ଦୁନିଆରେ ଭଲ ଲୋକ ଅଛନ୍ତି କିନ୍ତୁ ସଂଗଠିତ ହୋଇପାରୁ ନାହାନ୍ତି: ସୌମ୍ୟ

ନେତୃତ୍ୱ ଓ ନୈତିକତା ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗୀର : ପ୍ରକୃତିର ନିୟମ ହେଉଛି ନୈତିକତା। ମଣିଷର ପ୍ରବୃତ୍ତି ବି ନୈତିକତା ଭିତରେ ଅଧୀନ। କିନ୍ତୁ ମଣିଷର ଅହଙ୍କାର ହିଁ ନିୟମ ମାନିବାର ପ୍ରକୃତିକୁ ସଂକୁଚିତ କରୁଛି। ନେତୃତ୍ୱରେ ବିଲକ୍ଷଣ ଦେଖାଦେଉଛି। ବର୍ତ୍ତମାନ ଯିଏ ନିୟମ ଭାଙ୍ଗି ପାରିବ ସେ ସେତିକି ସଫଳ ନେତା! ଆମ ରାଜନୀତି ଓ ସାମାଜିକ ବ୍ୟବସ୍ଥା ବଦଳିଗଲାଣି ଭଳି ଲାଗୁଛି। କିନ୍ତୁ ମନେ ରଖିବାକୁ ହେବ, ଖରାପ ଲୋକ ନିଜ ସ୍ୱାର୍ଥ ପାଇଁ ଖୁବ ସହଜରେ ଏକାଠି ହୋଇ ପାରିନ୍ତି। ଏ ଦୁନିଆରେ ଭଲ ଲୋକ ଅଛନ୍ତି। ଭଲ ଲୋକମାନେ କିନ୍ତୁ ସହଜରେ ଏକାଠି ହୋଇ ପାରନ୍ତି ନାହିଁ। ସ୍ଥାନୀୟ ସାମ୍ବାଦିକ ଭବନରେ ରବିବାର ସଂଧ୍ୟାରେ ଆୟୋଜିତ ‘ନେତୃତ୍ୱ ଓ ନୈତିକତା’ ଶୀର୍ଷକ ଆଲୋଚନାରେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଏହା କହିଛନ୍ତି।

ଜଣାଶୁଣା ସମାଜସେବୀ ତଥା ସାମାଜିକ କର୍ମୀ ବିଲହାନ ସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ନରସିଂହ ମିଶ୍ର, ମୁଖ୍ୟବକ୍ତା ଭାବେ ଶ୍ରୀ ପଟ୍ଟନାୟକ, ଅତିଥି ଆଲୋଚକ ଭାବେ କଂଗ୍ରେସ ନେତା ଡ. ହମିଦ ହୁସେନ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ମିଶ୍ର ମହାତ୍ମା ଗାନ୍ଧୀ ହିଁ ନେତୃତ୍ୱ ଓ ନୈତିକତାର ମୂଳ। ସେ ନିଃସ୍ୱାର୍ଥପର ଭାବେ ଲଢୁଥିଲେ। ସତ କହୁଥିଲେ ଓ ଅହିଂସା ଧର୍ମ ପାଳନ କରୁଥିଲେ। ଆଜି ବିଶ୍ୱ ମାନୁଛି ମହାତ୍ମା ଗାନ୍ଧୀଙ୍କ ମାର୍ଗ ଠିକ୍‌। କିନ୍ତୁ ଗାନ୍ଧୀ ଆଜି ନିର୍ବାଚନରେ ଲଢ଼ିଥିଲେ ୱାର୍ଡ ମେମ୍ବର ଭାବେ ବି ଜିତି ପାରି ନଥାନ୍ତେ! ଯାହାର ନୈତିକତା ଥିବ, ଲୋକେ ଗ୍ରହଣ କରୁଥିବେ, ମାନୁଥିବେ। ସ୍ନେହ ସମ୍ମାନ ଦେଉଥିବେ। ସେ ହିଁ ନେତା ଓ ନେତୃତ୍ୱ। କିନ୍ତୁ ଆଜି ଯିଏ ପଇସା ଦେଇ ଭୋଟ କିଣିବ, ଦାଦାଗିରି କରି ଜିତିବ, ଲୋକଙ୍କୁ ଭକୁଆ ବନେଇ ନିର୍ବାଚନ ଜିତିଯିବ। ହେଲେ ସେ ନେତା ପଦବାଚ୍ୟ ନୁହେଁ। ସେ ନକଲି ନେତା ବୋଲି ଶ୍ରୀ ମିଶ୍ର କହିଥିଲେ।

ଅତିଥି ଆଲୋଚକ ଡ. ହୁସେନ ନିଜ ବକ୍ତବ୍ୟରେ କହିଥିଲେ ରାଜ୍ୟରେ କୃଷି କ୍ଷେତ୍ରର ଅବସ୍ଥା ବହୁତ ଖରାପ। କେବଳ ଚାଷୀ ଧାନ ଚାଷ କରି ଉନ୍ନତି କରିପାରିବ ନାହିଁ। ତାକୁ ଆଧୁନିକ ଚାଷ ପ୍ରଣାଳୀକୁ ଗ୍ରହଣ କରିବାକୁ ହେବ। ଆବଶ୍ୟକ ଅନୁସାରେ ଶିକ୍ଷା ବ୍ୟବସ୍ଥା କରାଯିବା ଉଚିତ। ଏହା ନହେଲେ ବିକାଶ ଅସମ୍ଭବ। ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ସାଗର କହିଥିଲେ ଯେ, ଦାୟିତ୍ୱ ଉପରେ ନେତୃତ୍ୱ ନିର୍ଭର କରେ ନାହିଁ। ସମୟ ପରିସ୍ଥିତି ଅନୁସାରେ ନେତୃତ୍ୱ ବଦଳେ। ଯିଏ ମାନବିକତାର ସୁରକ୍ଷାକାରୀ ନୁହେଁ, ଅନ୍ୟର ଭଲ ଚିନ୍ତା କରେ ନାହିଁ ସେ କେବେ ହେଲେ ଭଲ ନେତା ହୋଇ ପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମକୁ ଭଂଜକିଶୋର ନାଗ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫେସର ଦାଉଦ ସାଗର, ନରେନ୍ଦ୍ର ନନ୍ଦ ଓ ଅନ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର