ରେଡ୍‌ ଜୋନ୍‌ରେ ଅବ୍ୟବସ୍ଥା, ୫ଦିନ ହେଲା ଆସୁନାହିଁ କରୋନା ରିପୋର୍ଟ

ପ୍ରଶାସନ ପାଖେ ଉତ୍ତର ନାହିଁ, ଚିନ୍ତାରେ ଜିଲ୍ଲାବାସୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରୁ ଯାଉଥିବା କରୋନା ନମୁନାର ପରୀକ୍ଷା ରି‌େପାର୍ଟ ଗତ ୫ଦିନ ହେଲା ଆସିପାରୁନାହିଁ। କେଉଁ କାରଣରୁ ଏହା ଆସିପାରୁନି ସେ ବିଷୟରେ ନା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନା ଜିଲ୍ଲା ପ୍ରଶାସନ କାହାରି ପାଖରେ କିଛି ଖବର ନାହିଁ। ଗୋଟିଏ ପଟେ ପଶ୍ଚିମବଙ୍ଗର ପ୍ରବାସୀଓଡ଼ିଆ ଏବଂ ରେଡ୍‌ଜୋନ୍‌ ତାଲିକାରେ ଥିବା କାରଣରୁ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଥିବାବେଳେ ରିପୋର୍ଟ ଠିକ୍‌ ସମୟରେ ନ ଆସିପାରିବା ସମସ୍ୟାକୁ ଆହୁରି ଜଟିଳ କରିଛି। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।  ମିଳିଥିବା ସୂଚନା ଅନୁସାରେ ଗତ ୫ଦିନ ମଧ୍ୟରେ ଜିଲ୍ଲାରୁ ପ୍ରାୟ ୧୩ଶହରୁ ଅଧିକ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିରେ ୨୯ ଏପ୍ରିଲରେ ୧୬୯ଟି ନମୁନା, ୩୦ ଏପ୍ରିଲରେ ୪୫୩ ନମୁନା, ୧ ମେ’ରେ ୩୫୯ ନମୁନା ଓ ୨ ମେ’ରେ ୩୨୬ ନମୁନା ରହିଛି। ଏହାଛଡ଼ା ଅପ୍ରେଲ ୨୮ତାରିଖରେ ସଂଗୃହୀତ ନମୁନା ସଂଖ୍ୟା ଜଣାପଡ଼ିନଥିବା ବେଳେ ଏସବୁ ଭୁବନେଶ୍ବର ପରୀକ୍ଷା କରିବାକୁ ପଠାଯାଇଥିଲା। ମାତ୍ର ସେଗୁଡ଼ିକର ପରୀକ୍ଷା ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ବି ଆସିପାରି ନଥିବା ଜଣାଯାଇଛି। ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁ ଥିବାବେଳେ ବାଲେଶ୍ବର ସହର ନୀଳିଆବାଗ ଅଞ୍ଚଳରେ ସୁପରସ୍ପ୍ରେଡର ରୋଗୀ ବାହାରିଛନ୍ତି। ଏପଟେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରୁ ଦିନେଛଡ଼ା ଦିନେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମିତ ରୋଗୀମାନେ ଅଧିକରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ମିଶିଥିବା ଯୋଗୁଁ ସେହି ଅନୁସାରେ ଅଧିକ ନମୁନା ସଂଗ୍ରହର ଆବଶ୍ୟକତା ରହିଥିବାବେଳେ ବାଲେଶ୍ବରରେ ଏକ ‌କୋଭିଡ୍‌ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଦାବି ହୋଇଆସୁଛି।

ରିପୋର୍ଟ ନଆସିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା‌ଧିକାର ଡାକ୍ତର ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ପଚରାଯିବାରୁ ସେ କହିଥିଲେ, ୫ ଦିନ ହେଲା କରୋନା ରିପୋର୍ଟ ଆସିପାରୁନଥିବା କଥାକୁ ସ୍ବୀକାର କରିଛନ୍ତି ଏବଂ କହିଛନ୍ତି ଯେ, ଜିଲ୍ଲାରୁ ଭୁବନେଶ୍ବର ସ୍ଥିତ ଆରଏମ୍‌ଆରସିକୁ କରୋନା ନମୁନା ପରୀକ୍ଷା ହେବାକୁ ଯାଉଛି। ପରୀକ୍ଷା ରିପୋର୍ଟ ୨୪ରୁ ୪୮ ଘଣ୍ଟା ଭିତରେ ଆସିଯାଉଥିବା ବେଳେ ଏବେ କେଉଁ କାରଣରୁ ତାହା ଆସିପାରୁନାହିଁ ସେ ଜାଣିନାହାନ୍ତି। ତେବେ ସପ୍ତାହେ ମଧ୍ୟରେ ବାଲେଶ୍ବରରେ କରୋନା ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଯୋଜନା ରହିଛି। ଏହା ହୋଇଗଲେ ଆଉ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର