୍ବଳ କରିଛି ତା ନୁହେଁ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଚାଲ୍‌କୁ ବିଫଳ କରିଛି। ଏକଦା ପୋଡ଼ା ଟ୍ରାନ୍‌ସଫର୍ମର କହି ଓଡ଼ିଶାରେ ଗର୍ଜନ ତର୍ଜନ କରିଥିବା ଶାହ ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ୍‌ରେ କଥା ହୋଇ ସମର୍ଥନ ଲୋଡ଼ି ପରୋକ୍ଷରେ ବିଜେଡି ପାଓ୍ଵାର ହାଉସ ବୋଲି ପ୍ରମାଣ କରିଦେଇଛନ୍ତି। ଏଣୁ ଦଳର ଏତେ ବଡ଼ ଦୁଃସ୍ଥିତି ସମୟରେ ମୋଦି ପୁରୀରେ ଠିଆ ହେବେ ବୋଲି ଚର୍ଚ୍ଚା ସୃଷ୍ଟି କରି ବିଜେପି କର୍ମୀଙ୍କ ମନୋବଳ ବଢାଇବା ପାଇଁ କୌଶଳ କରିଥାଇପାରେ ବୋଲି ଏହି ମହଲର ମତ। ଉଲ୍ଲେଖଥାଉକି, ପୂର୍ବରୁ ଏଭଳି ଚର୍ଚ୍ଚାରେ ନିଜେ ଅମିତ ଶାହ ପୂର୍ଣ୍ଣଛେଦ ଟାଣିଥିଲେ। ଏହା ପରଠାରୁ ବିଜେପିର କୌଣସି ସ୍ତରରେ ସେଭଳି କୌଣସି ଆନୁଷ୍ଠାନିକ ଆଲୋଚନା ସୁଦ୍ଧା ହୋଇନଥିବାରୁ ଏପରି ପୂର୍ବାନୁମାନର କୌଣସି ଆଧାର ନଥିବା ତଥ୍ୟାଭିଜ୍ଞ ମହଲର ମତ।

ସମ୍ବନ୍ଧିତ ଖବର