ସମସ୍ୟାର ଲମ୍ବା ତାଲିକା ଦେଲା ରାଜ୍ୟ

ଆକାଂକ୍ଷୀ ଜିଲ୍ଲାକୁ ନେଇ ସଚିବାଳୟରେ ମାନସ ମନ୍ଥନ, ନୀତି ଆୟୋଗ ସିଇଓଙ୍କ ସହ ରାଜ୍ୟ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର : କେନ୍ଦ୍ର-ରାଜ୍ୟ ଟଣାଓଟରା ଓ ରାଜନୈତିକ ବାଦବିବାଦ ପରେ ଓଡ଼ିଶାର ୧୦ଟି ଜିଲ୍ଲା କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଆଜି ପ୍ରଥମ ଥର ପାଇଁ ନୀତି ଆୟୋଗ ସିଇଓ ଓ ତାଙ୍କ ଟିମ୍‌ ସହ ଓଡ଼ିଶା ସରକାରଙ୍କ ଅଧିକାରୀମାନେ ମାନସ ମନ୍ଥନ କରିଛନ୍ତି। ସଚିବାଳୟରେ ଦୀର୍ଘ ସମୟ ଧରି ହୋଇଥିବା ଏହି ବୈଠକରେ ୧୦ଟି ଜିଲ୍ଲାର ସର୍ବନିମ୍ନ ଆବଶ୍ୟକତାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ତୃଣମୂଳ ସ୍ତରରେ ଲୋକ ସାମ୍ନା କରୁଥିବା ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ନୀତି ଆୟୋଗ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନଗଦ ଅର୍ଥର ଅଭାବ ଠାରୁ ଆରମ୍ଭ କରି ଇଣ୍ଟର୍‌ନେଟ୍‌ ସଂଯୋଗ, କେନ୍ଦ୍ରୀୟ ଯୋଜନାର ଜଟିଳ ସର୍ତ୍ତ ଆଦି ସମସ୍ୟାର ଲମ୍ବା ତାଲିକା ରଖାଯାଇଥିଲା। ନୀତି ଆୟୋଗ ସିଇଓ ଏହାକୁ ସକରାତ୍ମକ ଢଙ୍ଗରେ ନେଇ ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ବୈଠକରେ ଅଧ୍ୟକ୍ଷତା କରି ୧୦ଟି ଜିଲ୍ଲାର କିଛି ଜରୁରି ଆବଶ୍ୟକତା ସମ୍ପର୍କରେ କହିଥିଲେ। ସେ ଜଣାଇଥିଲେ, ୧୦ଟି ଜିଲ୍ଲାର ୭୦ ପ୍ରତିଶତ ଗ୍ରାମପଞ୍ଚାୟତରେ କୌଣସି ବ୍ୟାଙ୍କର ଶାଖା ନାହିଁ। ବର୍ତ୍ତମାନ ସମୟରେ ଇଣ୍ଟର୍‌ନେଟ୍‌ର ଜରୁରି ଆବଶ୍ୟକତା ଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ଇଣ୍ଟର୍‌ନେଟ୍‌ ସଂଯୋଗ ନାହିଁ। ଫଳରେ ବିଭିନ୍ନ ଯୋଜନାରେ ଡିବିଟି କାର୍ଯ୍ୟକାରୀ କରିବାରେ ସମସ୍ୟା ହେଉଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସର୍ତ୍ତଗୁଡ଼ିକୁ କିଛିଟା କୋହଳ କରିବାକୁ ବି ପ୍ରସ୍ତାବ ଦିଆଯାଇଥିଲା। ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଚାହିଁ କିଛିଟା ପରିବର୍ତ୍ତନର ଆବଶ୍ୟକତା ଥିବା ସତ୍ୱେ ରାଜ୍ୟ ସରକାର କିଛି କରିପାରୁ ନାହାନ୍ତି। ଯଦି ରାଜ୍ୟ ସରକାର କିଛି ପରିବର୍ତ୍ତନ ଚାହୁଁଛନ୍ତି, ତେବେ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବୃତ୍ତି ଠିକ୍‌ ସମୟରେ ପହଞ୍ଚୁ ନାହିଁ ବୋଲି ନୀତି ଆୟୋଗ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

୧୦ଟି ଯାକ ଆକାଂକ୍ଷୀ ଜିଲ୍ଲାରେ ନଗଦ ଅର୍ଥର ସଙ୍କଟ ପରି ଏକ ସଙ୍ଗୀନ୍‌ ସମସ୍ୟା ସମ୍ପର୍କରେ ବି ଆଲୋଚନା ହୋଇଥିଲା। ଶ୍ରୀ ପାଢ଼ୀ ଜଣାଇଥିଲେ ଯେ ଏଠାରେ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ଯଥେଷ୍ଟ ନଗଦ ଅର୍ଥ ରହୁ ନାହିଁ। ଫଳରେ ହିତାଧିକାରୀମାନଙ୍କୁ ସେମାନଙ୍କୁ ବିଭିନ୍ନ ଦେୟ ଦେବାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ଦେବାରେ ଅମଙ୍ଗ ହେଉଥିବା ସମ୍ପର୍କରେ ବି ନୀତି ଆୟୋଗଙ୍କୁ ଅବଗତ କରାଯାଇଥିଲା।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏସବୁ ସମସ୍ୟା ସମ୍ପର୍କରେ କେନ୍ଦ୍ରର ସଂପୃକ୍ତ ବିଭାଗ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାହାରେ ଗଣମାଧ୍ୟମକୁ ସିଇଓ କହିଥିଲେ, ରାଜ୍ୟ ସରକାରଙ୍କ ସହ ଭାଗୀଦାରିତାରେ କାମ କରିବା ଆମର ଲକ୍ଷ୍ୟ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ସମନ୍ଵୟ ରକ୍ଷା କରି ତାହାକୁ ଆକାଂକ୍ଷୀ ଜିଲ୍ଲାରେ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବ। ଓଡ଼ିଶାକୁ ଦେଶରେ ଏକ ନମ୍ବର ରାଜ୍ୟ କରିବା ଆମର ଉଦ୍ଦେଶ୍ୟ। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଅନେକ ଗଠନମୂଳକ ପ୍ରସ୍ତାବ ଦେଇଛନ୍ତି। ୧୫/୨୦ଟି ପ୍ରସ୍ତାବ ଓଡ଼ିଶା ପକ୍ଷରୁ ଦିଆଯାଇଛି। ଆମେ ସେହି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବୁ। ଓଡ଼ିଶା ସରକାରଙ୍କ ଭଲ ସମନ୍ଵୟ ରକ୍ଷା କରି ଆଗକୁ କାମ ହେବ ବୋଲି ସେ ଆଶାପ୍ରକଟ କରିଥିଲେ।

ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ମୁଖ୍ୟତଃ ୫ଟି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି କ୍ଷେତ୍ରଗୁଡ଼ିକ ହେଲା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଦକ୍ଷତା ବିକାଶ ଏବଂ ଭିତ୍ତିଭୂମି। ୧୦ଟି ଆକାଂକ୍ଷୀ ଜିଲ୍ଲା କୋରାପୁଟ, ଗଜପତି, ନୂଆପଡ଼ା, କନ୍ଧମାଳ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି ଓ ରାୟଗଡ଼ାର ଜିଲ୍ଲାପାଳମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌, ନୀତି ଆୟୋଗ ଉପଦେଷ୍ଟା ରାକେଶ ରଞ୍ଜନ, ପରାମର୍ଶଦାତା ରାମକାମ ରାଜୁ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବଙ୍କ ସମେତ ୬ଟି ଜିଲ୍ଲାର ପ୍ରଭାରୀ ଅଧିକାରୀ ଓ ନୀତି ଆୟୋଗଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ବିଭିନ୍ନ ମାନଦଣ୍ଡରେ ପଛରେ ଥିବା ଦେଶର ୧୧୫ଟି ଜିଲ୍ଲାକୁ ନେଇ ‘ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ’ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରି ଏଠାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଣେ ଜଣେ ପ୍ରଭାରୀ ଅଫିସର୍‌ଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର